ବଡ଼ସାହି ଥାନା ପାଖରେ ଥିବା ଗହଣା ଦୋକାନରେ ସଶସ୍ତ୍ର ଡକାୟତି

ବାରିପଦା: ଗତକାଲି ରାତିରେ ମୟ୍ରୂରଭଞ୍ଜ ଜିଲ୍ଲା ବମଓସାହି ଥାନା ଅନ୍ତର୍ଗତ ବଡ଼ସାହି ବଜାରରେ ଥିବା ଅମ୍ବିକା ଜୁଏଲାରିରେ ସଶସ୍ତ୍ର ଡକାୟତି ହୋଇଛି। ବନ୍ଧୁକ ଦେଖାଇ ଡକାୟତମାନେ ଥାନା ପାଖରେ ଥିବା ଏହି ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ବେଳେ ୫/୬ ଜଣ ସଶସ୍ତ୍ର ଡକାୟତ ବଡ଼ସାହି ଥାନା ପାଖରେ ଥିବା ଅମ୍ବିକା ଜୁଏଲାରି ପାଖରେ ପହଞ୍ଚିିଥିଲେ। ଜୁଏଳାରିର ଉପର ମହଲାରେ ବଡ଼ସାହି ଫାୟାର ଷ୍ଟେସନ୍‌ ଅଫିସର ରବୀନ୍ଦ୍ର ସେଠୀ ପରିବାର ସହିତ ରୁହନ୍ତି। ଡକାୟତମାନେ ପ୍ରଥମେ ଶ୍ରୀ ସେଠୀଙ୍କ ଘରେ ପଶି ଶ୍ରୀ ସେଠୀ ଓ ତାଙ୍କ ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ବାନ୍ଧି ପକାଇଥିଲେ। ପରେ ସେମାନେ ଜୁଏଲାରି ଭିତରେ ପଶି ସେଠାରେ ଏକ ଲୁହା ଟ୍ରେଜେରି ଭିତରେ ଥିବା ସମସ୍ତ ସୁନା, ରୂପା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ। ଡକାୟତମାନେ ପ୍ରାୟ ୩ ଘଣ୍ଟା ଧରି ଏହି ଅପରେସନ୍‌ ଚଳାଇଥିଲେ ମଧ୍ୟ ପୁଲିସ ସାମାନ୍ୟ ଟେର ପାଇ ପାରି ନ ଥିଲା। ଆଜି ସକାଳୁ ଗହଣା ଦୋକାନ ଲୁଟ୍‌ ହୋଇଥିବା ଜଣାପଡ଼ିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ପୁଲିସର ନିଷ୍କ୍ରିୟତାକୁ ନେଇ ସାଧରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର