ବୁୁଗୁଡ଼ାରେ ଅମାନବୀୟ ଘଟଣା : ନବବଧୂଙ୍କୁ ନିର୍ଯାତନା, ହାତଗୋଡ଼ ବାନ୍ଧି ଫୋଫାଡ଼ିଦେଲେ

ବୁଗୁଡ଼ା: ‌‌‌ଯୌତୁକ ପାଇଁ ନବବଧୂକୁ ନିର୍ଯାତନାର ସୀମା ଲଘିଂଲେ ଶ୍ବଶୂର ଘର ଲୋକ। ତଣ୍ଟି ଚିପି ହତ୍ୟା ଉଦ୍ୟମ ପରେ ବୋହୂର ହାତଗୋଡ଼କୁ ବାନ୍ଧି ପାଟିରେ କନା ବିଣ୍ଡା ପୂରାଇ ଧାନ ଡୋଲିରେ ଫୋପାଡ଼ିଦେଲେ। ରାତି ସାରା ମହିଳାଜଣକ ଜୀବନ ସହ ସଂଘର୍ଷ କରିବା ପରେ ସକାଳେ ଗୁରୁତର ଅବସ୍ଥାରେ ତାଙ୍କୁ ସେଥିମଧ୍ୟରୁ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ମାଣିତରା ପଞ୍ଚାୟତ ଡାଙ୍ଗସାହି ଗ୍ରାମରେ ଏଭଳି ଏକ ଛାତିଥରା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଶ୍ବଶୁର ଘର ଲୋକଙ୍କ ଏଭଳି ଅମାନବୀୟ ଓ ଅମାନୁଷିକ କାର୍ଯ୍ୟକଳାପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଗୁରୁତର ଝିଲି ପ୍ରଧାନ (୨୪)ଙ୍କୁ ବୁଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଯାଇଛି।

          ମିଳିଥିବା ସୂଚନାନୁସାରେ, ବୁଗୁଡ଼ା ଥାନା ବି.କରଡ଼ାବାଡ଼ି ଗ୍ରାମର ପଠାଣ ପ୍ରଧାନଙ୍କ ଝିଅ ଝିଲି ଡାଙ୍ଗସାହି ଗ୍ରାମର ଅଧମ ଆରୁଖଙ୍କ ପୁଅ ଜିତୁଙ୍କୁ ଗତ ଫେବ୍ରୁଆରି ୧୬ ତାରିଖରେ ବିବାହ କରିଥିଲେ। ‌‌ ନଗଦ ୬୦ ହଜାର ଟଙ୍କା ସମେତ ଅନ୍ୟ ସାମଗ୍ରୀ ‌‌ଯୌତୁକ ବାବଦରେ ଦିଆଯାଇଥିଲା। ସ୍ବାମୀ ଜିତୁ ହାଇଦ୍ରାବାଦରେ ରହୁଛନ୍ତି। ହେଲେ ବିବାହର କିଛି ଦିନ ପରେ ନଣନ୍ଦର ମେଡ଼ିକାଲ୍ ଖର୍ଚ୍ଚ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବାବଦରେ ଅଧିକ ୩୦ ହଜାର ଟଙ୍କା ବାପଘରକୁ ମାଗିବା ଲାଗି ଝିଲିଙ୍କ ଉପରେ ଚାପ ପକାଯାଉଥିଲା। ଏହା ପରେ ତାଙ୍କ ଉପରେ ଶ୍ବଶୁର ଘର ଲୋକେ ଅକଥନୀୟ ନିର୍ଯାତନା ଆରମ୍ଭ କରିଦେଇଥିଲେ।  ଏହା ମଧ୍ୟରେ ଝିଲି ବାପଘରକୁ ଆସି ୧୫ ଦିନ ତଳେ ପୁଣି ଶାଶୂ ଘରକୁ ଫେରିଥିଲେ। କିନ୍ତୁ ଟଙ୍କା ନେଇକି କାହିଁକି ଆସିଲୁନି ବୋଲି କହି, ତାଙ୍କୁ ନିର୍ଯାତନା ଦେବା ସହ ମାରଧର୍ କରୁଥିଲେ। ୭ ଦିନ ତଳେ ଜବରଦସ୍ତ ଫିନାଇଲ୍ ମଧ୍ୟ ପିଆଇ ଦେଇଥିଲେ। ହେଲେ ଗତକାଲି ରାତିରେ ସେମାନେ ସମସ୍ତ ସୀମା ଟପି ଯାଇଥିଲେ। ଆଉ ଝିଲିଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ପ୍ରବଳ ମାଡ଼ ମାରିବା ସହ ହାତ ଓ ଗୋଡ଼କୁ ବାନ୍ଧି ଦେଇଥିଲେ। ପାଟିରେ କନା ବିଣ୍ଡା ପୂରାଇ ତଣ୍ଟି ଚିପିଥିଲେ। କିନ୍ତୁ ଝିଲି ଅଚେତ ହୋଇଯିବାରୁ ସେ ମରିଯାଇଥିବା ‌ଭାବି ପଡ଼ୋଶୀ ଦିବାକର ପ୍ରଧାନଙ୍କ ବାରିପଟେ ଥିବା ଧାନ ଡୋଲି ଭିତରେ ତାଙ୍କୁ ଫୋପାଡ଼ି ଦେଇଥିଲେ। ଆଜି ସକାଳୁ ଦିବାକରଙ୍କ ପରିବାରବର୍ଗ ଦେଖିବା ପରେ ଏକଥା ଗ୍ରାମବାସୀଙ୍କୁ କହିବା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ପରିବାରବର୍ଗଙ୍କ ଅଭିଯୋଗକ୍ରମେ ବୁଗୁଡ଼ା ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧିତ ଖବର