ସମସ୍ୟା ଘେରରେ ୬୦ ବର୍ଷର ଗଙ୍ଗଦାହାଟ, ଏ ଯାଏ ବାହାରୁନି ସମାଧାନ ବାଟ

ଗାରୋଇ: ସମସ୍ୟାରେ ପୋତି ‌ହୋଇପଡ଼ିଛି ୬୦ ବର୍ଷର ଗଙ୍ଗଦାହାଟ। ଅବହେଳା ଏହାର ପିଛା ଛାଡ଼ୁନି। ନାଉଗାଁ ବ୍ଲକ୍‌ ଡେରିକି ପଞ୍ଚାୟତରେ ଅବସ୍ଥିତ ବ୍ଲକ୍‌ର ଏହି ଅନ୍ୟତମ ପୁରୁଣା ହାଟର ଅବସ୍ଥା କହିଲେ ନ ସରେ। ପୁଳା ପୁଳା ସମସ୍ୟାରେ ଛନ୍ଦି ହୋଇପଡ଼ିଛି ସିନା, ସମାଧାନର ବାଟ କିନ୍ତୁ ବାହାରି ପାରୁନି। ହାରାଜସ୍ବ ରେକର୍ଡ ଅନୁଯାୟୀ ଏହାର ଆୟତନ ଏକ ଏକର ୬୫ ଡିସିମିଲ। ସପ୍ତାହକୁ ୨ଥର ହାଟ ଲାଗୁଥିବା ବେଳେ ପ୍ରାୟ ୫ଟି ପଞ୍ଚାୟତର ୩୦ ହଜାର ଜନସାଧାରଣ ଓ ୨୦୦ରୁ ଅଧିକ ଛୋଟ ବଡ଼ ବ୍ୟବସାୟୀ ଏହା ଉପରେ ନିର୍ଭର କରିଥାନ୍ତି। କିନ୍ତୁ ବ୍ଲକ୍‌ ପ୍ରଶାସନ ଏହି ହାଟର ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ପ୍ରତିବର୍ଷ ବ୍ଲକ୍‌ ପ୍ରଶାସନ ପକ୍ଷରୁ ନିଲାମ ଡକାଯାଇ ଏଠାରୁ ଅର୍ଥ ସଂଗ୍ରହ କରାଯାଏ। ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ହାଟକୁ ନେଇ ଗଠିତ ହୋଇଥିବା କମିଟିକୁ ସରକାର ୧୯,୦୦୦ ଟଙ୍କା ଲିଜ୍‌ ସୂତ୍ରରେ ଦେଇଛନ୍ତି। ସେହପରି ରାଜସ୍ବ ବିଭାଗ ମଧ୍ୟ ଜବରଦଖଲ ଆଇନ ମାଧ୍ୟମରେ ୫୪୯୦ ଟଙ୍କା ଆଦାୟ କରିଛି। କିନ୍ତୁ ହାଟ ସମସ୍ୟାର ସମାଧାନ କରାଯାଉ ନାହିଁ। ଏହି ହାଟ ନିକଟରେ ଗୋବରୀ ନଦୀ ପ୍ରବାହିତ ହେଉଛି। ନଦୀ ପଠାରେ ହାଟର କିଛି ଜମି ମିଶିଯାଇଥିବାରୁ ପୁନରୁଦ୍ଧାର ଦାବି ହେଉଛି। ଦିନକୁ ଦିନ ହାଟ ସଙ୍କୁଚିତ ହେଉଛି, ସ୍ଥାନ ଅଭାବରୁ ବ୍ୟବସାୟୀମାନେ ରାସ୍ତା କଡ଼ରେ ପସରା ମେଲାଇ ପନିପରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି।

ଏହି ରାସ୍ତାଟି ନାଉଗାଁ ବ୍ଲକ୍‌ ମୁଖ୍ୟ ରାସ୍ତା-ବାଲିକୁଦା ବ୍ଲକ୍‌-ପୁରୀ ଜିଲ୍ଲାକୁ ମଧ୍ୟ ସଂଯୋଗ କରୁଥିବାରୁ ହାଟ ପାଳି ଦିନ ଟ୍ରାଫିକ୍ ସମସ୍ୟା ଦ୍ବିଗୁଣିତ ହୋଇଥାଏ। ସେହିଭଳି ଜଳଯୋଗାଣ ବିଭାଗ ପକ୍ଷରୁ ହାଟର ମୁଖ୍ୟରାସ୍ତା କଡ଼ରୁ ଦଶହାତ ଦୂରରେ ଥିବା ଷ୍ଟାଣ୍ତ୍‌ ପୋଷ୍ଟଟି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାର ମରାମତି ସହ ଆଉ ୨ଟି ନଳକୂପ ସ୍ଥାପନ ପାଇଁ ବ୍ୟବସାୟୀମାନେ ଦାବି କରିଛନ୍ତି। ପରିମଳ ବ୍ୟବସ୍ଥା କଥା ନକହିବା ଭଲ, ଆଜିପର୍ଯ୍ୟନ୍ତ ଶୌଚାଳୟଟିଏ ନିର୍ମାଣ ହୋଇପାରିଲା ନାହିଁ। ସ୍ଥାନ ଅଭାବ ପାଇଁ ୨୦୧୪-୧୫ ଆର୍ଥିକ ବର୍ଷରେ ବ୍ଲକ୍‌ ପ୍ରଶାସନ ତରଫରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ଏଠାରେ ଏକ ମାର୍କେଟ୍ କମ୍ପ୍ଲେକ୍ସ (୭ରୁ ୮ଟି ଗୃହ) ଉଦ୍‌ଘାଟିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେହିପରି ରାସ୍ତା କଡ଼ରେ ମାଂସ ଦୋକାନ ଗୁଡ଼ିକ ଖୋଲାଯାଇଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର