ଗୋ ସୁଗମ ଓଡିଶା ପୋର୍ଟାଲ ଚାଷୀଙ୍କ ପାଇଁ ସାଜିଲା ବରଦାନ, ବର୍ଷକୁ ବର୍ଷ କୃଷି ଯନ୍ତ୍ରପାତି ବିକ୍ରି ବୃଦ୍ଧି

ଜୟପୁର: ଗୋ ସୁଗମ ଓଡ଼ିଶା ପୋର୍ଟାଲ କାର୍ଯ୍ୟକାରୀ ହେବା ପରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସହ କୃଷି ଯନ୍ତ୍ରାଂଶ ଚାଷୀମାନେ ନେବାରେ ବି ସଫଳତା ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲାରେ ଗତ କିଛିବର୍ଷ ହେବ ଦେଖାଦେଇଥିବା କୃଷି ଶ୍ରମିକ ସମସ୍ୟା ଦୂର କରିବାରେ ଅତ୍ୟାଧୁନିକ କୃଷି ବୈଷୟିକ ଯନ୍ତ୍ରପାତି ଗୁଡିକ ପ୍ରମୁଖ ସହାୟତା ଦେଇ ଆସୁଛି। ଗତ ଚାରିବର୍ଷ ହେବ କୃଷି ଯନ୍ତ୍ରପାତି ବ୍ୟବହାର ଧିରେ ଧିରେଚାଷୀ ମାନେ ବୃଦ୍ଧି କରିଥିବା ବେଳେ ଏହି ବର୍ଷ ଅଧିକା ବ୍ୟବହାର କରିବାକୁ କୃଷି ବିଭାଗ ଚାଷୀଙ୍କୁ ପ୍ରତ୍ସାହିତ କରିବା ପରେ ସେମାନେ ବି ଆଗ୍ରହ ଦେଖାଇଛନ୍ତି। ଜିଲ୍ଲାର ୧୪ଟି ବ୍ଲକରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ୭୭୦ଟି ଚାଷୀଙ୍କୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗାଯାଇଥିଲା।

୨୦୨୦-୨୧ଆର୍ଥିକ ବର୍ଷରେ ୭୮୩ଟି, ୨୦୨୧-୨୨ଆର୍ଥିକ ବର୍ଷରେ ୮୦୨ଟି ଏବଂ ୨୦୨୨-୨୩ଆର୍ଥିକ ବର୍ଷରେ ୧୩୦୮ଟି କୃଷି ବୈଷୟିକ ଯନ୍ତ୍ରପାତି ଚାଷୀଙ୍କୁ ଗୋ-ସୁଗମ୍ ପୋର୍ଟାଲ ମାଧ୍ୟମରେ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ବର୍ଷକ ମଧ୍ୟରେ ୫୦୬ଟି ଅଧିକା କୃଷି ଯନ୍ତ୍ରପାତି ଚାଷୀ ମାନେ ପାଇ ପାରିଛନ୍ତି। ଏଥିରେ ଟ୍ରାକ୍ଟର, ପାୱରଟିଲର, ଡିଜେଲ ପମ୍ପସେଟ୍, ରୋଟାଭେଟର, ଟ୍ରାନସପ୍ଲାଣ୍ଟର, କମ୍ବାଇନ୍ ହାର୍ଭଷ୍ଟର, ମଲଟିକ୍ରଫ ଥ୍ରେସର, ପାୱର ୱିଡର, ମିନି ରାଇସ ମିଲ, ପିପି ଇକ୍ୟୁଫମେଣ୍ଟ, ପୋଷ୍ଟ ହାର୍ଭାଷ୍ଟ ମେସିନାରୀ ସହ ଆଉ କିଛି ଯନ୍ତ୍ରାଂଶ ବି ଚାଷୀ ମାନେ କିଣିଛନ୍ତି। ଏହାକୁ ରାଜ୍ୟ ଓ କେନ୍ଦ୍ରସରକାରଙ୍କ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରି ବ୍ୟାପକ ସବସିଡି ଚାଷୀ ମା‌ନଙ୍କୁ ଯୋଗାଇ ଦିଆଯାଇଛି।

ଏଥିରେ ଅଧିକା ଟ୍ରାକ୍ଟର, ପାୱରଟିଲର, ମଲଟିକ୍ରଫ ଥ୍ରେସର, ପାୱର ୱିଡର ଅଧିକା ରହିଛି। ଚାଷୀ ମାନେ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଠିକ ସମୟରେ ପାଇବାକୁ ହେଲେ ନିଜ ମୋବାଇଲରେ ଗୋସୁଗମ ପୋର୍ଟାଲ ଆପକୁ ଡାଉନଲୋଡ୍ କରି ନିଜେ ପଞ୍ଜୀକରଣ କରିବାକୁ ପଡ଼ିବ। ଏହି ପୋର୍ଟାଲରେ କୃଷି, ମତ୍ସ୍ୟ, ପଶୁପାଳନ, ଉଦ୍ୟାନ, ଜଳଯୋଗାଣ, ବିଦ୍ୟୁତ ଆଦି ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ସେବା ଯୋଗାଇବା ପାଇଁ ସରକାର ଆବେଦନ ପ୍ରକ୍ରିୟାକୁ ସରଳ କରି ଏହାକୁ କୃଷକମାନଙ୍କ ପାଇଁ ସିଙ୍ଗଲ୍ ୱିଣ୍ଡୋରେ ପରିଣତ କରାଯାଇଛି। ସେମାନେ ଆବେଦନ କରିଥିବା ଆବେଦନପତ୍ରର କାର୍ଯ୍ୟକାରିତା ସଂପର୍କରେ ସେମାନଙ୍କ ମୋବାଇଲ ନମ୍ବରରେ ରିଅଲ୍-ଟାଇମ୍ ସ୍ଥିତିକୁ ଟ୍ରାକ୍ କରିପାରିବେ। ସେମାନଙ୍କର ଆବେଦନର ପରବର୍ତ୍ତୀ ପର୍ଯ୍ୟାୟ ପ୍ରକ୍ରିୟାକରଣ ପାଇଁ କିଏ ଦାୟୀ ତାହା ସେମାନେ ଏହି ପୋର୍ଟାଲ ମଧ୍ୟମରେ ଜାଣିବେ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଆବେଦନକାରୀମାନେ ପ୍ରତ୍ୟେକ ପର୍ଯ୍ୟାୟରେ ସେମାନଙ୍କର ଆବେଦନ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ ହୋଇଥିବା ଆବେଦନର ସ୍ଥିତି ଏସଏମଏସ କିମ୍ବା ଇ-ମେଲରେ ବିଜ୍ଞପ୍ତି ମଧ୍ୟ ପାଇ ପାରିବେ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର