ରାଇସିନା ରେସ୍‌ରେ ବାହାରିଲେ ଦ୍ରୌପଦୀ ମୁର୍ମୁ, ଆଜି ଦିଲ୍ଲୀ ଯିବେ

ବାରିପଦା/ରାଇରଙ୍ଗପୁର : ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ରାଇରଙ୍ଗପୁରସ୍ଥିତ ତାଙ୍କ ବାସଭବନକୁ ମଙ୍ଗଳବାର ଓ ବୁଧବାର ଦିନତମାମ ଶୁଭେଚ୍ଛୁଙ୍କ ସୁଅ ଛୁଟିଥିଲା। ମଙ୍ଗଳବାର ବିଳମ୍ବିତ ରାତି ଯାଏ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପହଞ୍ଚିଥିଲେ। ଦ୍ରୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ବ ସପକ୍ଷରେ ସମର୍ଥନ ଜୁଟାଇବା ଲାଗି ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ନିଜେ ଦ୍ରୌପଦୀ ମୁର୍ମୁ ମଧ୍ୟ ବିଭିନ୍ନ ରାଜ୍ୟ ଗସ୍ତ କରି ସେଠାକାର ମୁଖ୍ୟଙ୍କୁ ଭେଟି ସମର୍ଥନ ଲୋଡ଼ିବେ। ତେଣୁ ବୁଧବାର ଅପରାହ୍ନ ସାଢ଼େ ୩ଟାରେ ସେ ଭୁବନେଶ୍ବର ଗସ୍ତରେ ବାହାରି ଯାଇଥିଲେ। ଆଜି ସେ ଦିଲ୍ଲୀ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି।

ଗୃହ ମନ୍ତ୍ରାଳୟ ଯୋଗାଇ ଦେଲା ଜେଡ୍‌ପ୍ଲସ୍‌ ସୁରକ୍ଷା 
ଗତକାଲି ସନ୍ଧ୍ୟାରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବାପରେ କେନ୍ଦ୍ର ସରକାର ତାଙ୍କୁ ଜେଡ୍‌ପ୍ଲସ୍‌ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଆଜି ସକାଳୁ ତାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ସିଆର୍‌ପିଏଫ୍‌ର ସ୍ବତନ୍ତ୍ର କମାଣ୍ଡୋ ବାହିନୀ ତାଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଯାଏ ତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ  ଏହି କମାଣ୍ଡୋ ୟୁନିଟ୍‌। ଆଉ ଯଦି ସେ ବିଜୟୀ ହୁଅନ୍ତି, ତା’ ହେଲେ ସିଆର୍‌ପିଏଫ ଯବାନ୍‌ଙ୍କ ହାତରୁ ରାଷ୍ଟ୍ରପତିଙ୍କ ପାଇଁ ନିଯୁକ୍ତ ସ୍ବତନ୍ତ୍ର ଅଙ୍ଗରକ୍ଷୀଙ୍କ ହାତକୁ ଯିବ ତାଙ୍କ ସୁରକ୍ଷା ଦାୟିତ୍ବ।

ଦ୍ରୌପଦୀଙ୍କ ଝଲକ୍‌ ପାଇଁ ରାତିରୁ ଶୁଭେଚ୍ଛୁଙ୍କ ଭିଡ଼
ବୁଧବାର ବଡ଼ି ଭୋରରୁ ଶ୍ରୀମତୀ ମୁର୍ମୁ ଉଠିବା ବେଳକୁ ତାଙ୍କ ଘର ଆଗରେ ଭିଡ଼ ହୋଇ ସାରିଥିଲା। ରାଇରଙ୍ଗପୁର ପରି ଛୋଟିଆ ସହରରୁ ରାଷ୍ଟ୍ରପତି ଭବନ ଯିବାର ଏକ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଥିବାରୁ ନିଜ ପ୍ରିୟ ନେତ୍ରୀଙ୍କ ଝଲକ୍‌ ପାଇବା ପାଇଁ ସାହି ପଡ଼ୋଶୀ, ସ୍ଥାନୀୟ ଲୋକେ ଘର ଆଗରେ ରୁଣ୍ଡ ହୋଇଥିଲେ। ତେବେ, ତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇ ସାରିଥିବାରୁ ସମସ୍ତେ ଭେଟିବାକୁ ସୁଯୋଗ ପାଇନଥିଲେ। ତଥାପି ଦ୍ରୌପଦୀ କାହାକୁ ନିରାଶ କରିନଥିଲେ। ନିରନ୍ତର ବ୍ୟବଧାନ ମଧ୍ୟରେ ଘର ବାହାରକୁ ଆସି ଶୁଭେଚ୍ଛୁମାନଙ୍କୁ ଭେଟିଥିଲେ ଏବଂ କିଛି ପରିଚିତ ଲୋକଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ। ସୁରକ୍ଷା କର୍ମୀମାନେ ଭିଡ଼ ହଟାଇବାକୁ ଚେଷ୍ଟା କରିଥିଲେ ବି ସମସ୍ତଙ୍କୁ ନିଜ ଲୋକ ବୋଲି କହି ଶୁଭେଚ୍ଛା ଗ୍ରହଣ କରିଥିଲେ ଦ୍ରୌପଦୀ।

ସକାଳୁ ଉଠି ଦେବ ଦର୍ଶନ, ମନ୍ଦିର ବେଢ଼ା ଝାଡ଼ୁ କଲେ
ଆଜି ସକାଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ସ୍ଥାନୀୟ ପୂର୍ଣ୍ଣେଶ୍ବର ଶିବ ମନ୍ଦିର ଯାଇଥିଲେ ଦ୍ରୌପଦୀ। ସେଠାରେ ପହଞ୍ଚି ପ୍ରଥମେ ମନ୍ଦିର ବେଢ଼ା ଝାଡ଼ୁ କରିବା ସହ ମହାଦେବଙ୍କ ଦର୍ଶନ କରିଥିଲେ। ନିକଟସ୍ଥ ଜଗନ୍ନାଥ ମନ୍ଦିର ଓ ହନୁମାନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ଓ ବ୍ରାହ୍ମଣମାନଙ୍କୁ ଦାନଦକ୍ଷିଣା ବି ଦେଇଥିଲେ। ରାଇରଙ୍ଗପୁର ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଶାଖାକୁ ଯାଇ ପ୍ରାର୍ଥନା କରିଥିଲେ। ସେଠାରେ ତାଙ୍କୁ ବନ୍ଦାପନା କରି ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହ ଆଦିବାସୀଙ୍କ ପୂଜାସ୍ଥଳ ଜାହିର ପୀଠକୁ ଯାଇ ଉପାସନା କରିଥିଲେ।

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ
ଦ୍ର‌ୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥିତ୍ବ ସପକ୍ଷରେ ସମର୍ଥନ ଜୁଟାଇବା ଲାଗି ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଜେ ଦ୍ରୌପଦୀ ମୁର୍ମୁ ମଧ୍ୟ ବିଭିନ୍ନ ରାଜ୍ୟ ଗସ୍ତ କରି ସେଠାକାର ମୁଖ୍ୟଙ୍କୁ ଭେଟି ସମର୍ଥନ ଲୋଡ଼ିବେ। ତେଣୁ ଆଜି ଅପରାହ୍ନ ସାଢ଼େ ୩ଟାରେ ସେ ଭୁବନେଶ୍ବର ଗସ୍ତରେ ବାହାରିଥିଲେ। ଯିବା ବାଟରେ ସ୍ବାଧୀନତା ସଂଗ୍ରାମୀ ସୁନାରାମ ସୋରେନ୍‌, ପଣ୍ତିତ ରଘୁନାଥ ମୁର୍ମୁ, ମଧୁସୂଦନ ଦାସ, ସହିଦ୍‌ ନୁଦୁରାମ ସୋରେନ୍‌ ଓ ଡ.ଶ୍ୟାମାପ୍ରସାଦ ମୁର୍ଖାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଯଶିପୁର-ଠାକୁରମୁଣ୍ଡା ରାସ୍ତା ଦେଇ ଭୁବନେଶ୍ବର ଯାଇଥିବା ବେଳେ ବାଟସାରା ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ ମଧ୍ୟ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ରହି ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆସନ୍ତାକାଲି ସେ ଦିଲ୍ଲୀ ଗସ୍ତରେ ଯିବେ ବୋଲି ସୂଚନା ମିଳିଛି। ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବରିଷ୍ଠ ନେତାମାନଙ୍କୁ ସାକ୍ଷାତ ଆଲୋଚନା ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର