ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଗିରଫ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତବର୍ଷ ସବୁଠାରୁ ଚର୍ଚ୍ଚିତ ଘଟଣା ମଧ୍ୟରୁ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ରହିଥିଲା। ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ମାଲକାନଗିରି ଥାନାରେ ଏତଲା ଦାୟର କରାଯାଇଛି।

ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସମେତ ତିନି ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଏହି ଘଟଣାରେ ଏସଆଇଟି ଟିମ ଗଠନ କରାଯାଇ ମଧ୍ୟ ତଦନ୍ତ କରାଯାଉଛି। ତେବେ ଆଜି ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଏକ ଟିମ ଆଜି ମାଲାକାନଗିରି ଏସପି ରିଶିକେଷ ଖିଲାରିଙ୍କୁ ଭେଟି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଗିରଫ କରିବା ପାଇଁ ଦାବି କରିଛି।

ନଚେତ ଆଗାମୀ ୨୯ ତାରିଖରେ ଜିଲ୍ଲାରେ ଆନ୍ଦୋଳନ କରାଯିବା ସହ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛି। ଏଥିପାଇଁ ଜିଲ୍ଲା ପୁଲିସ ଦାୟୀ ରହିବ ବୋଲି କୁହାଯାଇଛି। ପ୍ରକାଶ ଥାଉକି ତତ୍କାଳୀନ ଜିଲ୍ଲାପାଳଙ୍କ ନାମରେ ପୁଲିସ ଧାରା ୩୦୨,୫୦୬,୨୦୧,୨୦୪,୧୨୦(ବି) ଏବଂ ୩୪ ଦଫାରେ ଏକ ମକଦ୍ଦମା ରୁଜୁ କରିଛି।

ଏସଆଇଟି ଟିମ ଗଠନ ହେବାର ଦୁଇ ମାସ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୂର୍ବତନ ଜିଲ୍ଲାପାଳଙ୍କୁ ଗିରଫ କରାଯାଇ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏଥିସହ ଥରେ ବି ତାଙ୍କୁ ଡାକି ଜେରା କରାଯାଇ ନାହିଁ ବୋଲି କୁହାଯାଇଛି। ଆଇନ ସମସ୍ତଙ୍କ ପାଇଁ ସମାନ ଥିବା ବେଳେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରା ଗଠିତ ଏସଆଇଟି ଟିମ କାହିଁ ପୂର୍ବତନ ଜିଲ୍ଲାପାଳଙ୍କୁ ସହାନୁଭୁତି ଦେଖାଉଛି ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର