ମୟୁରଭଞ୍ଜରେ କରୋନାର ସଫଳ ମୁକାବିଲା ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର, ଡାକ୍ତର ସମସ୍ୟା ଦୂର କରିବାକୁ ଦାବି

ବାରିପଦା : ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ଆଜି ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି କୋଭିଡର ଦ୍ୱିତୀୟ ଲହରର ସଫଳ ମୁକାବିଲା ନେଇ ଆଲୋଚନା କରିଥିଲେ। ବିଭିନ୍ନ ସମସ୍ୟାକୁ ନେଇ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ। ଆବଶ୍ୟକ ଭିତ୍ତିଭୂମି ରହିଥିଲେ ହେଁ ଜିଲାରେ ମୋଟ ୫୪୯ଜଣ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୧୯୦ ଜଣ ଡାକ୍ତର ଅଛନ୍ତି । ଆହୁରି ୩୫୯ ଡାକ୍ତର ପଦବୀ ଖାଲି ପଡିଛି। ଏପରି ସ୍ଥଳେ ୩ଜଣ ଡାକ୍ତରଙ୍କୁ ଡେପୁଟେସନରେ ଅନ୍ୟ ଜିଲ୍ଲାକୁ ପଠାଯିବାକୁ ନେଇ ବିଜେପି ପକ୍ଷରୁ

ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ଖାଲିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ ନେଇ ଦାବି କରିଥିଲା ଦଳ। ରାଜ୍ୟ ସରକାରଙ୍କର ଜିଲ୍ଲାପ୍ରତି ଏପରି ବୈମାତୃକ ମନୋଭାବ ବିରୋଧ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲା। ପିଆରଏମ ହସ୍‌ପିଟାଲରେ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ସହିତ ତିନି ଶହ ଶଯ୍ୟା ବିଶିଷ୍ଟ ଭେଣ୍ଟିଲେଟର, ଅକ୍ସିଜେନ, ଆଇସିୟୁର ସମ୍ପୁର୍ଣ୍ଣ ବ୍ୟବସ୍ଥା କରାଯିବା ସହିତ କରୋନା ପୀଡ଼ିତଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଦାବି କରାଯାଇଛି । ଜିଲ୍ଲାରେ କରୋନାର ପ୍ରଥମ ଲହର ସମୟରେ ଖୋଲାଯାଇଥିବା ସମସ୍ତ ଟିଏମ୍‌ସିକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ଦାବି କରିଛି ଦଳ। ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କୁ ଘରେ ରଖାନଯାଇ ସେଠାରେ ରଖାଯାଉ ବୋଲି ଦଳ କହିଛି। ଏହି ମହାମାରୀ କାଳରେ ଗରିବ ଲୋକଙ୍କ ନିମନ୍ତେ ଆସୁଥିବା ଅର୍ଥକୁ ଉଚିତ୍‌ ମାର୍ଗରେ ଖର୍ଚ୍ଚ କରାଯିବା, ପରୀକ୍ଷାଗାର କେନ୍ଦ୍ର ବଢ଼େଇବା ସଙ୍ଗେସଙ୍ଗେ ଟେଷ୍ଟିଂ ଷ୍ଟିକ ଏବଂ ଟିକାଦାନ କେନ୍ଦ୍ର ବଢାଇବା, କରୋନା ପୀଡିତ ରୋଗୀଙ୍କୁ ନେବା ଆଣିବା କରିବା ପାଇଁ ସର୍ବାଧିକ ଆମ୍ବୁଲାନ୍ସ ମହଜୁଦ ରଖିବା ସାଙ୍ଗକୁ ଅକ୍ସିଜେନ, ଭେଣ୍ଟିଲେଟର ସେଟଅପର ବ୍ୟବସ୍ଥା କରାଯାଉ । ଟିକାକରଣ ବେଳେ କେନ୍ଦ୍ରଗୁଡ଼ିକରେ ପିଇବା ପାଣି ସହିତ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବାକୁ ଦଳ ଦାବି କରିଛି। ମୟୂରଭଞ୍ଜ ପୂର୍ବ ସାଙ୍ଗଠନିକ ଜିଲା ସଭାପତି କାନ୍ଦ୍ରା ସୋରେନଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ମୟୂରଭଞ୍ଜ ପଶ୍ଚିମ ସାଙ୍ଗଠନିକ ଜିଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ବୁଢାନ ମୁର୍ମୁ, ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ନବୀନ ରାମ, ସଞ୍ଜିବ ମହାନ୍ତି, ନିହାର ରଂଜନ ମୋଦି, ସାଂସଦ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, ପ୍ରବୀଣ କୁମାର ପାତ୍ର ପ୍ରମୁଖ ସାମିଲ ଥିଲେ ।

ସମ୍ବନ୍ଧିତ ଖବର