ଦୁଇ ଦିନିଆ ଗସ୍ତରେ ସ୍ୱାଭିମାନ ଅଞ୍ଚଳ ବୁଲିଲେ ଡିଜିପି ଅଭୟ, ମାଓ ଦମନ ନେଇ ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା

ମାଲକାନଗିରି: ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ କୁମାର ଆଜି ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ସ୍ୱାଭିମାନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଦୁଇ ଦିନିଆ ଗସ୍ତରେ ସେ ପାପଲମେଟଲା ଥାନାକୁ ଅପରାହ୍ନ ୨ଟାରେ ହେଲିକପ୍ଟର ଯୋଗେ ପହଞ୍ଚି ଥିଲେ। ସେଠାରେ ସେ ଥାନା ଅଧିକାରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସ୍ୱାଭିମାନ ଅଞ୍ଚଳରେ କିଭଳି ମାଓ ଦମନ ହୋଇପାରିବ ଓ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟକୁ କିଭଳି ତ୍ୱରାନ୍ଵିତ କରାଯାଇ ପାରିବ ସେ ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଡିଜି ମାଓ ଦମନ ରଣନୀତି ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ପୁଲିସର କିଭଳି ସମନ୍ଵୟ ରହିବ ସେଥିପାଇଁ ବିଏସ୍‌ଏଫ ଡିଆଇଜିଙ୍କ ସହ ଆଲୋଚନା କରିଥିଲେ।

ଡିଜି ଶ୍ରୀ ଅଭୟ ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ ବୁଲି ଦେଖିବା ସହ ତାର ସୁରକ୍ଷା ନେଇ ଅନୁଧ୍ୟାନ କରିଥିଲେ। ଏହା ପରେ ସେ ବଡ଼ପଦର ବିଏସ୍‌ଏଫ କ୍ୟାମ୍ପ ବୁଲି ଦେଖିଥିଲେ। ସେହିପରି ସେ ମାଲକାନଗିରିରେ ମଧ୍ୟ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏତଦ୍‌ ବ୍ୟତୀତ ଡିଜି ଶ୍ରୀ ଅଭୟ ଜାନବାଇ, ଯନ୍ତାପାଇ ଆଦି ଅଞ୍ଚଳ ବୁଲିଥିଲେ।

ସୂଚନାଯୋଗ୍ୟ, ଡିଜି ଭାବେ ପଦଭାର ଗ୍ରହଣ କରିବା ପରେ ଅଭୟ କୁମାରଙ୍କ ଏହା ଥିଲା ତାଙ୍କର ପ୍ରଥମ ଗସ୍ତ। ଡିଜିଙ୍କ ଏହି ଗସ୍ତରେ ଆଡିସନାଲ ଡିଜି ସତ୍ୟଜିତ, ଆଡିସନାଲ ଡିଜି (ମୁଖ୍ୟାଳୟ) ବିନୟ ତୋଷ ମିଶ୍ର, ଇଣ୍ଟଲେଜିଏନ୍ସ ଡାଇରେକ୍ଟର (ସ୍ପେଶାଲ) ରାଧାକୃଷ୍ଣ ଶର୍ମା, ଆଇଜି ରେଖା ଲୋହାନି, ଆଇଜି (ଅପରେସନ) ଅମିତାଭ ଠାକୂର ଏବଂ ଡିଆଇଜି (ଏସଆଇଡବ୍ଲୁ) ଅନିରୁଦ୍ଧ ସିଂ ଉପସ୍ଥିତ ଅଛନ୍ତି। ଆଜି ବିଭିନ୍ନ ଅଞ୍ଚଳ ବୁଲିବା ପରେ ସେ ମାଲକାନଗିରିରେ ଟିମ ସହ ରାତ୍ରିଯାପନ କରିବେ।

ସମ୍ବନ୍ଧିତ ଖବର