ପ୍ରଦୀପ ଲିଙ୍କ୍‌: ଅଡ଼ୁଆରେ ବ୍ରହ୍ମପୁର ସିଟି କଲେଜର ଦୁଇ ପୂର୍ବ ଅଧ୍ୟକ୍ଷ

ବ୍ରହ୍ମପୁର: ଜନବିରୋଧୀ କାର୍ଯ୍ୟ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜୁ ଜନତା ଦଳରୁ ବହିଷ୍କୃତ ହେଲେ। ଏହା ପରେ ଟାଟା ମୋଟର୍ସରେ ଚାକିରି କରାଇବା ନାଁରେ‌ ଠକେଇ ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଛନ୍ତି। ତେବେ ପ୍ରଦୀପଙ୍କ ସହ ନିବିଡ଼ ସଂପର୍କ ରଖିବା ଏବେ କିଛି ବ୍ୟକ୍ତିଙ୍କ ଲାଗି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗୋପାଳପୁର ବିଧାୟକଙ୍କ ଅନୁଗତ ଥିବା ବ୍ରହ୍ମପୁର ସିଟି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଭି.ସର୍ବେଶ୍ବର ରାଓ ଏବଂ କମ୍ବୁପାଣି ସାହୁ ଏବେ ଅଡୁଆରେ ପଡ଼ିଛନ୍ତି। ଏହି ଦୁଇ ପ୍ରାକ୍ତନ କଲେଜ ଅଧ୍ୟକ୍ଷ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ରହିଥିବା ଜଣାପଡ଼ିଛି। ଗିରଫଦାରି ଭୟରେ ସର୍ବେଶ୍ବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିବା ଚର୍ଚ୍ଚା ଧରିଛି।

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀ ଛନ୍ଦି ହେବା ପରେ ତାଙ୍କ ବ୍ରହ୍ମପୁର ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍‌ର ଦେଣନେଣ ସମ୍ପର୍କିତ ବିବରଣୀ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। କମ୍ବୁପାଣି ସାହୁ ୨୦୨୦ ‌ସେପ୍ଟେମ୍ବର ୧ତାରିଖରେ ବିଧାୟକଙ୍କ ଆକାଉଣ୍ଟ୍‌କୁ ୨୦ଲକ୍ଷ ଟଙ୍କା ପଠାଇଥିବା ଏଥିରୁ ପଦାକୁ ଆସିଥିଲା।‌ ସେତେବେଳେ ବିଧାୟକ ଶ୍ରୀ ପାଣିଗ୍ରାହୀ କହିଥିଲେ, କମ୍ବୁପାଣି ସାହୁ ଆମ ଗାଁ ବଡ଼ କୁଶସ୍ଥଳୀର ପିଲା, ଏବଂ ଗାଁ ପିଲା ହିସାବରେ ତାଙ୍କ ଠାରୁ ଅର୍ଥ ଆଣିଥିବା ସେ ଏକରକମ ସ୍ବୀକାର କରିଥିଲେ। ତେବେ ଅନୁସନ୍ଧାନରୁ ଜଣାପଡ଼ିଛି, କମ୍ବୁପାଣି ସାହୁ ବ୍ରହ୍ମପୁର ସିଟି କଲେଜରେ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ଥିଲେ। ୨୦୧୬ ମସିହା ଏପ୍ରିଲ ୩୦ରେ ସେ ଉକ୍ତ କଲେଜର ଅଧ୍ୟକ୍ଷ ହୋଇଥିଲେ। ୨୦୧୮ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସିଟି କଲେଜର ଅଧ୍ୟକ୍ଷ ରହି ସେ ଅବସର ଗ୍ରହଣ କରିଥିଲେ। ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀ ୨୦୧୩ ଜାନୁଆରି ୧୭ତାରିଖଠାରୁ ୨୦୨୦ ଜାନୁଆରି ୨୩ ଯାଏ ବ୍ରହ୍ମପୁର ସିଟି କଲେଜର ପରିଚାଳନା ପରିଷଦ ସଭାପତି ଥିଲେ। ତେଣୁ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ସାହୁଙ୍କ ସହ ପାଣିଗ୍ରାହୀଙ୍କ ନିବିଡ଼ତା ରହିଥିଲା। ତେବେ ଶ୍ରୀ ସାହୁ ଏତେ ଅର୍ଥ ବିଧାୟକଙ୍କୁ କାହିଁକି ଓ କେଉଁ ସୂତ୍ରରୁ ‌ଦେଲେ ତାହାକୁ ନେଇ କ୍ରାଇମ୍‌ବ୍ରାଞ୍ଚ୍‌ ଖୋଳତାଡ଼ କରୁଥିବା ଜଣାପଡ଼ିଛି। ଏହାକୁ ନେଇ କମ୍ବୁପାଣି ସାହୁଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି ସେହିପରି ଗୋପାଳପୁର ବିଧାୟକଙ୍କ ଏକାନ୍ତ ଅନୁଗତ ତଥା ଅଘୋଷିତ ପରାମର୍ଶଦାତା ହେଉଛନ୍ତି ପ୍ରାକ୍ତନ ଅଧ୍ୟକ୍ଷ ଭି.ସର୍ବେଶ୍ବର ରାଓ। ୧୯୭୫ରେ ଶ୍ରୀ ରାଓ ଇଂରାଜୀ‌ରେ ପିଜି କରି ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଆଡହକ୍ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ଏହାପରେ ୧୯୮୦ରେ ସେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ସେଠାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିବା ପରେ ୩ ବର୍ଷ ପାଇଁ ଗଞ୍ଜାମ ସ୍ଥିତ ଗଞ୍ଜାମ ବିଜ୍ଞାନ ମହାବିଦ୍ୟାଳୟକୁ ବଦଳି ହୋଇ ଯାଇଥିଲେ। ଏହାପରେ ପୁଣି ଖେମୁଣ୍ଡି କଲେଜକୁ ଯାଇଥିଲେ। ୨୦୧୧ ମସିହା ଜାନୁଆରି ୨୮ ତାରିଖଠାରୁ ସେହି ବର୍ଷ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସିଟି କଲେଜର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ। ଚାକିରିରୁ ଅବସର ପରେ ୨୦୧୪ ମସିହାରେ ଗୋପାଳପୁର ବିଧାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଅଘୋଷିତ ପରାମର୍ଶଦାତା ସାଜି କ୍ଷମତାଶାଳୀ ହୋଇଥିଲେ। ଶ୍ରୀ ପାଣିଗ୍ରାହୀ ଉଚ୍ଚଶିକ୍ଷା ମନ୍ତ୍ରୀ ଥିବା ବେଳେ ଜିଲ୍ଲାର କେଉଁ ଅଧ୍ୟାପକଙ୍କ କେଉଁଠିକି ବଦଳି ହେବ ତାହା ଶ୍ରୀ ରାଓଙ୍କ ଜରିଆରେ ହିଁ ସ୍ଥିର ହେଉଥିଲା। ଗୋପାଳପୁର ବିଧାୟକଙ୍କ ସମସ୍ତ କାର୍ଯ୍ୟ ଶ୍ରୀ ରାଓ ବୁଝାସୁଝା କରୁଥିଲେ। ଏବେ ଟାଟା ମୋଟର୍ସ‌ ଠକେଇ ମାମଲାରେ ଜେଲ୍‌ ଯାଇଥିବା ଆକାଶ ପାଠକଙ୍କ ପିଏ ଡେଭିଡ଼୍‌ ପିଟର୍‌ ଭିଜିଲାନ୍ସ ଓ କ୍ରାଇମ୍‌ବ୍ରାଞ୍ଚ୍‌ ନିକଟରେ ସର୍ବେଶ୍ବରଙ୍କ ସବୁ ଗୁମର ଖୋଲି ଦେଇଛନ୍ତି। ଟାଟା ମୋଟର୍ସ ଠକେଇ ପଛରେ ସର୍ବେଶ୍ବର ଅନ୍ୟତମ କାର୍ପଟରଦାର ରହିଥିବା ସେ କହିବା ପରେ ସର୍ବେଶ୍ବରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଯେ କୌଣସି ପରିସ୍ଥିତିରେ କ୍ରାଇମ୍‌ବ୍ରାଞ୍ଚ୍‌ ସର୍ବେଶ୍ବରଙ୍କୁ ଗରିଫ କରିପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର