ଦେଶରେ ଚମକିଲା ଡୁଡୁମା ଜଳପ୍ରପାତ, ଟ୍ବିଟ କରି ସୂଚନା ଦେଲେ କେନ୍ଦ୍ର ଜଳଶକ୍ତି ବିଭାଗ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ରହିଥିବା ଡୁଡୁମା ଜଳପ୍ରପାତ ଏବେ ଦେଶର ଅନ୍ୟତମ ଜଳପ୍ରପାତ ବୋଲି ଟ୍ବିଟ କରିବା ପରେ ଜିଲ୍ଲା ପ୍ରଶାସନରେ ଦେଖିବାକୁ ମିଳିଛି ଉତ୍ସାହ। ଏହି ଜଳପ୍ରପାତର ଉନ୍ନତିକରଣ କରିବାକୁ ଅଣ୍ଟା ଭିଡିଛନ୍ତି ଜିଲ୍ଲା ପ୍ରଶାସନ ଓ ସ୍ତାନୀୟ ଲୋକ ପ୍ରତିନିଧି। ଗତକାଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଟ୍ବିଟ କରିବା ପରେ ଓଡ଼ିଶ‌ାରେ ରହିଥିବା ଏହି ଜଳପ୍ରପାତର ମହତ୍ବ ବୃଦ୍ଧି ପାଇଛି। ଏହି ଜଳପ୍ରପାତ ପୁରାଣପ୍ରସିଦ୍ଧ ମତ୍ସ୍ୟତୀର୍ଥ ଭାବେ ପରିଚିତ ରହିଥିବାବେଳେ ମାଛକୁଣ୍ଡ ନଦୀର ଜଳ ୧୭୫ ମିଟର ଉଚ୍ଚତାରେ ଥିବା ଏକ ପାହାଡରୁ ତଳକୁ ଖସୁଥିବା ଦେଖିବାକୁ ମିଳେ। ପାହାଡରୁ ସବୁ ସମୟରେ ଜଳ ତଳକୁ ଖସୁଥିବାରୁ ଏକ ସୁନ୍ଦର ତଥା ଲୋଭନୀୟ ଜଳପ୍ରପାତ ସୃଷ୍ଟି କରିଥାଏ। ବର୍ଷକ ବାରମାସ ଯାଏ ଏହି ଜଳପ୍ରପାତରୁ ଜଳ ଖସୁଥିବାରୁ ଏହି ଦୃଶ୍ୟକୁ ଦର୍ଶକଙ୍କୁ ବିମୋହିତ କରିଥାଏ।

ତେବେ ଡୁଡୁମା ଜଳପ୍ରପାତ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ। ଏହାର ଉଚ୍ଚତା ୧୫୭ ମିଟର (୫୧୫ ଫୁଟ)। ଏହା ଦକ୍ଷିଣ ଭାରତର ଉଚ୍ଚତମ ଜଳପ୍ରପାତ ମଧ୍ୟରୁ ଅନ୍ୟତମ ଜଳପ୍ରପାତ ଭାବେ ଗଣନା କରାଯାଏ। ଏଠାରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଦ୍ୱାରା ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇଥାଏ। ଡୁଡୁମା କୋରାପୁଟ ଠାରୁ ପ୍ରାୟ ୮୮ କିଲୋମିଟର ଓ ବିଶାଖପାଟଣା ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ। ଏହାର ଚର୍ତୁଃପାର୍ଶ୍ବରେ ବଣ୍ଡା ଓ ଗାଦବା ଆଦିବାସୀ ଲୋକ ବସବାସ କରୁଥିବା ଜଣାପଡିଛି। ତେବେ ୨୦୧୮ ମସିହାରେ ନାଲକୋ ପାରିପାର୍ଶ୍ବିକ ବିକାଶ ପାଇଁ ୯୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। କିନ୍ତୁ ଏବେ ଯାଏ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇ ନାହିଁ। ଦୁଇବର୍ଷ ହେବ କରୋନା ଯୋଗୁଁ ସବୁ ବନ୍ଦ ରହିଥିବାବେଳେ ଏହାର ଉନ୍ନତିକରଣ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର