ବାତ୍ୟା ଭୟ: ଫସଲ ଉଜୁଡ଼ିବା ଆଶଙ୍କାରେ ଚାଷୀ

ମାହାଙ୍ଗା:  କଟକ ଜିଲ୍ଲାର ମାହାଙ୍ଗା ବ୍ଲକ୍‌ କୃଷି ପ୍ରଧାନ ଅଞ୍ଚଳ। ଏହି ଅଞ୍ଚଳର ଚାଷୀଙ୍କ ମୁଖ୍ୟ ଫସଲ ଧାନ। ଏ ବର୍ଷ ବ୍ଲକ୍‌ର ୧୧ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ଧାନ ଫସଲ କରାଯାଇଛି। ବର୍ତ୍ତମାନ ଧାନ ଅମଳ ସମୟ। ଧାରକରଜ କରି ଧାନଚାଷ କରିଥିବା ଚାଷୀମାନେ ଏବେ ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’କୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଧାନ ଚାଷ ସହ ମାହାଙ୍ଗା ବ୍ଲକ୍‌ର ଆପିଲୋ, ବାଲିପଡ଼ା, ଡିହଗୋପ, କୁସୁନପୁର, ପାଇକରାପୁର, ଭେଡ଼ା, ମଉଦା, କ୍ଷେତ୍ରପାଳ, ଲାପଟୁଆଁ, ସମସରପୁର, କୋଠପଦା, ବାଜପୁରା, କଲ୍ୟାଣପୁର, ହଂସଦିଆ, ଗୁଣୁପୁର, ଧର୍ମଦାସପୁର, ଜଳେଶ୍ବରପୁର, ନୁର୍ତ୍ତାଙ୍ଗ, ଶ୍ରୀକୃଷ୍ଣପୁର ଆଦି ସ୍ଥାନରେ ବାଇଗଣ, କାକୁଡ଼ି, କୋବି, ଶାଗ, ପିଆଜ, ରସୁଣ, ଆଳୁ, ଲଙ୍କା, ମୂଳା, କଖାରୁ ଆଦି ପନିପରିବା ଚାଷ କରାଯାଇଛି। ବାତ୍ୟା ପ୍ରଭାବରେ ବର୍ଷା ହେଲେ ପରିବା ନଷ୍ଟ ହେବ। ଏହି ଆଶଙ୍କା ନେଇ ଚାଷୀମାନେ ବିବ୍ରତ ହୋଇପଡ଼ିଛନ୍ତି।

କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତି ସହି ଚାଲିଥିବା ଚାଷୀକୁଳ ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ବୋଲି ଚାଷୀ ବିକାଶ ବରାଳ, ଅଜୟ ଭଦ୍ର, ଇନ୍ଦ୍ରମଣି ଲେଙ୍କା, ଶରତ ବେହେରା, ଦୈତାରୀ ବଳ, ସତ୍ୟଜିତ୍‌ କିଶୋର ଦାସ, ରମେଶ କର, ମନ୍ମଥ ପଣ୍ଡା, ଅବିନାଶ ପଣ୍ଡା, ଗୋବିନ୍ଦ ସ୍ବାଇଁ, ରାମଚନ୍ଦ୍ର ଦାସ, ବିଜୟ ପରିଡ଼ା ପ୍ରମୁଖ କୋହଭରା କଣ୍ଠରେ କହିଛନ୍ତି। ଏ ନେଇ ମାହାଙ୍ଗା କୃଷି ଅଧିକାରୀ ସତ୍ୟପ୍ରକାଶ ଦାସଙ୍କୁ ପଚାରିବାରୁ ସମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ କଟା ଯାଇଥିବା ଧାନ ତୁରନ୍ତ ଉଚ୍ଚ ସ୍ଥାନକୁ ନିଆଯିବା ଲାଗି ଡାକବାଜି ଯନ୍ତ୍ରରେ ପରାମର୍ଶ ଦିଆଯାଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର