ଫ୍ଲେକ୍ସ ଓ ପୋଷ୍ଟର ପାଇଁ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବାକି ଥିବା ଅଭିଯୋଗ କରି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏତଲା ଦେଲେ ବ୍ୟବସାୟୀ

ମନ୍ଦ ଉଦ୍ଦେଶ୍ୟ ରଖି ମତେ ବଦନାମ କରାଯାଉଛି : ସାଂସଦ ଅନୁଭବ ମହାନ୍ତି

କେନ୍ଦ୍ରାପଡ଼ା: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ କେନ୍ଦ୍ରାପଡ଼ାର ଜଣେ ବ୍ୟବସାୟୀ ଥାନାରେ ଏତଲା ଦେଇଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ପୋଷ୍ଟର ଓ ଫ୍ଲେକ୍ସ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ପୈଠ କରି ନ ଥିବା ଅଭିଯୋଗରେ ବଳଦେବ ଆଡ୍ ମିଡିଆ ନାମକ ଏକ କମ୍ପାନି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛି। ବଳଦେବ ଆଡ ମିଡିଆର ମାଲିକ ସ୍ମୃତି ରଂଜନ ସ୍ୱାଇଁଙ୍କ ପକ୍ଷରୁ ଏହି ଅଭିଯୋଗ ହୋଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଗତ ନିର୍ବାଚନରେ ଫ୍ଲେକ୍ସ ଓ ପୋଷ୍ଟର ପାଇଁ ୩୨ ଲକ୍ଷ ୫୬ହଜାର ଟଙ୍କାର କାମ କରାଇଥିଲେ। ତେବେ ବର୍ତମାନ ସୁଦ୍ଧା ସାଂସଦ ଅନୁଭବ ମହାନ୍ତି ୧୧ଲକ୍ଷ ୩୫ ହଜାର ଟଙ୍କା ବାକି ରଖିଥିବା ଅଭିଯୋଗ କରିଛନ୍ତି ସ୍ମୃତି ରଂଜନ। ବାରମ୍ବାର ମାଗିବା ପରେ ଟଙ୍କା ନମିଳିବାରୁ ଆଜି ସେ ବାଧ୍ୟ ହୋଇ ଅନଲାଇନ ଯୋଗେ କେନ୍ଦ୍ରାପଡା ସଦର ଥାନାରେ ଏତଲା ଦାୟର କରିଛନ୍ତି । ଏତଲାର ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ମଧ୍ୟ ପଠାଇଥିବା ସ୍ମୃତି ରଂଜନ ସ୍ୱାଇଁ କହିଛନ୍ତି।

ଅଭିଯୋଗ ପରେ ସାଂସଦ ଅନୁଭବ ମହାନ୍ତି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଖରାପ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରାଯାଇଛି। ନିର୍ବାଚନ ଖର୍ଚ୍ଚ ସମୟରେ ନିର୍ବାଚନ କମିସନଙ୍କୁ ସବୁ ତଥ୍ୟ ଦେଇଛି। କେନ୍ଦ୍ରାପଡ଼ାର ବିକାଶ ପାଇଁ ଯୁବ କନ୍‌କ୍ଲେଭ୍‌ ପାଇଁ ପଦକ୍ଷେପ ନେଇଛି। ସେହି ସମୟରେ ମନ୍ଦ ଉଦ୍ଦେଶ୍ୟ ରଖି ଏପରି ଅଭିଯୋଗ ଆସିଛି। ଭଲକାମରୁ ଦୃଷ୍ଟି ହଟାଇବାକୁ ଏପରି ଅଭିଯୋଗ ଅଣାଯାଇଥିବା ସାଂସଦ ଅନୁଭବ କହିଛନ୍ତି। ଓଡ଼ିଶା ଓ କେନ୍ଦ୍ରାପଡ଼ାର ଲୋକେ ମୋତେ ବହୁଭୋଟରେ ବିଜୟୀ କରିଛନ୍ତି। ତେଣୁ ଏଭଳି ନ୍ୟସ୍ତସ୍ୱାର୍ଥକାରୀଙ୍କ ମତକୁ ଲୋକେ ପ୍ରତ୍ୟାଖ୍ୟାନ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର