ଅବ୍ୟବସ୍ଥାରେ ଜିଲ୍ଲା କୃଷି ମହୋତ୍ସବ; ଚାଷୀ ଆସିଲେ ଭର୍ଚୁ‌ଆଲ ମାଧ୍ୟମରେ ଗପ ଶୁଣିଲେ, ଖାଇ ଚାଲିଗଲେ

କୃଷି ମହୋତ୍ସବ ନାମରେ କେବଳ ଟଂକା ଖର୍ଚ୍ଚ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚାଲିଥିବା ଜଲ୍ଲା କୃଷି ମହୋତ୍ସବ କେବଳ ନାମକୁ ମାତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲା କୃଷି ବିଭାଗ ତରଫରୁ ଏହି ଆୟୋଜନ କରାଯାଇଛି। ପ୍ରତି ବର୍ଷ ଭୁବନେଶ୍ବର ଠାରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଅନୁଷ୍ଠିତ ହୋଇଥାଏ। କରୋନାକୁ ଆଖିଆଗରେ ରଖି ବିଭାଗ ତରଫରୁ ଏହାକୁ ଜିଲ୍ଲାସ୍ତରରେ ଆୟୋଜନ କରିବା ନେଇ ନିର୍ଦେଶ ଦିଆଯାଇଥିଲା। ଜିଲ୍ଲା କୃଷି ଉପନିର୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ କୃଷି ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଛି।

ତେବେ ଏଥିରେ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ କରାଯାଇଥିବା ମହୋତ୍ସବ ପାଣିରେ ପଡିଲା ଭଳି ମନେ ହୁଏ। ପ୍ରତିଦିନ ଶହେ ଚାଷୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଭୁବନେଶ୍ବରରୁ ହେଉଥିବା ଭର୍ଚୁ‌ଆଲ ମିଟରେ ଚାଷି ଶୁଣି ନିଜର ଚାଷ ପ୍ରଣାଳୀରେ ସେମାନେ ଏହି ତାଲିମକୁ ପ୍ରୟୋଗ କରିବେ ବୋଲି କୁହାଯାଇଛି। କିନ୍ତୁ ଭିରଚୁଆଲ ମାଧ୍ୟମରେ ହେଉଥିବା ଏହି କାର୍ଯ୍ୟକ୍ରମ ମାଲକାନଗିରି ଜିଲ୍ଲାର ଆଦିବାସୀ ଚାଷୀ ଭାଇଭଉଣୀଙ୍କ ପାଇଁ କାଲା ଆଗରେ ଗପ ଶୁଣାଇଲା ଭଳି ସଦୃଶ୍ୟ ହୋଇଛି। କାଁଭାଁ ଚାଷୀ ହିଁ ଭର୍ଚୁ‌ଆଲ ବୈଠକରେ ଉପସ୍ଥିତ ରହିବା ସହ ବିଶେଷଜ୍ଞମାନେ ଯାହା କହୁଛନ୍ତି ତାହାକୁ ବୁଝିନପାରି ଢଳାଉଥିବା ଦେଖିବାକୁ ମିଳିଛି। ସମୟ ହେଲା ପରେ ସେମାନେ ଯାହା ବିଭାଗ ତରଫରୁ ରନ୍ଧାଯାଇଛି ତାକୁ ଖାଇ ଦେଇ ଘରକୁ ଚାଲିଯାଉଛନ୍ତି। କେବଳ ନାମକୁ ମାତ୍ର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Sambad

ଏଥିରେ ଲକ୍ଷାଧିକ ଟଂକା ବିନିଯୋଗ ହେଉଥିବା ବେଳେ ଏହା ପାଣିରେ ପଡିଥିବା ଆଲୋଚନା ଜୋର ଧରିଛି। ଏପରିକି ଏହି କାର୍ଯ୍ୟକ୍ରମକୁ ଆସିଥିବା ବରିଷ୍ଠ ଚାଷୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ଆରମ୍ଭ ଦିନ ସକାଳେ ନକରି ସଂଧ୍ୟାରେ କରାଯାଇଥିଲା ବୋଲି କହିବା ସହ ଯେଉଁ ଚାଷୀମାନେ ଏଠାକୁ ଆସି କିଛି ଜ୍ଞାନ ଆରୋହଣ କରିବେ ବୋଲି ଭାବିଥିଲେ ତାହା ଫଳଶୂନ୍ୟ ହୋଇଥିବା କହିଥିଲେ।

ବିଭାଗୀୟ ଅଧିକାରୀମାନେ ମାସମାସ ଧରି ସଦୃଶ୍ୟ ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠିତ କରୁଛନ୍ତି ବୋଲି ସେ କହିଥିଲେ। ଏନେଇ ଜିଲ୍ଲା କୃଷି ଉପନିର୍ଦେଶକଙ୍କୁ ପଚାରିବାରୁ ପ୍ରତିଦିନ ଶହେରୁ ଉର୍ଦ୍ଧ୍ବ ଚାଷୀ ଆସି ଭିର୍ଚୁ‌ଆଲ ମିଟରେ ଯୋଗ ଦେଉଥିବା କହିଥିଲେ। ସବୁ ଠିକଠାକ ଚାଲିଥିବା କହିଥିଲେ। କିନ୍ତୁ ଜିଲ୍ଲାର ଜଣେ ବି ଚାଷୀ ଏହି ମହୋତ୍ସବର ଲାଭ ପାଇପାରୁନଥିବା ଜଣାପଡିଛି। ଚାଷୀମାନଙ୍କ ପ୍ରତି କୃଷି ବିଭାଗର କେତେ ଦରଦ ରହିଛି ଏହି କାର୍ଯ୍ୟକ୍ରମକୁ ହୃଦୟଙ୍ଗମ ହୋଇପାରୁଛି। ତେଣୁ ଏହି କାର୍ଯ୍ୟକ୍ରମ ବିଫଳ ହେବା ପଛରେ କାହାର ହାତ ରହିଛି ଏବଂ କେତେ ଟଂକା ଏଥିରେ ଆତ୍ମସାତ କରାଯାଇଛି ତାହାର ତଦନ୍ତପାଇଁ ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର