ଘର ଭାଙ୍ଗି ଧାନଚାଉଳ ଖାଇଲେ ହାତୀପଲ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜରେ ହାତୀ ଉପଦ୍ରବ ଜାରି ରହିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାବେଳେ ଭୀମକାଣ୍ଡ ପଞ୍ଚାୟତ ଗୋଳାଗାଡ଼ିଆ ଗ୍ରାମରେ ହାତୀପଲ ପଶି ବିଷ୍ଣୁ ମହାକୁଡ଼ଙ୍କ ୩ବଖରା ଘର ଭାଙ୍ଗିବା ସହ ଧାନଚାଉଳ ଖାଇଛନ୍ତି। ଏହି ପଲରେ ୧୫ରୁ ଊର୍ଦ୍ଧ୍ବ ହାତୀ ଥିଲେ। ହାତୀପଲ ଏକଘଣ୍ଟା ଧରି ଗାଁରେ ଉତ୍ପାତ କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ହାତୀ ଘର ଭାଙ୍ଗୁଥିବା ଜାଣି ପରିବାର ଲୋକେ ଘର କୋଣରେ ଲୁଚି ଯାଇଥିଲେ। କୌଶଳକ୍ରମେ ବିଷ୍ଣୁ ଘରୁ ବାହାରି ପଡ଼ୋ‌ଶୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ମିଶି ହାତୀ ଘଉଡ଼ାଇଥିଲେ। ସେହିପରି ହାତୀପଲ ଗ୍ରାମର ନିରଞ୍ଜନ ନାୟକଙ୍କ ବଗିଚା ଉଜାଡ଼ିଛନ୍ତି।

ତେଲକୋଇ ରେଞ୍ଜରେ ବର୍ତ୍ତମାନ ୪୦ଟି ହାତୀ ଅଛନ୍ତି। ଏଥିରେ ୯ଟି ଦନ୍ତାହାତୀ, ୨୧ଟି ମାଈ ଓ ୧୦ଟି ଛୁଆହାତୀ ଅଛନ୍ତି। ଏହି ହାତୀପଲ ୩/୪ଟି ଦଳରେ ଭାଗ ହୋଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ହାତୀ ଆଳରେ ମଧ୍ୟ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିଦିଆଯାଉଛି। ଲୋକେ ଅନ୍ଧାରରେ ରହୁଛନ୍ତି। ଏହାର ସୁଯୋଗ ନେଇ ହାତୀପଲ ଗାଁରେ ପଶି କ୍ଷୟକ୍ଷତି କରୁଛନ୍ତି। କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ ସାଙ୍ଗକୁ ରାତିରେ ବିଦ୍ୟୁତ୍‌ ସରବରାହ ଜାରି ରଖିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ରଜପର୍ବ ଥିବାରୁ ହାତୀଙ୍କୁ ଅନ୍ୟତ୍ର ଘଉଡ଼ା ଯାଉନଥିଲା। କିନ୍ତୁ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦିଆଯିବ ବୋଲି ରେଞ୍ଜର ପ୍ରମୋଦ କୁମାର ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର