ଦୁଇ ଭାଇ ଡକାୟତ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କଲା ପୁଲିସ; ବଡ଼ଭାଇ ଗିରଫ, ସାନ ଫେରାର୍‌ 

ଗ୍ରାହକ ସାଜି ୩ ଦୋକାନରୁ ଗହଣା ନେଇ ଚମ୍ପଟ୍ ମାରିଥିଲେ  

ସୋର: ବାଲେଶ୍ୱର ଜିଲ୍ଲା ସୋର ମ୍ୟୁନିସିପାଲଟି ନୂଆ ସିନେମା ହଲ୍ ନିକଟରେ ଥିବା ମା’ ମଙ୍ଗଳା ଗହଣା ଦୋକାନରୁ ଗତ ୫ ତାରିଖ ମଧ୍ୟାହ୍ନରେ ଗ୍ରାହକ ସାଜି ସୁନା ଅଳଙ୍କାର ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ କାବୁ କରିଛି। ଲୁଟ୍ କରିଥିବା ଗହଣା ଉଦ୍ଧାର କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ସହଯୋଗୀ ଫେରାର୍‌ ହୋଇଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସିମୁଳିଆ ଥାନା ଆଙ୍କୁଲା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁଅ ଶଶିଭୂଷଣ ଓରଫ ବାବୁ(୨୬)।

ସୁଚନା ମୁତାବକ, ବାବୁ ନିଜ ଦାଦା ପୁଅ ଭାଇ ମାୟାଧର ପ୍ରଧାନଙ୍କ ପୁଅ ଚିନ୍ମୟ(୨୩) ସହ ମିଶି ଗ୍ରାହକ ସାଜି ସୋରର ବିଭିନ୍ନ ଗହଣା ଦୋକାନରୁ ସୁନାଗହଣା ଲୁଟ୍ କରୁଥିଲେ। ଗତ ୫ ତାରିଖରେ ଏହି ଦୁଇ ଭାଇ ଏକ ବାଇକ୍‌ରେ ଆସି ମା’ ମଙ୍ଗଳା ଗହଣା ଦୋକାନ ଆଗରେ ପହଞ୍ଚି ଲୁଟ୍ କରିବାକୁ ଯୋଜନା କରିଥିଲେ। ସାନ ଭାଇ ଚିନ୍ମୟ ଗ୍ରାହକ ସାଜି ଏହି ଦୋକାନରୁ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୩ ହଳ ସୁନା ପଲା  କିଣିବାକୁ ପସନ୍ଦ କରିଥିଲା ବେଳେ ବଡ଼ଭାଇ ବାବୁ ଦୋକାନ ଆଗରେ ବାଇକ୍‌ରେ ଅପେକ୍ଷା କରିଥିଲା।

ଗହଣା ପସନ୍ଦ ସରିଥିବା ବେଳେ ଦୋକାନ ମାଲିକ ସୋର ସହରସ୍ଥ ଘୋଡ଼ାସାହି ଗ୍ରାମର ପ୍ରତାପ ଚନ୍ଦ୍ର ନାୟକ ଅନ୍ୟ ଜଣେ ଗ୍ରାହକକୁ ଗହଣା ଦେଖାଉଥିବା ସୁଯୋଗରେ ଚିନ୍ମୟ ଏହି ପସନ୍ଦ ଗହଣା ଧରି ଚମ୍ପଟ୍‌ ମାରିଥିଲା। ଦୁର୍ଭାଗ୍ୟକୁ ବାହାରେ ବାଇକ୍‌ ଧରି ଅପେକ୍ଷା କରିଥିବା ବାବୁର ଗାଡ଼ି ଷ୍ଟାର୍ଟ ନ ହେବାରୁ ଚିନ୍ମୟ ଖସି ଯିବାକୁ ଉଦ୍ୟମ କରିଥିଲା। ଦୈଶହି ନିକଟସ୍ଥ ରାଇପୁର ଗ୍ରାମ ଭିତରକୁ ଦୌଡ଼ି ପଳାଇଥିଲା। ସ୍ଥାନୀୟ ଲୋକେ ଅପେକ୍ଷାତ ବାବୁକୁ ଧରି ପୁଲିସକୁ ଖବର ଦେଇଥିଲେ।

ସୋର ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ବାବୁକୁ କାବୁ କରିଥିଲା। ଥାନା ଭାରପ୍ରାପ୍ତ ଅଧିକାରିଣୀ ମଧୁମିତା ମହାନ୍ତି ଏଏସ୍‌ଆଇ ପ୍ରତାପ କାଲୋ ଓ ପ୍ରଦୀପ ମହାନ୍ତିଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ କରି ସଫଳ ହୋଇଛନ୍ତି। ଗୋଟିଏ ଦିନରେ ଚିନ୍ମୟ ନେଇ ଯାଇଥିବା ସମସ୍ତ ଗହଣା ବାବୁର ଶୋଇବା ଘରୁ ଉଦ୍ଧାର କରିଥିଲା ପୁଲିସ। ବାବୁକୁ ପଚରାଉଚରା ବେଳେ ସେ ଗତ ମାସ ୮ ତାରିଖରେ ନୂଆ ବସ୍‌ଷ୍ଟାଣ୍ତ ଛକରେ ଥିବା ସୁନାଲୀ ଗହଣା ଦୋକାନରୁ ୫ ଟି ସୁନା ହାର ଓ ବଡ଼ଖୁରୀ ଛକରେ ଥିବା ମା’ ଜଗଦ୍ଧାତ୍ରୀ ଗହଣା ଦୋକାନରୁ ଗୋଟିଏ ସୁନାହର ସମାନ ଢଙ୍ଗରେ ଚୋରି କରିଥିବା ସ୍ବୀକାର କରିଥିଲା। ପୁଲିସ ଏହି ଦୁଇ ଚୋରି ଘଟଣାରେ ସୋନାଲୀ ଗହଣା ଦୋକାନର ୩ ଟି ଓ ମା’ ଜଗଦ୍ଧାତ୍ରୀ ଗହଣା ଦୋକାନରୁ ଏକ ସୁନା ହାର ଉଦ୍ଧାର କରିଥିବା ବେଳେ ଭଦ୍ରକ ଅଂଚଳରେ ବନ୍ଧକ ପଡ଼ିଥିବା ଅନ୍ୟ ଦୁଇଟି ହାର ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି। ଆଜି କେସ୍‌ ନଂ ୨୫୪/ ୨୧ ଓ ୨୫୫/୨୧ରେ ମାମଲା ରୁଜୁ ହୋଇ ବାବୁକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର