ରାୟଗଡ଼ାରେ କେଆର୍ ରେଳପଥ ଦୋହରୀକରଣର ସମୀକ୍ଷା କଲେ ୱାଲଟିୟର୍ ଡିଭିଜନ୍ ଡିଆରଏମ

ରାୟଗଡ଼ା ଷ୍ଟେସନର ନୂତନ ବିଲଡିଂ କାମ ଶୀଘ୍ର ‌ଶେଷ ନିର୍ଦେଶ

ରାୟଗଡ଼ା: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଗସ୍ତ ପୂର୍ବରୁ ରାୟଗଡ଼ା‌ ଗସ୍ତରେ ଆସି ରେଳ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ୱାଲଟିୟର୍ ଡିଭିଜିନାଲ୍ ରେଲୱେ ମ୍ୟାନେଜର୍ (ଡିଆରଏମ୍) ଅନୁପ କୁମାର ଶତପଥୀ। ଦୁଇ ଦିନିଆ ଗସ୍ତରେ ଶ୍ରୀ ଶତପଥୀ, କୋରାପୁଟ-ରାୟଗଡ଼ା ରେଳ ଲାଇନର ଦୋହରୀକରଣ ସମେତ ନିର୍ମାଣଧୀନ ବିଲଡିଂ ଓ ସୁରକ୍ଷାଜନିତ କାମର ଅନୁଧ୍ୟାନ କରିଛନ୍ତି। ଗୁରୁବାର ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଡିଆରଏମ୍ ବିଶାଖାପାଟଣାରୁ ବାହାରି କୋରାପୁଟରେ ପହଞ୍ଚିଥିଲେ। କୋରାପୁଟ-ଜୟପୁର ରେଳପଥରେ ଜୟପୁର ଷ୍ଟେସନ ପର୍ଯ୍ୟନ୍ତ ଯାଇ ଦୋହରୀକରଣ କାମ ସହ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ନୂଆ ରେଳପଥର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ।

ଜୟପୁର, କୋରାପୁଟ ଷ୍ଟେସନର ବିକାଶ ସହ ଚାଲିଥିବା ନିର୍ମାଣଧୀନ କାମକୁ ଡିଆରଏମ୍ ଶ୍ରୀ ଶତପଥୀ ବୁଲି ଦେଖିଥିଲେ। ରାତିରେ କୋରାପୁଟରେ ଅବସ୍ଥାପିତ କରି ଅନ୍ୟ ଭିତ୍ତିଭୂମି ସଂପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଶୁକ୍ରବାର ସକାଳେ ରାୟଗଡ଼ା ଅଭିମୁଖେ ବାହାରିଥିଲେ। କେଆର୍ (କୋରାପୁଟ-ରାୟଗଡ଼ା) ଲାଇନର ଦୋହରୀକରଣ କାମ ଚାଲିଥିବାରୁ ବିଭିନ୍ନ ଷ୍ଟେସନରେ ଅଟକି ନିର୍ମାଣଧୀନ କାମକୁ ଡିଆରଏମ୍ ପରଖିଥିଲେ। କାକିରିଗୁମ୍ମାରୁ ଟିକିରି ମଧ୍ୟରେ ଚାଲିଥିବା ଦ୍ବିତୀୟ ଲାଇନ୍ କାମରେ ବଡ ଟନେଲ୍ ସହ ବ୍ରିଜ୍ ମଧ୍ୟ ନିର୍ମାଣ ହେବାକୁ ଥିବାରୁ କାମ ସଂପର୍କରେ ଟେକ୍‌ନିକାଲ୍ କମିଟି ଓ ଇଞ୍ଜିନିୟରଙ୍କ ସହ ଆଲୋଚନା କରିଥିଲେ।

ମଧ୍ୟାହ୍ନ ୨ଟା ୩୦ ମିନିଟରେ ଡିଆରଏମ୍ ରାୟଗଡ଼ା ଷ୍ଟେସନରେ ପହଞ୍ଚି ନୂତନ ପ୍ୟାନେଲ୍ ରୁମ୍, ଇଲୋକ୍‌ଟ୍ରୋନିକ୍ସ ଇଣ୍ଟରଲକିଂ ସିଷ୍ଟମ୍ ଏବଂ ନିର୍ମାଣଧୀନ ଷ୍ଟେସନର ନୂତନ ବିଲଡିଂ କାମକୁ ବୁଲି ଦେଖିଥିଲେ। ଧାର୍ଯ୍ୟ ସମୟରେ ଷ୍ଟେସନ ବିଲଡିଂ, ଷ୍ଟାଫ୍ କ୍ବାଟର୍ସ ଓ ଅନ୍ୟ ଭିତ୍ତିଭୂମି କାମ ଶେଷ କରିବାକୁ ଡିଆରଏମ୍ ଶ୍ରୀ ଶତପଥୀ ନିର୍ଦେଶ ଦେଇଛନ୍ତି। ରାୟପୁର-ବିଜୟନଗରମ୍ ମଧ୍ୟରେ ତୃତୀୟ ରେଳ ଲାଇନ୍ କାମ ଆରମ୍ଭ ହୋଇ ସାରିଥିବାରୁ ରାୟଗଡ଼ା ଷ୍ଟେସନର ପୁରୁଣା ବିଲଡିଂ ଭଙ୍ଗାଯିବ। ଏହି ଅବସରରେ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ରାୟଗଡ଼ା ଷ୍ଟେସନରେ ଡିଆରଏମଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ଡିଆରଏମଙ୍କ ଗସ୍ତ ସମୟରେ ସିନିୟର୍ ଡିଭିଜିନାଲ୍ କମର୍‌ସିଆଲ୍ ମ୍ୟାନେଜର ଏ. କେ. ତ୍ରିପାଠୀ, ସିନିୟର୍ ଡିଭିଜିନାଲ୍ ଇଞ୍ଜିନିୟର ପ୍ରଦୀପ ଯାଦବ, ସିନିୟର୍ ଡିଇଏନ୍ (ଉତ୍ତର) ଡାଭିଡ୍ ରାଲଫ୍, ରାୟଗଡ଼ା ଏସ୍‌ଡ଼ିପିଓ ଦିବ୍ୟଜ୍ୟୋତି ଦାଶ, ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର