ରାଉରକେଲାରେ ବୁଲା କୁକୁରଙ୍କୁ ଦିଆଯାଉଛି ପୁଷ୍ଟିକର ଖାଦ୍ୟ

ରାଉରକେଲା: କରୋନା ମହାମାରୀ ପାଇଁ ସଂପ୍ରତି ଲକଡାଉନ୍/ସଟଡାଉନ୍ ଲାଗୁ କରାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ୍ ସମେତ ବିଭିନ୍ନ ଦୋକାନ ବଜାର ବନ୍ଦ ରହୁଛି। ଏମିତିକି ଜନସାଧାରଣଙ୍କ ଗମନାଗନରେ ମଧ୍ୟ ଅଙ୍କୁଶ ଲାଗିଛି। ଏଣୁ ଏହି ସମୟରେ ବୁଲା ଗାଈ ଗୋରୁ, କୁକୁରମାନଙ୍କ ଜୀବନ ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଛି। ବୁଲା କୁକୁର, ଗାଈଙ୍କ କ୍ଷେତ୍ରରେ ଖାଦ୍ୟାଭାବ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ବୁଲା ଗାଈ ଗୋରୁ, କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ରାଉରକେଲା ମହାଗର ନିଗମ (ଆରଏମସି) ପକ୍ଷରୁ ନିଗମ ଅଞ୍ଚଳ ଓ ଆରଏମସି ସହରାଞ୍ଚଳରେ ଥିବା ବୁଲା ପଶୁଙ୍କୁ ସୁସ୍ବାଦୁ ଖାଦ୍ୟ ବଣ୍ଟନ କରାଯାଉଛି।
ରାଉରକେଲାରେ ବର୍ତ୍ତମାନ ଆନୁମାନିକ ୫ ହଜାରରୁ ଉର୍ଦ୍ଧ୍ବ ବୁଲା କୁକୁର ଅଛନ୍ତି। ତେବେ କୁକୁର ତୁଳନାରେ ବୁଲା ଗାଈଗୋରୁଙ୍କ ସଂଖ୍ୟା କମ୍। ଏହି ବୁଲା ପଶୁଙ୍କୁ ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଗତ ୧୦ ତାରିଖରୁ ଆରମ୍ଭ କରାଯାଇଛି। ଏହି ବାବଦକୁ ରାଉରକେଲା ମହାନଗର ନିଗମ(ଆରଏମସି) ପକ୍ଷରୁ ଦୈନିକ ୧୦ ହଜାର ଟଙ୍କା ବ୍ୟୟ କରାଯାଉଛି। ବୁଲା ପଶୁଙ୍କ ପାଖରେ ସୁରୁଖୁରୁରେ ଖାଦ୍ୟ ପଠାଇବା ପାଇଁ ୩ଟି ସ୍ବେଚ୍ଛାସେବୀ ସଂଗଠନକୁ ନିଯୁକ୍ତ କରାଯାଇଛି। ଏଥିମଧ୍ୟରୁ ୨ଟି ସଙ୍ଗଠନ ରାଉରକେଲା ମହାନଗର ନିଗମ ଓ ଗୋଟିଏ ସଙ୍ଗଠନ ଆର୍ଏସ୍ପି ସହରାଞ୍ଚଳରେ କାର୍ଯ୍ୟରତ। ରାତି ୯ଟା ହେବାମାତ୍ରେ ଏହି ସଙ୍ଗଠନର ସ୍ବେଚ୍ଛାସେବୀମାନେ ବାହାରିଯାଆନ୍ତି ଖାଦ୍ୟ ବଣ୍ଟନ ପାଇଁ; ଯାହାକି ବିଳମ୍ବିତ ରାତି ଯାଏଁ ଚାଲେ। ଆର୍ଏସ୍ପି ସହରାଞ୍ଚଳର ବିଭିନ୍ନ ସେକ୍ଟର ସମେତ ମହାନଗର ନିଗମର ପ୍ରମୁଖ ଅଞ୍ଚଳ, ଯଥା-ଛେଣ୍ଡ୍, ଡିଏଭି ଛକ, ଉଦିତନଗର ଛକ, ବାସନ୍ତୀକଲୋନି, ବିଏସ୍ଏନଏଲ ଛକ, ପାନପୋଷ, ସ’ମିଲ୍, ସିଭିଲ ଟାଉନସିପ୍, ମେନ୍ ରୋଡ୍ ଆଦି ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ବୁଲା କୁକୁରମାନଙ୍କୁ ଖାଦ୍ୟ ପରସା ଯାଇଥାଏ। ଏମାନଙ୍କୁ ଘରେ ରନ୍ଧା ଭାତ, କ୍ଷୀର ଦିଆଯାଇଥାଏ। ଏମିତିକି ବିଭିନ୍ନ ରୋଗରୁ ସୁରକ୍ଷିତ ରଖିବାକୁ ଔଷଧ ଦିଆଯାଉଛି। ସେହିଭଳି ବୁଲା ଗାଈ ଗୋରୁଙ୍କୁ ମଧ୍ୟ ଖାଦ୍ୟ ବଣ୍ଟନ କରାଯାଉଛି। ଏନେଇ ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, କରୋନା ମହାମାରୀ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ସ୍ଥିତିରେ ସ୍ବାଭାବିକତା ଫେରାଇ ଆଣିବାକୁ ପ୍ରଶାସନ ବେଶ୍ ତତ୍ପର ଓ ସଜାଗ ରହିଛି। ଅପରପକ୍ଷରେ ବୁଲା ଗାଈ, କୁକୁରଙ୍କୁ ମଧ୍ୟ ଉଚିତ ଧ୍ୟାନ ଦେବାର ଆବଶ୍ୟକତା ଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ବୁଲା ପଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯାଉଥିବା କମିଶନର କହିଛନ୍ତି।

ସମ୍ବନ୍ଧିତ ଖବର