ଦାରିଙ୍ଗବାଡ଼ିରେ ତୁଷାରପାତ: ସର୍ବନିମ୍ନ ୪ ଡିଗ୍ରି ସହ ଫୁଲବାଣୀ ରାଜ୍ୟର ଥଣ୍ଡା ସହର

ଫୁଲବାଣୀ: ଜାଡ଼ରେ ଥରଥର କମ୍ପୁଛି କନ୍ଧମାଳ। ଓଡ଼ିଶାର କାଶ୍ମୀର କୁହା ଯାଉଥିବା ଦାରିଙ୍ଗବାଡ଼ିରେ ଆଜି ତୁଷାରପାତ ହୋଇଛି। ଏପଟେ ପାରଦ ସର୍ବନିମ୍ନ ୪ ଡିଗ୍ରିକୁ ଖସି ଫୁଲବାଣୀ ସୋମବାର ରାଜ୍ୟର ସବୁଠୁ ଥଣ୍ଡା ଥିଲା। ୪ ବର୍ଷ ପୂର୍ବେ ଆଜି ଦିନରେ ଫୁଲବାଣୀର ତାପମାତ୍ରା ଶୂନକୁ ଖସିଥିଲା। ଏହା ପରଠୁ ତାପମାତ୍ରା ୫ ଡିଗ୍ରିରୁ ତଳକୁ ଖସି ନଥିଲା। ରବିବାର ୫.୫ ଡିଗ୍ରି ଥିବା ବେଳେ ଆଜି ଫୁଲବାଣୀ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରିରେ ପହଞ୍ଚିଛି। ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଫୁଲବାଣୀର ତାପାମାତ୍ରା ଆହୁରି ୧ରୁ ୨କୁ ଡିଗ୍ରିକୁ ଖସିବା ଆଶା କରାଯାଉଛି।

ଦାରିଙ୍ଗବାଡ଼ିର ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। ପର୍ଯ୍ୟଟକମାନେ ଶୀତରୁ ମଜା ନେବା ସହ ବିଛେଇ ହୋଇ ପଡ଼ିଥିବା ତୁଷାର ଦେଖି ବେଶ୍‌ ଖୁସି ହୋଇଛନ୍ତି। କିଛି ଦିନ ହେଲା ଶୀତ ଓ ତୁଷାରପାତ ଯୋଗୁଁ କନ୍ଧମାଳକୁ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ ହୋଇ ଯାଇଛି। ଆଜି ଶୀତ ପାଇଁ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ଶୂନ୍‌ଶାନ୍‌ ଥିବା ବେଳେ ଯାନବାହନ ଚଳାଚଳ ଏକରକମ ବନ୍ଦ ରହିଥିଲା। ଦାରିଙ୍ଗବାଡ଼ି ତୁଳନାରେ ଫୁଲବାଣୀରେ ଶୀତର ମାତ୍ରା ଅଧିକ ରହୁଛି। ଏମିତିକି ପାଣିରେ ହାତ ମାରି ହେଉ ନାହିଁ। ସେହିପରି ଘୁ.ଉଦୟଗିରି ଅଂଚଳରେ ସର୍ବନିମ୍ନ ତାପମାତ୍ର ୬ ଡିଗ୍ରି ତଳେ ରହିଛି। ଶୀତ ପ୍ରକୋପ ଯୋଗୁଁ ସହର ସନ୍ଧ୍ୟା ହେଲେ ଜନଶୂନ୍ୟ ହୋଇପଡୁଛି।

ସୋମବାର ଭୋର୍‌ରୁ ଘୁ.ଉଦୟଗିରି ଏବଂ ଆଭ୍ୟନ୍ତରୀଣ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନ ବିଶେଷ କରି ବିଲମାଳ, ଖେଳପଡ଼ିଆ, ଜଙ୍ଗଲ ଓ ପାହାଡ଼ ପର୍ବତରେ ତୁଷାରପାତ ଦୃଶ୍ୟ ଦେଖି ଅଂଚଳବାସୀ ବେଶ୍‌ ମଜା ଉଠାଇଥିଲେ। ସକାଳ ୧୦ଟା ପର୍ଯ୍ୟନ୍ତ ସ୍ନାନ କରିବା ସମ୍ଭବ ହେଉ ନାହିଁ। ଥଣ୍ଡା ପାଣିକୁ ଉଷୁମ କରିବାକୁ ପଡୁଛି। ପ୍ରବଳ ଶୀତ ସତ୍ତ୍ବେ ଅଧିକାଂଶ ପ୍ରାତଃଭ୍ରମଣ ଓ ବ୍ୟାୟାମ କରୁଛନ୍ତି। ଗାଁରୁ ସହର ସବୁଠି କାଠ ଜାଳି ନିଆଁ ପୁହିଁ ହେଉଥିବା ଦେଖିବାକୁ ମିଳୁଛି। ଆଉ ଶୀତ ବଢ଼ିଥିବାରୁ ଚା’ ଓ କଫି ଦୋକାନରେ ଭିଡ଼ ଜମିବାରେ ଲାଗିଛି। ଶୀତ ପାଇଁ ଅନ୍ୟ ଦେଶରେ କରୋନାର ଦ୍ବିତୀୟ ଲହରି ‌ଦେଖିବାକୁ ମିଳିଛି। ଏହାକୁ ନେଇ କନ୍ଧମାଳବାସୀଙ୍କ ଚିନ୍ତା ବଢ଼ିଛି ସତ, ହେଲେ ପୂର୍ବ ଅପେକ୍ଷା ଅଧିକ ସତର୍କ ଓ ସଚେତନ ଅଛନ୍ତି। ତା’ସତ୍ତ୍ବେ ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର