ଭୁବନେଶ୍ୱରରୁ ଗାଡ଼ି ଭଡା ନେଇ ଗାଡି ଚାଳକକୁ ହତ୍ୟା ଘଟଣାରେ ପ୍ରେମୀ ଯୁଗଳ ଗିରଫ

ବୋରିଗୁମ୍ମା: ଭୁବନେଶ୍ୱରରୁ କାର ଭଡ଼ାରେ ନେଇ କାର ଚାଳକକୁ ହତ୍ୟା କରିବା ପରେ କାର ନେଇ ଫେରାର ହେବାର ଖୁଲାସା କରିଛି ପୁଲିସ। କାର ଭଡ଼ା ନେଇ କୋରାପୁଟ ଆସିଥିବା ପ୍ରେମୀ ଯୁଗଳ ହିଁ ସୁଧିର ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି କୋରାପୁଟ ଏସ ପି ବରୁଣ ଗୁଣ୍ଟୁପାଲି ବୋରିଗୁମ୍ମା ଥାନାରେ ଏକ ଖବରଦାତା ସମ୍ମିଳନୀରେ ରେ ସୂଚନା ଦେଇଛନ୍ତି। ଏସ ପି ଶ୍ରୀ ଗୁଣ୍ଟୁପାଲି କହିଥିଲେ କୋରାପୁଟ ଜିଲ୍ଲାର ଗୁପ୍ତେଶ୍ଵର ଯିବା ପାଇଁ ଏକ ପ୍ରେମୀ ଯୁଗଳ ରାୟଗଡା ରାସ୍ତା ଦେଇ କୋରାପୁଟରେ ଗତ ମାସ ୨୫ ତାରିଖରେ ପହଞ୍ଚିଥିଲେ।

ସେଠାରେ ୨୫ ତାରିଖ ରାତି ୧୦ରେ  ଶିବା ଢାବାରେ ଖାଇଥିଲେ। କାର ଚାଳକ ସୁଧିର ସାହୁ ଓ ଅଭିଯୁକ୍ତ ଦୁହେଁ   ଢ଼ାବାରେ ପ୍ରଚୁର ମଦ୍ୟପାନ କରିଥିଲେ। ପରେ ଗୁପ୍ତେଶ୍ଵର ପରିବର୍ତ୍ତେ ବଲାଙ୍ଗୀର ଜିଲ୍ଲା ହରି ଶଙ୍କର ଯିବା ପାଇଁ ୨୫ ତାରିଖ ରାତିରେ କୋରାପୁଟରୁ ବାହାରିଥିଲେ। କାର ଚାଳକ ପ୍ରଚୁର ମଦ୍ୟପାନ ଯୋଗୁଁ  ଅଭିଯୁକ୍ତ ହିଁ କାର ଚଳାଇ ରାଣିଗଡ଼ ରାସ୍ତାରେ ଆସୁଥିଲା। ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତ୍ରଲା ନିକଟରେ କାର ରଖି ତିନିଜଣ ଶୋଇ ଥିଲେ। ଠିକ ଏହି ସମୟରେ କାର ଚାଳକ ସୁଧିର ଅଭିଯୁକ୍ତର ପ୍ରେମିକା ଦେହରେ ବାରମ୍ବାର ହାତ ମାରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମୀ ଯୁଗଳ ଗାମୁଛାରେ ବେକ ଚିପି ହତ୍ୟା କରିଥିଲେ।

ହତ୍ୟାକାଣ୍ଡ ଭିଆଇବା ପରେ ଛତ୍ରଲା ନିକଟ ଵିଲରେ କାର ଚାଳକ ସୁଧିର ସାହୁର ମୃତ ଦେହ ଫିଙ୍ଗି ବୋରିଗୁମ୍ମା ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ଫେରାର ହେବା ସମୟରେ କାର, ସୁଧିରର ମୋବାଇଲ  ଓ ପର୍ସ ନେଇଯାଇଥିଲେ। ବୋରିଗୁମ୍ମା ନିକଟସ୍ଥ କୁନ୍ଦୁରାଗୁଡା ନିକଟରେ ସୁଧିରର ମୋବାଇଲକୁ ରାସ୍ତା କଡରେ ଫିଙ୍ଗି ପଳାଇଥିଲେ। କୋରାପୁଟ ଏସ ପି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ଛଅ ଜଣିଆ  ଟିମ ଗଠନ କରିଥିଲେ। ସେହି ଟିମରେ ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ, ଜୟପୁର ସଦର ଥାନା ଏସ ଆଇ ଆଦିତ୍ୟ ମହାଙ୍କୁଡ ଓ ଅନ୍ୟ ପୁଲିସ  ଅଧିକାରୀ ଥିଲେ ।

ପୁଲିସ ଚତୁରତାର ସହ ରାଉରକେଲାର ଅମରଭବନ ହୋଟେଲରେ ଅଭିଯୁକ୍ତ ପ୍ରେମୀ ଯୁଗଳଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ କାର,ତିନୋଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ପ୍ରେମୀ ଯୁଗଳ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ପ୍ରେମିକ ଯାଜପୁର ଟାଉନ ଥାନା ଅଞ୍ଚଳର ହୋଇଥିବା ବେଳେ ପ୍ରେମିକା ବିଂଝାରପୁର ଥାନା ଅଞ୍ଚଳର ପୁଲିସ ସୂଚନା ଦେଇଛନ୍ତି। ୩୫ ବର୍ଷୀୟ ପ୍ରେମିକ ବିବାହିତ । ସେ ୨୦ ବର୍ଷୀୟା ପ୍ରେମିକାକୁ ନେଇ ଭୁବନେଶ୍ୱର ନନ୍ଦନକାନନ ନିକଟ ଏକ ଆପାର୍ଟମେଂଟରେ ଲିବ ଇନ ରିଲେସନରେ ରହି ଆସୁଥିଲେ। ବିଳମ୍ବରେ ହେଲେ ବି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଆଜି ଅପରାହ୍ନରେ  ଅଭିଯୁକ୍ତ ପ୍ରେମୀ ଯୁଗଳଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର