ସ୍ବେରେଜ୍‌ ଲାଇନ୍‌ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଅପରାଧିକ ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ୨୦୨୧, ଏପ୍ରିଲ ୧୫ରେ କଟକ ସିଡିଏ ସେ‌କ୍ଟର-୧୦ରେ ‌ସ୍ବେରେଜ ଲାଇନ ସଫେଇ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ରୁଜୁ ଅପରାଧୀକ ମାମଲାର କଣ ସାନି ସ୍ଥିତି ରହିଛି ସେ ନେଇ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତରେ କଣ ଅଗ୍ରଗତି ହୋଇଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨୧କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ଠିକାଦାର ଡି.କେ.ନାୟକଙ୍କୁ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଏହି ଘଟଣା ସହିତ ତାଙ୍କର କିଛି ସଂପର୍କ ନାହିଁ। ୨୦୨୧, ମାର୍ଚ୍ଚ ୩୧ରୁ ଚୁକ୍ତି ଶେଷ ହୋଇଥିବା ବେଳେ ଏହା ଆଉ ନବୀକରଣ କରାଯାଇ ନଥିଲା। ଫଳରେ ସେ ଏହି କାମ କରୁ ନଥିଲେ। ଅନ୍ୟପକ୍ଷରେ ଏପ୍ରିଲ ୧୫ ଘଟଣାର ତଦନ୍ତ କରି ସିଏମସି ଉପକମିସନର ଓ ବାରଙ୍ଗ ଅତିରିକ୍ତ ତହସିଲଦାର ଦାଖଲ କରିଥିବା ଯୁଗ୍ମ ରିପୋର୍ଟରେ କିନ୍ତୁ ଭିନ୍ନ ତଥ୍ୟ ରହିଥିବା ହାଇକୋର୍ଟରେ ଶୁଣାଣି ସମୟରେ ସ୍ପ‌ଷ୍ଟ ହୋଇଥିଲା। ୨୦୨୧, ଏପ୍ରିଲ ୧ରୁ ଜୁନ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ୱାଟକୋ ତରଫରୁ ଶ୍ରୀ ନାୟକଙ୍କୁ ଦାୟିତ୍ବ ଦିଆଯାଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।

ଅନ୍ୟପକ୍ଷରେ ସ୍ବେରେଜ ଲାଇନ ସଫେଇ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଥାନାରେ ମାମଲା ରୁଜୁ କରାଯାଇଥିଲା ବୋଲି ଆମିକସକ୍ୟୁରୀ ଦର୍ଶାଇଥିଲେ। ଏହି ମାମଲା‌ର ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ଦାଖଲ ପାଇଁ ସରକାରଙ୍କ ତରଫରୁ ଆଜି ଅଧିକ ସମୟ ଲୋଡ଼ା ଯାଇଥିଲା। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଏପ୍ରିଲ ୧୫ରେ କଟକ ସିଡିଏ ସେ‌କ୍ଟର-୧୦ରେ ‌ସ୍ବେରେଜ ଲାଇନ ସଫେଇ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା ପରେ ହାଇକୋର୍ଟ ଏ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲେ। ଏପ୍ରିଲ ୧୫ରେ କଟକ ସିଡିଏ ସେ‌କ୍ଟର-୧୦ରେ ‌ସ୍ବେରେଜ ଲାଇନ ସଫେଇ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା ସହିତ ୨୦୨୧, ମାର୍ଚ୍ଚ ୧୯ରେ ଭୁବନେଶ୍ବରର ବଡଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ବରବାଗରେ ସ୍ବେରେଜ ଟାଙ୍କି ସଫେଇ ବେଳେ ଦୁଇ ଶ୍ରମିକଙ୍କ ପ୍ରାଣହାନୀ ଘଟଣାରେ ୨୦୨୧, ଏପ୍ରିଲ ୧୯ରେ ହାଇକୋର୍ଟ କେତେକ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ଦୁଇ ଘଟଣାରେ ପ୍ରାଣ ହରାଇଥିବା ପ୍ରତି ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପ୍ରଦାନ ଓ ପିଇଏମ୍‌ଏସ୍‌ଆର୍‌ ଆଇନର ଧାରା ୯ ଅନୁସାରେ ଫୌଜଦାରୀ ଆଇନ ପ୍ରକ୍ରିୟା ଅନୁସରଣ ସୁନିଶ୍ଚିତ କରାଯିବ। ଘଟଣାର ଯଦି କୌଣସି ପୀଡିତ ଅନୁସୂଚିତ ଜାତି ବା ଜନଜାତି ବର୍ଗର ହୋଇଥାନ୍ତି ତେବେ ଏସସି ଆଣ୍ଡ ଏସଟି (ପିଓଏ) ଆକ୍ଟ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ କହିଥିଲେ। ଆମିକସ୍ କ୍ୟୁରୀ ଭାବେ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ଓ ପି.ରଥଙ୍କୁ ହାଇକୋର୍ଟ ନିଯୁକ୍ତି ଦେଇଥିଲେ।

ସମ୍ବନ୍ଧିତ ଖବର