ଟ୍ରେନରୁ ଦାଦନଙ୍କ ମୃତଦେହ ଉଦ୍ଧାର

ପାତ୍ରପୁର: ଜରଡ଼ା ଥାନା ସାରଥିଚରଣପୁର ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତ ଦେହ ଟ୍ରେନ୍‌ରୁ ଉଦ୍ଧାର ହୋଇଛି। ମୃତକ ଜଣକ ବାଗାତି କୈଳାସ ବୋଲି ଜଣାପଡ଼ିଛି। ବୁଧବାର କୈଳାସ ବ୍ରହ୍ମପୁର ଷ୍ଟେସନରୁ ଚେନ୍ନାଇ ଅଭିମୁଖେ ଟ୍ରେନ୍‌ରେ ଯାତ୍ରା କରିଥିଲେ। ଟ୍ରେନ୍‌ରେ କୈଳାସ ଇଅର ଫୋନ ଯୋଗେ ଗୀତ ଶୁଣି ଶୋଇ ଯାଇଥିଲେ। ଏହି ସମୟରେ ଟିଟିଆଇ ଆସି ଟିକେଟ ମାଗିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଉ ନଥିଲେ । ପରେ ଟିଟିଆଇ ଓ ପାଖରେ ବସିଥିବା ଲୋକେ ଆସି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ହେଲେ କୈଳାସ ଆଉ ଉଠି ନଥିଲେ। ପରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା l ହେଲେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ପୁଲିସ କୈଳାସଙ୍କ ଶବକୁ ଚେନ୍ନାଇ ଷ୍ଟେସନରେ ଓହ୍ଲାଇ ତାଙ୍କ ପରିବାରଙ୍କୁ ଖବର ଦେଇଥିଲା l କୈଳାସ ଦାଦନ ଶ୍ରମିକ ଭାବେ ଚେନ୍ନାଇର ଏକ କମ୍ପାନିରେ କାମ କରୁଥିବା ବେଳେ ଛୁଟିରେ ଗତ ୧୫ ଦିନ ତଳେ ଘରକୁ ଆସି ଛୁଟି ସରିବା ପରେ ଚେନ୍ନାଇ ଯାଉଥିଲେ l ମୃତ କୈଳାସଙ୍କ ପୁଅ ଚେନ୍ନାଇରେ ରହି ପାଠ ପଢ଼ୁଥିବା ବେଳେ ପତ୍ନୀ ବ୍ରହ୍ମପୁର ରହୁଥିଲେ। ଖବର ପାଇ ସପରିବାର ଚେନ୍ନାଇ ଯାଇଥିବା ବେଳେ କୈଳାସଙ୍କ ଆକସ୍ମିକ ମୃତ୍ୟୁ ପାଇଁ ସାରଥିଚରଣପୁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି l ଅନ୍ୟ ପଟେ ଶବ ବ୍ୟବଛେଦ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିବା ସହ ବ୍ୟବଚ୍ଛେଦ ପରେ ଗ୍ରାମକୁ ଶବ ଅଣାଯିବ ବୋଲି ଜଣାପଡ଼ିଛି l ମୃତକ ପରିବାରଙ୍କୁ ସରକାରୀ ସହାୟତା ଦାବି ହୋଇଛି ।

ସମ୍ବନ୍ଧିତ ଖବର