ହାତୀପଲ ଉଜାଡ଼ୁଛନ୍ତି ଫସଲ, ନୀରବଦ୍ରଷ୍ଟା ସାଜିଛି ବନ ବିଭାଗ

ବାରିପଦା : ମାସାଧିକାଳ ହେବ ୪୫ରୁ ଅଧିକ ହାତୀପଲ ଉତ୍ପାତ ଜାରି ରଖିଛନ୍ତି। ପନିପରିବା ସହିତ ବିଭିନ୍ନ ଫସଲ ନଷ୍ଟ କରି ଚାଷୀଙ୍କର ମେରୁଦଣ୍ଡ ଭାଙ୍ଗିଦେଲେଣି। ଏମାନଙ୍କୁ ଘଉଡ଼ାଇବାକୁ କିମ୍ବା ସ୍ଥାନାନ୍ତର କରିବାକୁ ବନ ବିଭାଗ କେବଳ ନୀରବଦ୍ରଷ୍ଟା ସାଜିଛି। ବିଭାଗ ପକ୍ଷରୁ ହାତୀପଲଙ୍କୁ ଘଉଡ଼ାଇବାକୁ ବିଶେଷ କୌଣସି ପଦକ୍ଷେପ ନେଉନଥିବାରୁ ଜନଅସନ୍ତୋଷ କ୍ରମଶଃ ତେଜିବାରେ ଲାଗିଛି। ଏପରିକି ହାତୀପଲଙ୍କ କାରଣରୁ ପ୍ରଭାବିତ ହୋଇଥିବା ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ବେତନଟୀ ବ୍ଲକ ଅଧୀନ ପାଟଳୀପୁରା ଗ୍ରାମପଞ୍ଚାୟତର ବଡ଼ଖିରପଦା ଓ ଖଣ୍ଡଦେଓଳା ମୌଜାରେ ଆଜକୁ ୧୫ ଦିନ ଧରି ପ୍ରତ୍ୟେକ ଦିନ ସନ୍ଧ୍ୟା ହେବା ମାତ୍ରକେ ୪୫ରୁ ଅଧିକ ହାତୀର ଏକ ପଲ ଚାଷୀମାନଙ୍କର ପନିପରିବା ଆଦି ବିଭିନ୍ନ ଫସଲକୁ ଖାଇ ମାଡ଼ିଦଳି ନଷ୍ଟ କରିଦେଉଛି । ଉକ୍ତ ହାତୀ ପଲ ଦିନ ସମୟରେ ନିକଟସ୍ଥ ଖିରପଦା ସଂରକ୍ଷିତ ଜଙ୍ଗଲରେ ରହୁଥିବା ବେଳେ ସୂର୍ଯ୍ୟାସ୍ତ ପରେ ଜଙ୍ଗଲରୁ ବାହାରକୁ ବାହାରି ଫସଲକୁ ନଷ୍ଟ କରିଚାଲି ଥିବା ବେଳେ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ନୀରବଦ୍ରଷ୍ଟା ସାଜିଛନ୍ତି । ସେମାନେ ହାତୀପଲକୁ ଘଉଡ଼ାଇବା ବଦଳରେ ହାତୀ ନିକଟରେ ଆତ୍ମ ସମର୍ପଣ କରିଦେଇଥିବା ଅଭିଯୋଗ ହୋଇଛି।  ହାତୀପଲକୁ ଘଉଡ଼ାଇ ନିମନ୍ତେ ବନ ବିଭାଗ କର୍ମଚାରୀମାନଙ୍କ ନିକଟରେ କାକୁତି ମୀନତି ହେଉଥିଲେ ମଧ୍ୟ ଚାଷୀମାନଙ୍କୁ ଗାଳିଗୁଲଜ ଓ ଯୁକ୍ତିତର୍କ, କଥାକଟାକଟି କରୁଛନ୍ତି ବନକର୍ମଚାରୀ। ଏପରିକି ସରକାରଙ୍କ ପକ୍ଷରୁ ହାତୀ କ୍ଷୟକ୍ଷତି ନିମନ୍ତେ ମିଳୁଥିବା ସହାୟତାର ସଠିକ୍ ଆକଳନ କରା ଯାଉନାହିଁ । ଫଳରେ ଚାଷୀମାନଙ୍କୁ ଯେଉଁ ସହାୟତା ରାଶି ମିଳୁଛି, ତାହା ସମୂଦ୍ରକୁ ଶଙ୍ଖେ। ଏହା ମିଳିବାକୁ ଦୁଇ ବର୍ଷରୁ ଅଧିକ ସମୟ ଲାଗିଯାଇଥାଏ । ଫଳରେ ଋଣ ବା ହାତ ଉଧାରି ନେଇ ଚାଷ କାର୍ଯ୍ୟ କରିଥିବା ଚାଷୀକୁ ଅଧିକ ଋଣଗ୍ରସ୍ତ କରାଇ ଦେଇଥାଏ । ଏହାଦ୍ୱାରା ଚାଷୀ ଋଣ ଭାର ସମ୍ଭାଳି ନ ପାରି ଭୂଲ ରାସ୍ତା ବାଛି ନେବାକୁ ବାଧ୍ୟ କରାଇଥାଏ । ପୁଣି, ବର୍ତ୍ତମାନ କରୋନା ମହାମାରୀ ଜନସାଧାରଣଙ୍କ ଆର୍ଥିକ ସ୍ଥିତାବସ୍ଥାକୁ ଦୁର୍ବଳ କରାଇ ଦେଇଥିବା ବେଳେ ହାତୀପଲ ଦ୍ୱାରା ଫସଲ ନଷ୍ଟ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି । ଏହି ସମସ୍ତ ବିଷୟକୁ ନେଇ ପାଟଳୀପୁରା ଗ୍ରାମ ପଞ୍ଚାୟତର ବଡ଼ଖିରୀପଦା ଓ ଖଣ୍ଡଦେଓଳା ମୌଜାର ନରେଶ କୁମାର ପାତ୍ର, ଅଜୟ କୁମାର ସାଉ, , ସର୍ବେଶ୍ୱର ସାହୁ, ନିରଞ୍ଜନ ପରିଡ଼ା, ଜୀବନ କୃଷ୍ଣ ଗିରି, ସର୍ବେଶ୍ୱର ଗିରି, ସଦାନନ୍ଦ ତାଳଧି, ସୁଶାନ୍ତ ଗିରି, ବିଜୟ କୁମାର ସାଉ, ରବୀନ୍ଦ୍ର କୁମାର ଗିରି, ପ୍ରଦୀପ କୁମାର ନନ୍ଦୀ, ପୂର୍ଣ୍ଣଚନ୍ଦ୍ର ଗିରି, ଦେବେନ୍ଦ୍ର ପ୍ରଧାନ, କେଶବ ପ୍ରଧାନ, ରବୀନ୍ଦ୍ର ପରିଡ଼ା, ସନ୍ତୋଷ କୁମାର ପରିଡ଼ା, ପ୍ରତାପ ପ୍ରଧାନ, ବନମାଳୀ ପ୍ରଧାନ, ରବୀନ୍ଦ୍ର ସାହୁ ପ୍ରମୁଖ ଚାଷୀମାନେ ଚାଷୀମାନଙ୍କର ପ୍ରକୃତ କ୍ଷୟକ୍ଷତିକୁ ଆକଳନ କରାଯାଇ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାନଗଲେ ଜାନୁଆରୀ ୪ରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବା ନେଇ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।

 

ସମ୍ବନ୍ଧିତ ଖବର