ଦିନ ମଜୁରିଆଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଦ୍ଧା : ଆଜି ସକାଳେ ସଦର ଥାନା ଅନ୍ତର୍ଗତ ବାଘ ଟାଙ୍ଗି- ତାପଙ୍ଗ ଛକ ନିକଟରୁ ଜଣେ ଦିନମଜୁରିଆଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତବ୍ୟକ୍ତିଙ୍କ ଶରୀରରେ ଆଘାତ ଚିହ୍ନ ଓ ବେକରେ ଧାରୁଆ ଅସ୍ତ୍ରାଘାତ ରହିଥିବାରୁ କେହି ହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇଛି ।
ଆଜି ସକାଳ ୧୧ଟାରେ ଖୋର୍ଦ୍ଧା ସଦର ଥାନା ପୁଲିସକୁ ସୂଚନା ମିଳିଥିଲା ଯେ ବାଘ ଟାଙ୍ଗିର ଜଣେ ଦିନ ମଜୁରିଆଙ୍କୁ କେହି ହତ୍ୟା କରିଛି । ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ତାଙ୍କ ଘର ଠାରୁ ମାତ୍ର ୮-୧୦ ମିଟର ଦୂରରେ ପଡ଼ିଥିବା ଦେଖିଥିଲେ । ପ୍ରାଥମିକ ଅନୁସନ୍ଧାନରେ, ମୃତ ବ୍ୟକ୍ତିଙ୍କ ନାମ ରାଉଳ ନାୟକ ବୋଲି ଜଣାପଡ଼ିଛି । ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତର ଚିହ୍ନ ଥିବା ବେଳେ ବେକରେଗଭୀର କ୍ଷତ ରହିଥିଲା । ଏହାପରେ ଏସ୍ଡିପିଓଙ୍କ ସମେତ ଫରେନ୍ସିକ ଟିମ୍ ଓ ସନ୍ଧାନୀ କୁକୁରକୁ ଆଣି ଘଟଣାସ୍ଥଳର ଛାନଭିନ୍ କରାଯାଇଥିଲା ।

ସୂଚନାରୁ ଜଣାଯାଇଛି ଯେ ରାଉଳ ନାୟକଙ୍କ ଘର କୋରାପୁଟ । ଅନେକ ଦିନ ପୂର୍ବେ ଖୋର୍ଦ୍ଧା ଆସି ବାଘଟାଙ୍ଗି ଆଦିବାସୀ ସାହିରେ ରହୁଥିଲେ । ସେ ତାପଙ୍ଗଠାରେ ପଥର ଭାଙ୍ଗିବା କାମରେ ମଜୁରିଆ ଭାବେ କାମ କରୁଥିଲେ । ତାଙ୍କର ଦୁଇଟି ସ୍ତ୍ରୀ । ପ୍ରଥମ ପତ୍ନୀଙ୍କ ମୃତ୍ୟୁ ଘଟିଛି । ଦ୍ୱିତୀୟ ପତ୍ନୀ ଗାଁ ମଧ୍ୟରେ ରହନ୍ତି । ପ୍ରଥମପତ୍ନୀଙ୍କ ଠାରୁ ଗୋଟିଏ ପୁଅ ରହିଥିବା ବେଳେ ଦ୍ୱିତୀୟ ପତ୍ନୀଙ୍କ ଠାରୁ ୩ଟି ସନ୍ତାନ ରହିଛି । ସେ ନିଜେ ମଧ୍ୟ ନିଶାଖୋର ଓ ପରିବାର ସହ ନରହି ଅଲଗା ରହନ୍ତି ।

ଏନେଇ ଏସ୍ଡିପିଓ ସୁଶୀଲ ମିଶ୍ର କହିଛନ୍ତି ଯେ ଶବର ସ୍ଥିତି ଓ ଫରେନ୍ସିକ୍ ଯାଂଚରୁ ସନେ୍ଦହ କରାଯାଉଛି ଯେ ଗତକାଲି ରାତିରେ ସେ ଓ ଅନ୍ୟ କିଛି ବ୍ୟକ୍ତି ମିଶି ନିଶା ଖାଇଛନ୍ତି । ମଦନିଶାରେ ଗଣ୍ଡଗୋଳ ଘଟିଛି ଏବଂ ଏଥିରେ ରାଉଳକୁ ହତ୍ୟା କରାଯାଇଛି । ତେବେ ଅନୁସନ୍ଧାନ ଚାଲିଥିବାରୁ ଏନେଇ ସ୍ପଷ୍ଟ କିଛି କୁହାଯାଇପାରିବ ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

ସମ୍ବନ୍ଧିତ ଖବର