ଗଞ୍ଜାମର ଝିଅ ଏରଡ଼ଙ୍ଗାର ବୋହୂ ରଘୁନାଥପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା

ସଂଘର୍ଷରୁ ସଫଳତା; ରାଜନୀତି ଦେଇଛି ପରିଚୟ, ୫ ବର୍ଷରେ ବ୍ଲକ୍‌କୁ ଶୀର୍ଷରେ ପହଞ୍ଚାଇବି: ଲକ୍ଷ୍ମୀ

ତାରପୁର: ସ୍ବାମୀ ଠେଲାଗାଡ଼ିରେ ଜଳଖିଆ ଦୋକାନ କରିଛନ୍ତି। ଶ୍ବଶୁର ବି ଜଣେ ଫେରି ବେପାରୀ। ଦାରିଦ୍ର୍ୟତା ସାଙ୍ଗକୁ ପରିବାର‌ରେ ଅନେକ ସମସ୍ୟା। କିନ୍ତୁ ରାଜନୀତି ପ୍ରତି ଥିବା ଦୁର୍ବଳତା ପାଇଁ ସେ ଏବେ ଚର୍ଚ୍ଚାରେ। ଅଦମ୍ୟ ସଂଘର୍ଷ ଓ ପ୍ରବଳ ଇଚ୍ଛାଶକ୍ତି ତାଙ୍କୁ ରାଜନୀତିରେ ସଫଳତାର ବାଟ ଦେଖାଇଛି। ରାଜନୀତି ତାଙ୍କୁ ପରିଚୟ ଦେଇଛି। ରଘୁନାଥପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଲକ୍ଷ୍ମୀ ବେହେରା ରାଜନୀତି କ୍ଷେତ୍ରରେ ସମସ୍ତ ବାଧାବିଘ୍ନକୁ ପାଦରେ ଦଳି ଏହି ଗୁରୁତ୍ବପୂର୍ଣ୍ଣ ପଦ ହାତେଇଛନ୍ତି। ଲକ୍ଷ୍ମୀ ଗଞ୍ଜାମ ଜିଲ୍ଲା କୋଦଳା ବ୍ଲକ୍‌ ଦୁଲପଡ଼ା ଗାଁର ଝିଅ, ଜଗତସିଂହପୁର ଜିଲ୍ଲା ଏରଡ଼ଙ୍ଗା ଗାଁର ବୋହୂ। ୨୦୦୯ରେ ସେ ଏରଡ଼ଙ୍ଗାର ସୁଶାନ୍ତ କୁମାର ବେହେରାଙ୍କୁ ବିବାହ କରନ୍ତି। ବିବାହର କିଛି ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସ୍ବାମୀଙ୍କ ସହିତ ଗତ ବିଧାନସଭା ନିର୍ବାଚନରେ ସ୍ବର୍ଗତ ବିଷ୍ଣୁ ଦାସଙ୍କ ସପକ୍ଷରେ ପ୍ରଚାରରେ ବାହାରି ଦଳୀୟ ନେତାଙ୍କ ଦୃଷ୍ଟିକୁ ଆସନ୍ତି। ବିଷ୍ଣୁଙ୍କ ଖାସ୍‌ ସମର୍ଥକ ଖୋକନ ରାୟଙ୍କ ମାର୍ଗଦର୍ଶନରେ ପ୍ରଥମେ କଂଗ୍ରେସ୍‌ ସମର୍ଥିତ ଭୋଟରଙ୍କୁ ନିଜ ସପକ୍ଷରେ ନେଇ ବିଧାନସଭା ଉପନିର୍ବାଚନରେ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବିପୁଳ ଭୋଟରେ ବିଜୟୀ କରିବାରେ ଭୂମିକା ଗ୍ରହଣ କରି ବାହାବା ସାଉଁଟନ୍ତି।
ତେବେ ସୌଭାଗ୍ୟକୁ ଏହି ପଂଚାୟତର ସମିତିସଭ୍ୟ ପଦବି ହରିଜନ ମହିଳା ବର୍ଗର ଓ ସମିତି ଅଧ୍ୟକ୍ଷ ପଦବି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିବାରୁ ଭାଗ୍ୟଦେବୀଙ୍କ ପ୍ରସନ୍ନ ତାଙ୍କୁ ସଫଳତାର ବାଟ କଢ଼ାଏ।

