ମାଛ ମାରିବାକୁ ଡାକି ନେଇ ଯୁବକଙ୍କୁ ହତ୍ୟା

ଚୌଦ୍ବାର-ଚାରବାଟିଆ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ରାତି ପ୍ରାୟ ୮ଟା ବେଳେ ଚୌଦ୍ବାର ଥାନା ବରହମପୁର ପଞ୍ଚାୟତର କମଙ୍ଗ ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ବ୍ୟକ୍ତ ଜଣକ ହେଉଛନ୍ତି ଷଣ୍ଢ ପଡ଼ିଆ ମୁଣ୍ଡାସାହିର ବିଭୀଷଣ ସିଂହ(୪୫)। ମୁଣ୍ଡା ସାହିର ତିନି ଜଣ ଯୁବକ ମାଛ ମାରିବା ପାଇଁ ବିଭୀଷଣଙ୍କୁ ଡାକି ନେଇ ନିକଟସ୍ଥ ନନ୍ଦ ଖାଲିଆ ନିକଟରେ ଗୁଳି କରି ଫେରାର୍ ହୋଇଯାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଚୌଦ୍ବାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ମୃତ ବିଭୀଷଣଙ୍କ ସହିତ କୌଣସି କାରଣକୁ ନେଇ ସେହି ସାହିର ତିନି ଯୁବକଙ୍କ ବିବାଦ ଥିଲା। ଆଜି ରାତି ପ୍ରାୟ ୮ଟା ବେଳେ ସେମାନେ ଯୋଜନାବଦ୍ଧ ଭାବେ ମାଛ ମାରିବା ବାହାନରେ ବିଭୀଷଣଙ୍କୁ ଡାକି ନେଇଥିଲେ। ବିଭୀଷଣ ସେମାନଙ୍କ ସହିତ ଯିବା ପରେ ନନ୍ଦ ଖାଲିଆ ନିକଟରେ ପୂର୍ବ ବିବାଦକୁ କେନ୍ଦ୍ର କରି ତିନି ଦୁର୍ବୃତ୍ତଙ୍କ ସହିତ ତାଙ୍କ ଭୀଷଣ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଜଣେ ଦୁର୍ବୃତ୍ତ ପକେଟ୍‌ରେ ଲୁଚାଇ ରଖିଥିବା ବଂଧୁକ ବାହାର କରି ହଠାତ୍‌ ବିଭୀଷଣଙ୍କ କାନ ମୁଣ୍ଡକୁ ଗୁଳି ଚଳାଇଥିଲେ। ବିଭୀଷଣ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଏପଟେ ବିିଭୀଷଣଙ୍କ ମୃତ୍ୟୁ ଘଟିଥିବା ଜାଣିବା ପରେ ତିନି ଦୁର୍ବୃତ୍ତ ଫେରାର ହୋଇ ଯାଇଛନ୍ତି। ଚୌଦ୍ବାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବିଭୀଷଣଙ୍କ ଶବ ଜବତ୍ କରି ବ୍ୟବ‌ଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ୍ ପଠାଇ ଦେଇଛି। ଅନ୍ୟପକ୍ଷରେ ଚୌଦ୍ବାର ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ କହିଛନ୍ତି, ମାଛ ମାରିବାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିିଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ଖୁବ୍‌ଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର