ବିଲ୍ଡରଙ୍କ କବଜାରୁ ଜବରଦଖଲମୁକ୍ତ ହେଲା ୫ ଏକର ଗୋଚର ଜମି

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲ ପୂରଣ ପଧାନ ପଞ୍ଚାୟତ ଅଧୀନ ବିଶୁନିଆପଡ଼ା ଏବଂ ପୂରଣପଧାନ ଅଞ୍ଚଳରେ ବିଲ୍ଡରଙ୍କ କବଜାରେ ଥିବା ପ୍ରାୟ ୫ ଏକର ପରିମିତ ଗୋଚର କିସମ ଜମିକୁ ଆଜି ଜବରଦଖଲମୁକ୍ତ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ପ୍ଲଟିଂ ସ୍କିମକୁ ରାସ୍ତା ନେବା ପାଇଁ ଜମି ମାଫିଆଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି। ଏକାଧିକ ବିଲ୍ଡର ଉପରୋକ୍ତ ଜମି କବଜା କରିବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। ସ୍ଥାନୀୟ ଲୋକ ଏସଂପର୍କରେ ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ ଶତାଧିକ ଦସ୍ତଖତ ସମ୍ବଳିତ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ତହସିଲଦାର ସରୋଜ କୁମାର ପଣ୍ଡା ସରଜମିନ ତଦନ୍ତ କରି ଉକ୍ତ ମୌଜାରେ ଥିବା ଗୋଚର କିସମ ଜମି ମାପଚୁପ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପୂରଣ ରାଜସ୍ବ ନିରୀକ୍ଷକ ଅଶୋକ ଦାସ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସରକାରୀ ଜମି ଚିହ୍ନଟ କରାଯାଇଥିଲା। ଜମି ମାପଚୁପରୁ ୫ ଏକର ପରିମିତ ଗୋଚର କିସମ ଜମିକୁ ବିଲ୍ଡର କବଜା କରି ନେବାକୁ ଯୋଜନା କରିଥିବା ଜଣାପଡ଼ିଥିଲା। ଏମିତିକି ପ୍ଲଟିଂ ସ୍କିମକୁ ରାସ୍ତା ନେବା ପାଇଁ ଡୋଜର ଲଗାଇ ଗଛ ଭାଙ୍ଗି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଗ୍ରାମବାସୀ ସମୂହ ଚାରା ରୋପଣ କରି ବିଲ୍ଡରଙ୍କ ଗୋଚର ଜବରଦଖଲକୁ ବିରୋଧ କରିଥିଲେ। ଆଜି ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଗୋଚର ଜମି ଜବରଦଖଲମୁକ୍ତ ହେବା ସହ ସେଠାରେ ପ୍ରବେଶ ନିଷେଧ ଫଳକ ଲଗା ଯାଇଥିଲା।

ସମ୍ବନ୍ଧିତ ଖବର