ଚନ୍ଦାହାଣ୍ଡି ଲ୍ୟାମ୍ପ ଚାଷୀ ପଞ୍ଜିକରଣ ଦୁର୍ନୀତି ପ୍ରତିବାଦରେ ୧୨୫ କିମି ଚାଲିଲେ ଚାଷୀ

ଜିଲ୍ଲାପାଳଙ୍କ ଫାଟକ ନିକଟରେ ପୁଲିସ ଓ ଚାଷୀ ଧସ୍ତାଧସ୍ତି,

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ନକଲି ଚାଷୀ ପଞ୍ଜିକରଣ ମାମଲାରେ ସୁଦୂର ଚନ୍ଦାହାଣ୍ଡିରୁ ବାହାରିଥିବା କିଷାନ ପଦ ଯାତ୍ରା ନବରଙ୍ଗପୁରରେ ଶେଷ ହୋଇଛି । ଚନ୍ଦାହାଣ୍ଡିରୁ ବାହାରିଥିବା କିଷାନ ପଦ ଯାତ୍ରା ୧୨୫ କିମି ଚାଲି ଚାଲି ନବରଙ୍ଗପୁରରେ ଆସି ପହଞ୍ଚିଥିଲେ । ଚାଷୀ ମାନେ ନବରଙ୍ଗପୁରରେ ପହଞ୍ଚିବା ପରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ଭୂଜବଳ ମାଝୀ, ସଦନ ନାୟକ , ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଯୁବ ସଭାପତି ଅଖିଳ ଭତ୍ରା ପ୍ରମୁଖ ସମର୍ଥନ କରି ପଦ ଯାତ୍ରାରେ ସାମିଲ ହୋଇ ନବରଙ୍ଗପୁର ସହର ପରିକ୍ରମା କରିଥିଲେ । ସହର ପରିକ୍ରମା ସାରି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ।

ଚାଷୀ ମାନେ ଜିଲ୍ଲାପାଳଙ୍କୁ ମିଶିବା ପାଇଁ ଜିଦ୍ ଧରି ଫାଟକ ମଧ୍ୟକୁ ପସିବା ପାଇଁ ଉଦ୍ୟମ କରିଥିଲେ । ଯାହା ଫଳରେ ପୁଲିସ ଓ ଚାଷୀ ମାନଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା । ଶେଷ ରେ ୧୪ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ଆଲୋଚନା ବେଳେ ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର ଚାଷୀଙ୍କ ଅଭିଯୋଗ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଅସଲି ଚାଷୀ ଗିରିଧାରୀ ଗୋହିର, ଡମ୍ବୁରୁ ହିରନ ଓ ପଦୁ ପୂଜାରୀ ସେମାନେ କିପରି ଭାବେ ନକଲି ଚାଷୀ ଓ ଦଲାଲ ମାନଙ୍କ ଦ୍ବାରା ତାଙ୍କ ଧାନ ମଣ୍ଡିରେ ବିକ୍ରି କରିପାରି ନାହାନ୍ତି ସେ ବିଷୟରେ କହିଥିଲେ। ପ୍ରତିନିଧୀ ଦଳ ତୁରନ୍ତ ପୂର୍ବତନ ଲ୍ୟାମ୍ପ ଏମଡି, ଦଲାଲ, ମିଲର, ବ୍ୟାଙ୍କ ଏପରି ଯିଏ ଏହି ଦୁର୍ନୀତିରେ ସାମିଲ ହୋଇଛନ୍ତି ସମସ୍ତଙ୍କୁ ଗିରଫ କରିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ତୁରନ୍ତ ଅନ୍ୟ ମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚାଷୀ ପ୍ରତିନିଧୀ ଦଳକୁ କହିଥିଲେ।

ସମ୍ବନ୍ଧିତ ଖବର