ଅବଶ୍ୟ ଦଳୀୟ ସମର୍ଥନରେ ଟିକଟ ପାଇବାରୁ ନିରାଶ ହୋଇଥିଲେ ହେଁ ଖୋକନ ରାୟଙ୍କ ପରାମର୍ଶ କ୍ରମେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରନ୍ତି। ତେବେ ପ୍ରାର୍ଥୀପତ୍ର ଯାଂଚରେ ଦଳୀୟ ସମର୍ଥିତ ଦୀପିକା ପ୍ରିୟଦର୍ଶିନୀ ମଲ୍ଲିକ ନାମାଙ୍କନ କଟିଯିବାରୁ ଲକ୍ଷ୍ମୀଙ୍କ ପାଇଁ ବିରୋଧୀମାନଙ୍କ ସମର୍ଥନର ବାଟ ଫିଟେ। ଦଳୀୟ ସମର୍ଥକଙ୍କ ଅକୁଣ୍ଠ ସମର୍ଥନରେ ୩୪୭ ଖଣ୍ତ ଭୋଟ ବ୍ୟବଧାନରେ ସେ ପ୍ରତିଦ୍ବନ୍ଦ୍ବୀଙ୍କୁ ମାତ୍‌ ଦେଇ ବିଜୟୀ ହୁଅନ୍ତି। ଏହି ବିଜୟ ରାଜନୈତିକ ଜୀବନର ସଫଳତା ଆଡ଼କୁ ବାଟକାଢ଼େ। ସମିତି ଅଧ୍ୟକ୍ଷା ପଦ ପାଇଁ ୪ ଜଣ ସମିତିସଭ୍ୟା ଓ ଜଣେ ସମିତିସଭ୍ୟ ଦାବିଦାର ଥିବାବେଳେ ପଞ୍ଚାୟତର ଆଗ ଧାଡ଼ିର କର୍ମୀ ତାରାକାନ୍ତ ଜେନା, ଖୋକନ ରାୟ, ଅନୀଲ ମହାନ୍ତି ପ୍ରମୁଖ ଏକାଠି ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଲକ୍ଷ୍ମୀଙ୍କୁ ପ୍ରାର୍ଥୀ କରାଇବା ରଣନୀତିରେ ସଫଳ ହୁଅନ୍ତି। ବ୍ଲକ୍ ବିଜେଡ଼ି ସଭାପତି ଦେବାଶିଷ ତ୍ରିପାଠୀ ଓ ଅନ୍ୟ ନେତୃବୃନ୍ଦଙ୍କ ସମର୍ଥନ ହାସଲ ପରେ ଏହି ପଦ ପାଇଁ ନିର୍ଦ୍ବନ୍ଦ୍ବ ଦାବିଦାର ଭାବେ ଲକ୍ଷ୍ମୀ ଅଧ୍ୟକ୍ଷା ପଦ ଅଳଙ୍କୃତ କରିବାରେ ସକ୍ଷମ ହୁଅନ୍ତି। ତାଙ୍କୁ ଏହି ମର୍ଯ୍ୟାଦାପନ୍ନ ପଦବିରେ ଅଧିଷ୍ଠିତ କରାଇବାରେ ସମସ୍ତ ନେତୃବୃନ୍ଦଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷରେ ବ୍ଲକ୍‌ର ସମସ୍ତ ବିକାଶ କାମକୁ ଆଗକୁ ନେବେ ବୋଲି କହିଛନ୍ତି। ଏପରିକି ମହିଳାଙ୍କ ସଶକ୍ତୀକରଣ ଓ ସ୍ବାବଲମ୍ବୀ କରିବା ଲକ୍ଷ୍ୟରେ ସେ ସଫଳ ହେବେ ବୋଲି ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର