ଟ୍ରକରେ ଗୋଡ଼ କଟିଥିବା ଚାଳକ ପୁର୍ଣ୍ଣଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କଲେ ପରିବାର

ଜୟପୁର: ଗତ ଜୁଲାଇ ୩୧ରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଜଣେ ପରିବାରର ସଦସ୍ୟ ଅସୁସ୍ଥ ଥିବାରୁ ଦେଖିବାକୁ ଯାଇଥିଲେ ଟ୍ରକ ଚାଳକ ତଥା ପାରାବେଢ଼ାର ପୁର୍ଣ୍ଣ ଚନ୍ଦ୍ର ପାଢ଼ୀ। ସେଠାରୁ ଫେରିବା ସମୟରେ ସେ ଗୋଟିଏ ଟ୍ରକକୁ ହାତ ମାରି ଆସୁଥିଲେ। ଟ୍ରକ ଉପରକୁ ଚଢ଼ିବା ସମୟରେ ସେ ଭାରସାମ୍ୟ ହରାଇଥିଲେ। ତାଙ୍କର ଗୋଟିଏ ଗୋଡ଼ ଟ୍ରକ ଚକା ତଳକୁ ପଳାଇଥିଲା।

ଏଥିରେ ତାଙ୍କର ପାଦରେ ଗୁରୁତର ମାଡ଼ ହୋଇଥିଲା। ରକ୍ତସ୍ରାବ ବନ୍ଦ ନ ହେବାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର କରି ପାଦର ଅଧା କାଟି ଦିଆଯାଇଛି। ପରିବାରରେ ତାଙ୍କ ମା, ପତ୍ନୀ ପୁଜାରାଣୀ ଓ ଝିଅ ନମିତା ତାଙ୍କ ଉପରେ ନିର୍ଭର। ଯାହା କିଛି କାମ କରି ସଂଚୟ କରି ରଖିଥିଲେ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଯାଇଛି। ଏବେ ସେ ଆଉ ଗାଡ଼ି ଚଳାଇ ପାରିବେ ନାହିଁ।

ସେ ସରକାରୀ ସହାୟତା ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଯଦି କୌଣସି ବଦାନ୍ୟ ବ୍ୟକ୍ତି ସହାୟତା କଲେ ସେ ତାଙ୍କ ଆଗାମୀ ଦିନର ଚିକିତ୍ସା ସହ ପରିବାର ଚଳିବାରେ ସହଜ ହୋଇ ପାରନ୍ତା ବୋଲି ପୁର୍ଣ୍ଣ କହିଛନ୍ତି।

ସମ୍ବନ୍ଧିତ ଖବର