ଅକାଳରେ ଅସ୍ତମିତ ଏକ ତାରା

ଦେବପ୍ରସାଦ ପରିଜା

ତପୁ, ଏକ ହସକୁରୀ ଝିଅର ନାମ। ତପୁ, ଏକ କୋକିଳକଣ୍ଠୀ ଗାୟିକାର ନାମ। ତପୁ, ପୁଣି ଏକ ଅହଂଶୂନ୍ୟ, ସରଳ, ହୃଦୟଖୋଲା ମଣିଷର ନାମ। କିନ୍ତୁ ସେହି ନାମଧାରୀ ଆଉ ନାହିଁ। ପଞ୍ଚଭୂତରେ ଲୀନ ହୋଇସାରିଛି ସେହି ରକ୍ତମାଂସର ଶରୀରଟି। ଠୋଠୋ ହସୁଥିବା ସେ ହସ ଆଉ ଶୁଭୁନି କି ଶୁଭିବନି। ଆଉ ନୂଆ ସଙ୍ଗୀତ ତା’ ସ୍ବରରେ ଝଙ୍କୃତ ହେବନି। ତା’ ଯିବାର ତ ସମୟ ହୋଇ ନ ଥିଲା, ମାତ୍ର ସତେ ଅବା ଜିଦି କରି ଚାଲିଗଲା! ଦେହ ଖରାପ ହେଲା, ବାପା ହୃଦ୍‌ଘାତରେ ଯିବା ପରେ ପରେ। ସମସ୍ତଙ୍କର କହିବା ସତ୍ତ୍ବେ ସେ ସ୍ବାସ୍ଥ୍ୟ ପରୀକ୍ଷା କଲା ନାହିଁ। ବାପାଙ୍କ ଅବର୍ତ୍ତମାନରେ ଅତିଶୟ ଭାଙ୍ଗି ପଡିଥିଲା ତପୁ। ଯେପରି ସେ ଆଉ ଚାହୁଁ ନ ଥିଲା ବଞ୍ଚିବାକୁ!

ଶେଷରେ ଡାକ୍ତରଖାନାରେ ପ୍ରବଳ ଅସୁସ୍ଥତା ସହ ଭର୍ତ୍ତି ହେଲା। ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖାନାକୁ ଗଲା। ଡାକ୍ତରମାନେ ଚିକିତ୍ସା ତ କଲେ। କିନ୍ତୁ ତପୁ ଭଳି ଏକ ଗାୟିକା ପାଇଁ ସରକାର ଯେଉଁ ଉଦ୍ୟମ କରିବା କଥା ତାହା କଲେ ନାହିଁ। ଗୋଟିଏ ବିଶେଷଜ୍ଞ ଡାକ୍ତର ଦଳ ଗଠନ କରି ତା’ର ଚିକିତ୍ସାକୁ ଅଧିକ ତ୍ବରାନ୍ବିତ କରାଯାଇ ପାରିଥାନ୍ତା। ଉନ୍ନତ ଚିକିତ୍ସା ପାଇଁ ଅର୍ଥ ମଧ୍ୟ ବାଧକ ସାଜିଲା। କ୍ରାଉଡ୍‌ ଫଣ୍ଡିଂ ପାଇଁ ତା’ର ପରିବାର ହଠାତ୍‌ ମନ ସ୍ଥିର କରି ପାରିଲେ ନାହିଁ। ସରକାର ମଧ୍ୟ ଧ୍ୟାନ ଦେଲେ ନାହିଁ। ଯେତେବେଳେ ଜନତାଙ୍କୁ ସହାୟତା ପାଇଁ ଅନୁରୋଧ କରାଗଲା, ସେତେବେଳକୁ ଭେଣ୍ଟିଲେଟର ମଧ୍ୟରେ ତପୁର ଜୀବନ ସଂଗ୍ରାମ ପ୍ରାୟ ଶେଷ ପର୍ଯ୍ୟାୟରେ। ସେତେବେଳକୁ ଡାକ୍ତରଖାନା ଶଯ୍ୟାରେ ତା’ର ବିତିଲାଣି ଅଣତିରିଶ ଦିନ। ଏହି ସମୟ କିଛି କମ୍‌ ସମୟ ନ ଥିଲା। ତା’ର ତିରୋଧାନ ପରେ ଟ୍ବିଟରରେ ଶୋକବାର୍ତ୍ତା ଦେବା ପାଇଁ ସତେ ଯେମିତି ପ୍ରତିଯୋଗିତା ଚାଲିଲା। ମାତ୍ର ଏହି ପ୍ରତିଯୋଗିତା ଯଦି ତପୁକୁ ବଞ୍ଚେଇବା ପାଇଁ ହୋଇଥାଆନ୍ତା, ହୁଏତ ତପୁ ଆଜି ଆମ ଗହଣରେ ଥାଆନ୍ତା।

