ସମବାୟ ବ୍ୟାଙ୍କ ଅଧିକାରୀଙ୍କ ଟଣାଓଟରା, ବଳି ପଡ଼ିବେ ସୁନ୍ଦରଗଡ଼ର ଲକ୍ଷାଧିକ କ୍ଷୁଦ୍ର ଚାଷୀ

ମିଳୁନି ଋଣ, ଚାଷ କାର୍ଯ୍ୟ ବାଧାପ୍ରାପ୍ତ

ସୁନ୍ଦରଗଡ଼ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ ଯୋଗାଇ ଦେଉଛନ୍ତି ବିପୁଳ ପରିମାଣର କୃଷି ଋଣ ଓ ସହାୟତା। ଏ କ୍ଷେତ୍ରରେ ଚାଷୀଙ୍କ ବ୍ୟାଙ୍କ ଭାବେ ପରିଚିତ କେନ୍ଦ୍ର ସମବାୟ ବ୍ୟାଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି। କିନ୍ତୁ ଚଳିତ ବର୍ଷ ସୁନ୍ଦରଗଡ଼ସ୍ଥିତ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଆଦିବାସୀ ଚାଷୀଙ୍କୁ ଆବଶ୍ୟକ ମୁତାବକ ଖରିଫ ଋଣ ଦେବାରେ ପଛେଇ ଯାଇଛି। ବିଗତ ବର୍ଷମାନଙ୍କରେ ଜିଲ୍ଲାର ଚାଷୀମାନଙ୍କୁ ସମୟୋଚିତ ଓ ଚାହିଦା ମୁତାବକ କୃଷି ଋଣ ଯୋଗାଇ ସାରା ରାଜ୍ୟରେ ଶୀର୍ଷସ୍ଥାନ ଅଧିକାର କରି ଆସିଥିବା ଏହି ବ୍ୟାଙ୍କ ଚଳିତ ଖରିଫ ଋଣରେ ଏକ ପ୍ରକାର ହାତ ଟେକି ଦେଇଛି କହିଲେ ଭୁଲ ହେବ ନାହିଁ। ଯାହାକୁ ନେଇ ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ର ପ୍ରାୟ ଲକ୍ଷାଧିକ ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ତେବେ ଅନୁସନ୍ଧାନ ପରେ ଯେଉଁ କାରଣଟି ସାମ୍ନାକୁ ଆସିଛି, ତାହା ସୁନ୍ଦରଗଡ଼ ଜିଲ୍ଲାର ନିରୀହ ଆଦିବାସୀ ଚାଷୀକୁଳ ପାଇଁ ବିଡ଼ମ୍ବନା ଛଡ଼ା ଆଉ କିଛି ନୁହେଁ ବୋଲି କୁହାଯାଇପାରେ। ନାବାର୍ଡ ଠାରୁ ରାଜ୍ୟ ସମବାୟ ବ୍ୟାଙ୍କ ମାଧ୍ୟମରେ ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କକୁ ପୁନଃ ଋଣ ଲଗାଣ (ରିଫାଇନାନ୍ସ) ଗତ ୨୦୨୦ ଅପ୍ରେଲ ୧ରୁ ଏଯାଏ ବନ୍ଦ କରି ଦିଆଯାଇଛି। ଆଉ ଏହା ପଛରେ ଯେଉଁ କାରଣଟି ରହିଛି, ତାହା ହେଲା ରାଜ୍ୟ ସମବାୟ ବ୍ୟାଙ୍କ ଓ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିକାରୀଙ୍କ ମଧ୍ୟରେ ଟଣାଓଟରା। ଜିଲ୍ଲା ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେଶଚନ୍ଦ୍ର ଦାସଙ୍କୁ ହଟାଇବା ଜିଦକୁ ନେଇ ଏ ଅଚଳାବସ୍ଥା ସୃଷ୍ଟି ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଭବାନୀ ମାଝୀ ଅଭିଯୋଗ କରିଛନ୍ତି। ୨୦୦୪-୦୫ରୁ ୨୦୧୨-୧୩ ମଧ୍ୟରେ ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କରେ ହୋଇଥିବା ୧୦ କୋଟିରୁ ଅଧିକ ଟଙ୍କାର ଅନିୟମିତତାକୁ ୨୦୧୩ ଜାନୁଆରି ୨୧ରେ ସ୍ପେଶାଲ ଅଡିଟ୍ ଧରିଥିଲା। ସେତେବେଳେ ବ୍ୟାଙ୍କ ଶାଖା ପରିଚାଳକ ସୁବାସଚନ୍ଦ୍ର ରଥ ଓ ହିସାବ ରକ୍ଷକ ନିତ୍ୟାନନ୍ଦ ନାୟକ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ହେବା ସହ ନିଲମ୍ବିତ ହୋଇଥିଲେ। କିନ୍ତୁ ସେ ସମୟରେ ଅର୍ଥାତ ୨୫.୬.୨୦୦୩ରୁ ୧୩.୧୧.୨୦୦୬ ମଧ୍ୟରେ ବ୍ୟାଙ୍କ ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଥିବା ଗୋପବନ୍ଧୁ ଶତପଥୀଙ୍କୁ ତଦନ୍ତ ପରିସରକୁ ଆଣି ନଥିଲା ଭିଜିଲାନ୍ସ। କିନ୍ତୁ ଏହି ଅନିୟମିତତାରେ ସିଇଓଙ୍କ ଭୂମିକା ଉପରେ ପ୍ରଶ୍ନ କରି ଏହାକୁ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି ପୂର୍ବତନ ବ୍ୟାଙ୍କ ସଭାପତି ଶ୍ରୀ ମାଝୀ। ସେ ଦର୍ଶାଇଛନ୍ତି ଯେ, ୨୦୦୬ ଅପ୍ରେଲ ୧୩ ତାରିଖରେ ତତ୍କାଳୀନ ସିଇଓ ଶ୍ରୀ ଶତପଥୀ ତତ୍କାଳୀନ ବ୍ୟାଙ୍କ ମ୍ୟାନେଜମେଣ୍ଟକୁ ଅନ୍ଧାରରେ ରଖି ରାଉରକେଲା ଶାଖାକୁ ସ୍ବତନ୍ତ୍ର ଆର୍ଥିକ କ୍ଷମତା ଦେଇଥିଲେ। ଏହାର ଫାଇଦା ନେଇ ୧୦ କୋଟିର ଅନିୟମିତତା କରିଥିଲେ ବ୍ୟାଙ୍କ ଅଧିକାରୀ। ତେବେ ବର୍ତ୍ତମାନର ସିଇଓ ସୁରେଶଚନ୍ଦ୍ର ଦାସ ୨୦୨୦ ନଭେମ୍ବର ୧୩ରେ ସ୍ବତନ୍ତ୍ର ଆର୍ଥିକ କ୍ଷମତାକୁ ରଦ୍ଦ କରି ବ୍ୟାଙ୍କ ମୁଖ୍ୟାଳୟଙ୍କ ଅବଗତି ବିନା ଶାଖା ବ୍ୟାଙ୍କଗୁଡ଼ିକ କୌଣସି ଦେଣନେଣ ବା କ୍ଲିୟରାନ୍ସ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ମାଝୀଙ୍କ ସୂଚନା ଅନୁସାରେ, ୨୦୧୯ ଫେବ୍ରୁଆରିରେ ଆରବିଆଇ ଓ ନାବାର୍ଡ ମାର୍ଗଦର୍ଶିକା ଅନୁଯାୟୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସୁରେଶଚନ୍ଦ୍ର ଦାସଙ୍କୁ ବ୍ୟାଙ୍କ ନିଯୁକ୍ତି ଦେଇଥିଲା। କିନ୍ତୁ ରାଜ୍ୟ ସମବାୟ ବ୍ୟାଙ୍କ ରେଜିଷ୍ଟ୍ରାରଙ୍କ ଅନୁମୋଦନ ଲଭି ନଥିବା ଦର୍ଶାଇ ତାଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହା ବିରୋଧରେ ବ୍ୟାଙ୍କ ପରିଚାଳନା କମିଟି ଓ ଖୋଦ୍ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦାସ ଉଚ୍ଚ ନ୍ୟାୟାଳୟରୁ ୨୦୨୦ ଜୁନରେ ରହିତାଦେଶ ଆଣିଥିଲେ। ଯାହା ଏବେ ବି ବଳବତ୍ତର ରହିଛି। ତେବେ ଏହା ମଧ୍ୟରେ ବ୍ୟାଙ୍କ ପ୍ରଶାସକ ତଥା ଜିଲ୍ଲାପାଳ ପରିଚାଳନା କମିଟି ଦାଏର କରିଥିବା ମାମଲାକୁ ପ୍ରତ୍ୟାହାର କରି ନେଇଛନ୍ତି। କିନ୍ତୁ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦାସଙ୍କ ମାମଲା ବିଚରାଧୀନ ରହିଛି। ଏହା ସତ୍ତ୍ବେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ଶ୍ରୀ ଦାସଙ୍କ ନାମରେ ବ୍ୟାଙ୍କ ପାଣ୍ଠିର ଅପବ୍ୟବହାର ତଥା ଆର୍ଥିକ ଅନିୟମିତତା ଅଭିଯୋଗ ଉଠାଇ ତାଙ୍କୁ ନିଲମ୍ବିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟରେ ଶ୍ରୀ ଦାସଙ୍କୁ ଇସ୍ତଫା ଦେଇ ଚାଲିଯିବାକୁ ଚାପ ପକାଯାଉଥିବା ଅଭିଯୋଗ ହୋଇଛି। ଗୋପବନ୍ଧୁ ଶତପଥି ୨୦୨୦ ଜୁଲାଇ ୧ରେ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଭାବେ ଯୋଗ ଦେବା ପରଠାରୁ ସୁନ୍ଦରଗଡ଼ ବ୍ୟାଙ୍କକୁ ପୁନଃଋଣ ଯୋଗାଣ ବନ୍ଦ ଓ ଇସ୍ତଫା ଚାପ ବଢ଼ିଥିବା ପୂର୍ବତନ ସଭାପତି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଏପରିକି ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡି.ବି. ଜେନାଙ୍କ ସମୟରେ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳରେ ବ୍ୟାଙ୍କର ଦ୍ବିତୀୟ ବରିଷ୍ଠ ଅଧିକାରୀଙ୍କ ଦସ୍ତଖତରେ ଦିଆଯାଉଥିବା ପୁନଃ ଲଗାଣ ଋଣ ଧାରାକୁ ବି ସେ ରଦ୍ଦ କରି ଦେଇଛନ୍ତି।। ରାଉରକେଲା ବ୍ୟାଙ୍କ ଆର୍ଥିକ ଅନିୟମିତତା ଧରିବା, ଶ୍ରୀ ଶତପଥୀଙ୍କୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ ଆବେଦନ ଓ ପୂର୍ବର ଗୋପନ ଚିଠି ସାମ୍ନାକୁ ଆଣିବା ପରେ ଶ୍ରୀ ଶତପଥୀ କ୍ଷୁବ୍ଧ ଥିବା ଓ ସେହି କାରଣରୁ ସୁନ୍ଦରଗଡ଼ ସମବାୟ ବ୍ୟାଙ୍କକୁ ଅବହେଳା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ତେବେ ଅଧିକାରୀଙ୍କ ଏହି ଲଢ଼େଇ ମଧ୍ୟରେ ଜିଲ୍ଲାର ନିରୀହ ଚାଷୀମାନଙ୍କୁ ବଳି ପକାଇବା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଗତ ଆର୍ଥିକ ବର୍ଷରେ ସୁନ୍ଦରଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କରୁ ୮୮୨.୮୯ କୋଟି ଟଙ୍କା ଚାଷୀ ତଥା ସ୍ବୟଂ ସହାୟକ ଗୋଷ୍ଠୀ, ମିଳିତ ଦେୟ ଗୋଷ୍ଠୀମାନଙ୍କୁ ଋଣ ସୂତ୍ରରେ ପ୍ରଦାନ କରାଯାଇଛି। ସେହିପରି ୨୦୨୦ ସେପ୍ଟେମ୍ବର ୩୦ ମଧ୍ୟରେ ୫୯୬.୬୬ କୋଟି ଋଣ ଦେଇ ବ୍ୟାଙ୍କ ରାଜ୍ୟର ସର୍ବୋତ୍ତମ ସ୍ଥାନ ହାସଲ କରିଛି। ତେବେ ୨୦୨୦ ଏପ୍ରିଲ ୧ରୁ ୨୦୨୦ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କ ନାବାର୍ଡରୁ ରାଜ୍ୟ ସମବାୟ ବ୍ୟାଙ୍କ ଜରିଆରେ ୪୫୦.୮୪ କୋଟି ଟଙ୍କା ଓ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୮୫୦ କୋଟି ରିଫାଇନାନ୍ସ ପାଇବାକୁ ହକଦାର ଥିଲା। କିନ୍ତୁ ଏହାକୁ ବନ୍ଦ କରିଦିଆଯାଇଛି। ଫଳରେ ଖରିଫ ଋତୁରେ ଚାଷୀଙ୍କୁ ଋଣ ଦେବା ସମ୍ଭବ ହେଉ ନାହିଁ। ତେବେ ଅଧିକାରୀଙ୍କ ଏହି ଟଣାଓଟରା ଭିତରେ ଜିଲ୍ଲାର ନିରୀହ ଚାଷୀ, ହଜାରେରୁ ଅଧିକ ସ୍ବୟଂ ସହାୟିକା ଗୋଷ୍ଠୀ ବଳି ପଡ଼ୁଥିବାରୁ ରାଜ୍ୟ ସରକାରଙ୍କ ୫-ଟି ସଚିବ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ବ୍ୟାଙ୍କକୁ ରିଫାଇନାନ୍ସ ଯୋଗାଇ ଦେବାକୁ ଶ୍ରୀ ମାଝୀ ଅନୁରୋଧ କରିଛନ୍ତି। ନହେଲେ ଅସନ୍ତୁଷ୍ଟ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର