୧୦୪୭ କିଲୋ ଗଞ୍ଜେଇ ଆନ୍ଧ୍ର-ଛତିଶଗଡ଼କୁ ଚାଲାଣ ପୂର୍ବରୁ ଜବତ, ୭ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଓର୍କେଲ ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଜବତ କରିବା ସହ ୭ ଜଣ ଆସାମୀକୁ ଗିରଫ କରିଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଚିତ୍ରକୋଣ୍ଡା, ଓର୍କେଲ, ଖଇରପୁଟ, କୁଡୁମୁଲୁଗୁମ୍ମା ଅଞ୍ଚଳରେ ଗଞ୍ଜେଇ ଧରପଗଡ ଜୋରଦାର ଚାଲିଛି। ଏହି କ୍ରମରେ ଗତ କାଲି ରାତିରେ ବାଲିମେଳା ଏବଂ ଖଡିକାଯୋଡି ଗ୍ରାମ ନିକଟରେ ପୁଲିସ ପେଟ୍ରୋଲିଂ କରୁଥିଲା। ତେବେ ଖଡିକାଯୋଡି ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ଲୋକ ପୁଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ। ପୁଲିସ ସନ୍ଦେହ କରି ଏହି ଲୋକମାନଙ୍କୁ ଜଙ୍ଗଲରେ ଘେରାବନ୍ଦୀ କରି ଧରିଥିଲେ। ଜଙ୍ଗଲରେ ପୁଲିସ ୭ ଜଣକୁ ଧରିବାରେ ସଫଳ ହୋଇଥିଲିା। ଏମାନଙ୍କୁ ଧରି ପୁଲିସ ପଚରାଉଚରା କରିବା ପରେ ଏମାନ ଗଞ୍ଜେଇ ଚାଲାଣ କରୁଥିବା ସ୍ବୀକାର କରିଥିଲେ।

ଖଡିଆଯୋଡି ନିକଟସ୍ଥ ଜଙ୍ଗଲରେ ଏକ ସ୍ଥାନରେ ପ୍ରାୟ ୧୦୪୭ କିଲୋ ଗଞ୍ଜେଇ ଲୁଚାଇ ରଖିଥିଲେ। ଏହାକୁ ପଡୋଶୀ ଆନ୍ଧ୍ର, ଛତିଶଗଡକୁ ଚାଲାଣ କରାଯାଇଥାନ୍ତା। ତେବେ ପୁଲିସର ଏହି ଧରପଗଡରେ ଗଞ୍ଜେଇ ଚାଲାଣ ହୋଇପାରିନଥିଲା। ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ବୋଲି ଜଣାପଡିଛି। ପୁଲିସ ଦ୍ବାରା ଗିରଫ ହୋଇଥିବା ୭ ଜଣ ଆସାମୀ ମାନେ ହେଲେ ନାରିଙ୍ଗିଝୋଲା ଗ୍ରାମର ଧବଲୁ ମୁଦୁଲି(୩୭), ରାଜୁ ଗୁଡିଆ(୨୪), ସାଧୁ ମୁଦୁଲି(୩୦), ସନୁ ମଦୁଲି(୨୩), ଶିବ ମୁଦୁଲି(୨୩), ସନିଆ ଗୋଲପେଦା(୩୯) ଏବଂ ଫୁଲପଦର ଗ୍ରାମର ଆଲିଓ ଖରା(୧୯)। ଏମାନଙ୍କୁ ଆଜି ଓର୍କେଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା କହିଛି। ମାଲକାନଗିରି ପୁଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସଫଳ ହେବାରେ ଲାଗିଛି। ଲଗାତାର ଗଞ୍ଜେଇ ଜବତ କରିବା ସହ ଆସାମୀମାନଙ୍କୁ ଗିରଫ କରୁଛି। ଆଗାମୀ ଦିନରେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ଦିଗରେ ପୁଲିସ ଜୋରସୋର ଚଢାଉ କରିବା ସହ ଜିଲ୍ଲାର ସମ୍ପୂର୍ଣ୍ଣ ଗଞ୍ଜେଇକୁ ଚାଲାଣକୁ ବନ୍ଦ କରାଯିବ ବୋଲି କହିଛି।

ସମ୍ବନ୍ଧିତ ଖବର