କାଜୁ ବାଡ଼ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚିକିଲି ଗ୍ରାମ ନିକଟ ଏକ କାଜୁ ବାଡ଼ ମଧ୍ୟରୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଡାବୁଗାଁ ଥାନା ଅନ୍ତର୍ଗତ ପୁଜାରିଗୁଡ଼ା ଗ୍ରାମର ମହେଶ୍ବର ମାଝୀ (୩୭) ବୋଲି ଜଣାପଡିଛି। ଏ ନେଇ ମୃତ ମହେଶ୍ୱରର ଭାଇ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି।

ସୂଚନା ଅନୁଯାୟୀ ପୂଜାରୀଗୁଡ଼ା ଗ୍ରାମର ମହେଶ୍ବର ଗତକାଲି ସକାଳେ ନିକଟ ଚେରଚେଟିଆ ଗୁଡ଼ା ଗ୍ରାମରୁ ମକା ବିହନ ଆଣିବାକୁ ଯିବି କହି ଘରୁ ବାହାରି ଥିଲା। ସେ ରାତ୍ର ଘରକୁ ଫେରି ନ ଥିଲା। ଆଜି ସକାଳ ସମୟରେ ନିକଟ ଚିକିଲି ଗ୍ରାମ ପାଖ ଏକ କାଜୁ ବାଡ଼ ମଧ୍ୟରେ ମହେଶ୍ୱର ନିଜ ପିନ୍ଧିଥିବା ଲୁଙ୍ଗିରେ କାଜୁ ଗଛରେ ଫାଶୀ ହୋଇଥିବା ଗ୍ରାମ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ମୃତ ମହେଶ୍ୱର ମାଝୀର ଭାଇ ଲକି ମାଝୀ ଡାବୁଗାଁ ଥାନାରେ ଆଜି ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି। ପୁଲିସ ଏସ୍ ଆଇ ଅରୁଣ ପଟ୍ଟନାୟକ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର