ବିପୁଳ ପରିମାଣରେ କାଠ ଜବତ: ୨ଟି ଟ୍ରାକ୍ଟର ସହ ୪ ଗିରଫ

ମାଲକାନଗିରି: ମାଲକାନଗିରି ବନ ବିଭାଗକୁ ମିଳିଛି ବଡ ସଫଳତା। କାଠ ଚୋରାଚାଲାଣ କରାଯାଉଥିବା ବେଳେ ବିପୁଳ ପରିମାଣରେ କାଠ ଜବତ କରାଯିବା ସହ ଦୁଇଟି ଟ୍ରାକ୍ଟର ଏବଂ ଚାରି ଜଣଙ୍କୁ ଗିରଫ କରାଯାଇଛି। ଡିଏଫଓ ପ୍ରଦୀପ ମିରାସେଙ୍କ ନିର୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନେତୃତ୍ବରେ କମାଲଗୁଡା ଗ୍ରାମ ନିକଟରେ ଦୁଇଟି ଟ୍ରାକ୍ଟର ସହ କାଠ ଜବତ କରାଯାଇଛି।

ବିଶେଷ ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ସମେତ ଅନ୍ୟ କର୍ମଚାରୀମାନେ କମାଲଗୁଡା ଠାରେ ଛକି ରହିଥିଲେ। ଗୋରାଖଣ୍ଟାରୁ ଏମଭ-୨୪ ଗ୍ରାମକୁ କାଠ ଚୋରା ଚାଲାଣ କରାଯାଉଥିବା ବେଳେ କାମଲଗୁଡା ଠାରେ ଟ୍ରାକ୍ଟରକୁ ଅଟକାଇ କାଠ ଜବତ କରିଥିଲେ। ଏଥିରେ ଶାଗୁଆନ ସହ ବିଜା, ପିଆଶାଳ କାଠ ଗଣ୍ଡି ରହିଛି। ୧୨୦ ସିଫ୍ଟ କାଠ ଜବତ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।ଏହି କାଠକୁ ଚୋରା ଚାଲାଣ କରୁଥିବା ଆସାମୀମାନେ ହେଲେ ଏମଭି-୩୯ ଗ୍ରାମର ଭୈରବ ଧର, କାଡେଲ ମେଟାଲ ଗ୍ରାମର କୋସା ସୋଡି, ଏମଭି-୩୯ ଗ୍ରାମର ମିଣ୍ଟୁ ବିଶ୍ବାସ ଏବଂ କାଡଲମେଟାଲ ଗ୍ରାମର ଦେବ ପୂଜାରୀ। ତେବେ ଆଜି ଚାରି ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା କୁହାଯାଇଛି। ଏହି ଚଢାଉରେ ବନାଞ୍ଚଳ ଅଦିକାରୀ ଶ୍ରୀ ବିଷୋୟୀଙ୍କ ସମେତ ଫରେଷ୍ଟର ମୁରଲୀଧର ଅନୁଗୁଳିଆ, ରାଜେଶ ସେଠୀ, ଦିପ୍ତୀରଂଜନ ନାୟକ, ଅର୍ଜୁନ ବୋଟେ ସମେତ ୧୫ ଜଣ ପାରା ଷ୍ଟାଫ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର