ଆର୍‌ଟିଆଇ କର୍ମୀ ହତ୍ୟା ଅଭିଯୁକ୍ତକୁ ଆକ୍ରମଣ ଘଟଣା: ପିଣ୍ଟୁଙ୍କ ନାଁରେ ମାମଲା, ୬ ଅଭିଯୁକ୍ତ ଗିରଫ

ଗୋଳନ୍ଥରା/ବ୍ରହ୍ମପୁର: ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ୍‌ ପିଣ୍ଟୁଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ହତ୍ୟା ଉଦ୍ୟମ ଘଟଣାରେ ତାଙ୍କ ନାଁରେ ଗୋଳନ୍ଥରା ଥାନାରେ ପୁଣି ଏକ ମାମଲା ରୁଜୁ ହୋଇଛି। ଅବଶ୍ୟ ପିଣ୍ଟୁଙ୍କ ବିରୋଧରେ ଅଦ୍ୟାବଧି ଠୋସ୍‌ ପ୍ରମାଣ ଆସି ନାହିଁ। ଏ ନେଇ ଘଟଣାର ଅଧିକ ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି। ସେପଟେ ଏହି ମାମଲାରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗୋସାଇଁନୂଆଗାଁର ରଞ୍ଜିତ ନାୟକ, ବିକି ନାୟକ, ବାପି ବେହେରା, ରଞ୍ଜନ ନାୟକ, ବନକାଳିଆ ବେହେରା ଓ ଜୀବନ ଦାସ ବୋଲି ପୁଲିସ କହିଛି।
ଏମାନଙ୍କ ନିକଟରୁ ପୁଲିସ ଲୁହାଛଡ଼ା ଜବତ କରିଛି। ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟରେ ଦୋକାନ କରିଥିବା ପ୍ରଦୀପ ଦଳବେହେରା ଓରଫ୍‌ କଟିଂ ଦିପୁଙ୍କ ଉପରେ ଗତ ୨୫ତାରିଖରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ପ୍ରଦୀପ ଗତ କିଛିବର୍ଷ ତଳେ ଗୋଳନ୍ଥରା ଥାନାରେ ହୋଇଥିବା ସୂଚନା ଅଧିକାର କର୍ମୀ ଗଣେଶ ପଣ୍ଡା ହତ୍ୟାକାଣ୍ଡର ଅଭିଯୁକ୍ତ। ସେ ବର୍ତ୍ତମାନ ଜାମିନ୍‌ରେ ଅଛନ୍ତି। ପିଣ୍ଟୁଙ୍କ ଇଙ୍ଗିତରେ ତାଙ୍କୁ କିଛି ଯୁବକ ଆକ୍ରମଣ କରିଥିବା ନେଇ ପ୍ରଦୀପ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ କେସ୍‌ ନମ୍ବର ୪୦/୧୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ଷଡ଼ଯନ୍ତ୍ରକାରୀ ଭାବେ ପିଣ୍ଟୁଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ତଦନ୍ତ ଅଧିକାରୀ ଏସ୍‌ଆଇ ଜେ.କେ ପ୍ରଧାନ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ପିଣ୍ଟୁ ଏକ ଆଟ୍ରସିଟି ମାମଲାରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହିଛନ୍ତି।

ସମ୍ବନ୍ଧିତ ଖବର