ହୋଲିରେ ଦିଲୀପଙ୍କ ଶକ୍ତି ପ୍ରଦର୍ଶନ: କହିଲେ ଜଣେ ଭଲଲୋକ ରାଉରକେଲାକୁ ପ୍ରତିନିଧିତ୍ବ କରନ୍ତୁ

ରାଉରକେଲା: ପୂର୍ବବର୍ଷ ଭଳି ଏଥର ବି ରାଉରକେଲାରେ ହୋଲି ପାଳନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ। ତେବେ ଏଥର ଉତ୍ସବ ଭିନ୍ନ ବାର୍ତ୍ତା ଦେଇଛି। ଆଉ କିଛି ଦିନ ପରେ ନିର୍ବାଚନ ଥିବାରୁ ଏଥରର ହୋଲି ଗୁରୁତ୍ବପୂର୍ଣ୍ଣ ଥିଲା। ଏଥର ହଜାରେରୁ ଅଧିକ ସମର୍ଥକଙ୍କ ସମେତ ବିଭିନ୍ନ ଦଳର ନେତାଙ୍କ ଭିଡ଼ ଜମିଥିଲା ଶ୍ରୀ ରାୟଙ୍କ ଘରେ। ଯାହାକି ଦିଲୀପଙ୍କ ଲୋକପ୍ରିୟତାକୁ ପୁଣିଥରେ ପ୍ରମାଣିତ କରିଥିଲା। ରାଜନୈତିକ ବିଶେଷଜ୍ଞ ଏହି ଉତ୍ସବକୁ ଦିଲୀପଙ୍କ ଶକ୍ତି ପ୍ରଦର୍ଶନବୋଲି ଅଭିହିତ କରିଛନ୍ତି।
ଗତ କିଛିମାସ ହେଲା ଦିଲୀପ ନିୟମିତ ବ୍ୟବଧାନରେ ରାଉରକେଲା ଗସ୍ତରେ ଆସୁଛନ୍ତି। ଯଦିଓ ପୂର୍ବରୁ ବି ଆସୁଥିଲେ, କିନ୍ତୁ ଏବେ ଏହା ବଢ଼ିଛି। ଗତ ତିନିଦିନ ହେଲା ଦିଲୀପ ରାଉରକେଲାରେ ଥିବାବେବେଳ ବିଭିନ୍ନ ରାଜନୈତିକ ଦଳର ନେତା, ଟିକଟ ଆଶାୟୀ ତାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସେମାନେ ଗୋଟିଏ ପ୍ରକାର ଦିଲୀପଙ୍କ ସମର୍ଥନ ଭିକ୍ଷା କରିଥିଲେ। ଏହିକ୍ରମ ହୋଲି ପାଳନବେଳେ ବି ଦେଖିବାକୁ ମିଳିଥିଲା। ଦିଲୀପଙ୍କ ବାସଭବନ ‘କଲ୍ୟାଣୀ’ରେ ଅନୁଷ୍ଠିତ ଉତ୍ସବରେ ବିଭିନ୍ନ ଦଳର ଟିକଟ ଆଶାୟୀ, ଯଥା-ନିହାର ରାୟ, ଧୀରେନ ସେନାପତି, ଦୁର୍ଗା ତନ୍ତୀ ପ୍ରମୁଖଙ୍କ ସମେତ ଉଭୟ ରାଉରକେଲା ଓ ରଘୁନାଥପାଲି ନିର୍ବାଚନମଣ୍ଡଳୀର ତିନି ପ୍ରମୁଖ ଦଳର ନେତା, କର୍ମୀ ଯୋଗଦେଇଥିଲେ। ହୋଲି ପୂର୍ବଦିନ ଟିକଟ ଆଶାୟୀ ପ୍ରଫୁଲ୍ଲ ସୁନ୍ୟାନୀ ଓ ଅନ୍ୟ କିଛି ଆଶାୟୀ ରୁଦ୍ଧଦ୍ବାର ଆଲୋଚନା କରିଥିଲେ। ଏମାନଙ୍କ ବ୍ୟତୀତ ଉତ୍ସବରେ ବିଭିନ୍ନ ଶ୍ରମିକ ସଂଗଠନର ନେତା, ପ୍ରତିଷ୍ଠିତ ବ୍ୟବସାୟୀ, ଶିଳ୍ପପତି, ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ପ୍ରତିନିଧି ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ମାସରେ ଦିଲୀପଙ୍କ ମା’ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଜିଲ୍ଲାର ପ୍ରାୟ ସବୁ ଦଳର ନେତା ଯୋଗଦେଇଥିଲେ। ହୋଲି ଉତ୍ସବରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥିରୁ ଆଗାମୀ ନିର୍ବାଚନରେ ଯେ ଦିଲୀପ ପୁନର୍ବାର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ତାହା ପ୍ରମାଣିତ ହୋଇଛି। ଏଥିରେ ଦ୍ବିମତ ନାହିଁ ଯେ, ଉଭୟ ରାଉରକେଲା ଓ ରଘୁନାଥପାଲି ନିର୍ବାଚନମଣ୍ଡଳୀରେ ଦିଲୀପଙ୍କ ବେଶ୍‌ ପ୍ରଭାବ ରହିଛି। ସେ ଯାହାକୁ ସମର୍ଥନ ଦେବେ, ସଂପୃକ୍ତ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଅଧିକ ରହିଥାଏ। ଗତ ୨୦୧୯ ନିର୍ବାଚନରେ ତାହା ହିଁ ଦେଖିବାକୁ ମିଳିଥିଲା। ହୋଲି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଦିଲୀପ କହିଥିଲେ, ମୁଁ ଯେଉଁଠାରେ ବି ଥାଏ ହୋଲି ଖେଳିବାକୁ ରାଉରକେଲା ଆସେ। ସବୁଥର ନିର୍ବାଚନ ପୂର୍ବରୁ ହିଁ ହୋଲି ଖେଳ ଅନୁଷ୍ଠିତ ହୋଇଥାଏ। ଅବଶ୍ୟ ଏଥର ନିର୍ବାଚନ ଅତିପାଖରେ ଥିବାରୁ ଭିନ୍ନ ମାହୋଲ ଅଛି। ରାଉରକେଲାକୁ ଜଣେ ଭଲଲୋକ ପ୍ରତିନିଧିତ୍ବ କରନ୍ତୁ। ଯିଏ ଲୋକଙ୍କ ସାଙ୍ଗରେ ମିଳିମିଶି ରହିବେ, ଭଲ ବ୍ୟବହାର କରିବେ ସେଭଳି ବ୍ୟକ୍ତି ବିଧାୟକ, ସାଂସଦ ହୁଅନ୍ତୁ। ସହରର ସାମଗ୍ରିକ ବିକାଶ ହେଉ। ବହୁତ କାମ ହୋଇଛି, ଆହୁରି ବହୁତ କିଛି ବାକି ଅଛି ବୋଲି ଦିଲୀପ କହିଥିଲେ।

ସମ୍ବନ୍ଧିତ ଖବର