ଖପ୍ରାଖୋଲ ଅଞ୍ଚଳର ୨ଟି ସ୍ଥାନରେ ମାଓ ପୋଷ୍ଟର, ବିଧାୟକଙ୍କ ବ୍ଲକ୍‌ ପ୍ରତିନିଧିଙ୍କୁ ହତ୍ୟା ଧମକ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ର ଦୁଇଟି ସ୍ଥାନରୁ ଗୁରୁବାର ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା। ଗୋଟିଏ ପୋଷ୍ଟର ଘୁନସର ମିଲ୍‌ ନିକଟ ରାଜେନ୍ଦ୍ର ନଗରର ଆର୍‌ବିଏସ୍‌ଏସ୍‌ ଉଚ୍ଚମାଧ୍ୟମିକ ଆବାସିକ ସ୍କୁଲର ସାଇନବୋର୍ଡରେ ଲାଗିଥିଲା ଏବଂ ଅନ୍ୟଟି କୁରୁଲୁମାଲରୁ ଝାଙ୍କରିପାଲି ମଧ୍ୟରେ ଲାଗିଥିବା ଜଣାପଡ଼ିଛି। ଲାଲ ରଙ୍ଗର ସ୍ୟାହିରେ ଲେଖାଥିବା ଉକ୍ତ ପୋଷ୍ଟର ଉପରେ ଲାଲ ସଲାମ ଉଲ୍ଲେଖ ରହିଛି।

ସେହିପରି ଉକ୍ତ ପୋଷ୍ଟରରେ ପୁଲିସ ହେପାଜତରେ ଥିବା ଆଇତୁ ସେମାନଙ୍କ ଲୋକ ନୁହେଁ ବୋଲି ଦର୍ଶାଯାଇଛି। ପୁଣି ପାଟଣାଗଡ଼ ବିଧାୟକଙ୍କ ବ୍ଲକ୍‌ ପ୍ରତିନିଧି ପଞ୍ଚୁଦେବ ସାହୁ ଲୋକଙ୍କୁ ବିଧାୟକଙ୍କ ନାମରେ ଧମକ ‌ଚମକ ଦେଇ ଗରିବ ଲୋକ ଓ ନାରୀମାନଙ୍କୁ ଶୋଷଣ କରୁଥିବା ବେଳେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବାରୁ ପ୍ରଜାକୋର୍ଟରେ ତାଙ୍କୁ ୯୦ ଦିନ ଭିତରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି। ପୋଷ୍ଟର ତଳେ ବଲାଙ୍ଗୀର- ବରଗଡ଼ ମାଓବାଦୀ ସଙ୍ଗଠନ ବୋଲି ଲେଖାଯାଇଛି। ସୂଚନା ପାଇ ପୁଲିସ ପୋଷ୍ଟର ଦ୍ବୟକୁ ଜବତ କରି ନେଇଛି।

ଏଠାରେ ପ୍ରକାଶଥାଉ କି, କିଛିଦିନ ପୂର୍ବରୁ ବଲାଙ୍ଗୀରଠାରେ ଜଣେ ହାଡ୍‌କୋର୍‌ ମାଓମାବୀ ଆତ୍ମସମର୍ପଣ କରିଥିବା ନେଇ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା। ବୁଧବାର ମାଓବାଦୀମାନଙ୍କ ସହ ସଂପର୍କ ରଖି ସେମାନଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ‌ଲାଠୋର ଥାନା ଝାଲବାହାଲ ଗ୍ରାମର ଦୁର୍ଯ୍ୟୋଧନ ବରିହାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ସମ୍ପର୍କରେ ଖପ୍ରାଖୋଲ ଥାନାଧିକାରୀ ଉମାକାନ୍ତ ସାହୁଙ୍କୁ ପଚାରିବାରୁ ସେ ଏହା ମାଓପୋଷ୍ଟର ନୁହେଁ, ଏହା ଏକ ନକଲି ପୋଷ୍ଟର ବୋଲି କହିଥିଲେ

ସମ୍ବନ୍ଧିତ ଖବର