ଆଜି ସିଏ ଅତୀତ। ମୋର ବି ମନେ ପଡୁଛି ଅତୀତ, ଯେଉଁ ଦିନ ମୁଁ ତାକୁ ପ୍ରଥମେ ଭେଟିଥିଲି। ସମ୍ବାଦ ପତ୍ରିକା ସଂଭାବନାର କାର୍ଯ୍ୟାଳୟ ସଂଲଗ୍ନ କୋଠରିରେ ରହୁଥାଆନ୍ତି ଦୁଇଜଣ ସାମ୍ବାଦିକତାର ଛାତ୍ରୀ। ସେମାନେ ସଂଭାବନାର ସଂପାଦନା ସହ ଜଡ଼ିତ ଥାଆନ୍ତି। ହଠାତ୍‌ ଦିନେ ତପୁ ଜଣେ ସମ୍ପର୍କୀୟ ଭାଇଙ୍କ ସହ ଆସି ପହଞ୍ଚିଲା। ସେ ସେତେବେଳେ ସମ୍ବଲପୁରରେ ତା’ ବାପାମାଆଙ୍କ ସହ ରହୁଥାଏ। ସଙ୍ଗୀତଜଗତରେ ତା’ର ଖ୍ୟାତି ସହ କାମ ମଧ୍ୟ ବଢ଼ିବାରେ ଲାଗିଥାଏ। ଗୀତ ରେକର୍ଡିଂ ପାଇଁ ତାକୁ ବାରମ୍ବାର କଟକ ଓ ଭୁବନେଶ୍ୱର ଆସିବାକୁ ପଡୁଥାଏ। ତେଣୁ ସେ ଆସିଥିଲା ଉକ୍ତ ଦୁଇଜଣ ଝିଅଙ୍କ ସହ ମେସ୍‌ରେ ରହିବା ପାଇଁ। ମୋର ମନେ ଅଛି ସେ ବହୁତ ସହଜରେ ଓ ଅଳ୍ପ ସମୟରେ ମିଶିଗଲା ସେ ଦୁଇଜଣଙ୍କ ସହ। ତିନି ଭଉଣୀ ଭଳି ସେମାନେ ଏକାଠି ରହିବାକୁ ଲାଗିଲେ। ମତେ ବି ଲାଗିଲା ସେମାନେ ମୋର ସାନଭଉଣୀ। ପ୍ରାୟ ତିନି/ଚାରି ବର୍ଷ ସେ ରହିଛି ମୋ ପାଖରେ। ତା’ପରେ ତପୁର ବାପା କ୍ଷେତ୍ରମୋହନ ମିଶ୍ର, ଯିଏ କି ଷ୍ଟେଟ୍‌ ବ୍ୟାଙ୍କର ପରିଚାଳକ ଥିଲେ, ସ୍ବେଚ୍ଛାକୃତ ଅବସର ନେଇ ଭୁବନେଶ୍ୱର ଆସିଲେ। ତା’ପରେ ତପୁ ମୋ ପାଖରୁ ଯାଇ ତା’ ପରିବାର ସହ ରହିଲା। ସେ ଚାଲିଗଲା ସତ କିନ୍ତୁ ସେତେବେଳକୁ ସେ ମୋତେ ତା’ର ପୂରା ପରିବାର ସହ ଯୋଡି ସାରିଥାଏ। ସମସ୍ତେ ମତେ ତାଙ୍କ ପରିବାରର ଏକ ସଦସ୍ୟ ଭାବରେ ଗ୍ରହଣ କରି ସାରିଥାଆନ୍ତି।

ମାତ୍ର ଛତିଶ ବର୍ଷ ବୟସରେ ଝଟକୁଥିବା ତାରକାଟି ହଠାତ୍‌ ଅସ୍ତମିତ ହୋଇଗଲା। ମାତ୍ର ତା’ର ସ୍ମୃତି ଚିର ଜାଜ୍ଜ୍ବଲ୍ୟମାନ ରହିବ। ସେ ବଞ୍ଚିରହିବ ତା’ର ସଂଗୀତ ଭିତରେ ଚିରଦିନ ପାଇଁ। ତେବେ ଆସନ୍ତୁ ଶପଥ ନେବା ଏଭଳି ‘ତାରା’ମାନଙ୍କୁ ଅବହେଳା କରି ଅକାଳରେ ଅସ୍ତମିତ ହେବାକୁ ଦେବା ନାହିଁ।

ସମ୍ବନ୍ଧିତ ଖବର