ସୁରତରେ ଦାଦନଙ୍କ ମୃତ୍ୟୁ, ଧାନପୁଞ୍ଜାରେ ଶୋକାକୁଳ ପରିବେଶ

ବେଲଗୁଣ୍ଠା : ଗଞ୍ଜାମରେ ସରୁନି ଦାଦନ ଦୁଃଖ । ଗୁଜୁରାଟର ସୁରତରେ କାମ କରୁଥିବା ବେଲଗୁଣ୍ଠା ବ୍ଲକ୍ ପାଇଲିପଡ଼ା ପଞ୍ଚାୟତ ଧାନପୁଞ୍ଜା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଶୋକାକୁଳ ପରିବେଶ ଆଣି ଦେଇଛି। ମୃତକଜଣକ ହେଲେ ସଞ୍ଜୟ ପରିଡ଼ା (୪୧)। ଗତକାଲି ଗାଁରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି।

୧୫ ବର୍ଷ ତଳେ ବାପା ଜୁ‌ରେଶ୍ବରଙ୍କ ମୃତ୍ୟୁ ପରେ ପରିବାରର ପ୍ରତିପୋଷଣ ଓ ଭଉଣୀର ବାହାଘର ଲାଗି ସଞ୍ଜୟ ସୁରତ‌ରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଲକଡାଉନ୍ ସମୟରେ ଗାଁକୁ ଫେରିଥିବା ବେଳେ ସ୍ଥିତି ସ୍ବାଭାବିକ ହେବା ପରେ ମାସେ ତଳେ ପତ୍ନୀ ଓ ଦୁଇ ଝିଅକୁ ଧରି ପୁଣି ସୁରତ ପଳାଇଥିଲେ। ହେଲେ ସେଠାରେ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଅର୍ଥାଭାବ ଯୋଗୁଁ ଉନ୍ନତମାନର ଚିକିତ୍ସା ନିମିଳିବାରୁ ପାଞ୍ଚ ଦିନ ତଳେ ସଞ୍ଜୟଙ୍କ ସେଠାରେ ମୃତ୍ୟୁ ହୋଇଥିଲା। ଏନେଇ ଅମ୍ରୋଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବକୁ ବ୍ୟବଚ୍ଛେଦ ପରେ ଭିଟାମାଟିକୁ ପଠାଯାଇଥିଲା। ଗତକାଲି ସଞ୍ଜୟଙ୍କ ଶବ ଧାନପୁଞ୍ଜାରେ ପହଞ୍ଚିବା କ୍ଷଣି ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ନିଜର ଏକ ମାତ୍ର ପୁଅକୁ ହରାଇ ୬୫ ବର୍ଷୀୟା ବୁଢ଼ୀମା’ ନିର୍ବାକ୍ ପାଲଟି ଆଖିରୁ ଲୁହ ଝରାଉଥିଲେ। ଘରର ଏକମାତ୍ର ରୋଜଗାରିଆ ସଦସ୍ୟ ସଞ୍ଜୟ ଚାଲିଯିବା ପରେ ତାଙ୍କ ପରିବାର ବେସାହାରା ପାଲଟିଛି। ସରକାରୀ ସହାୟତା ପ୍ରଦାନ ଲାଗି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର