ସିରିଜ୍ ବୋମା ମାଡ଼ରେ ଭଞ୍ଜନଗର ଥରହର:୧୫ ମିନିଟରେ ୫ ବୋମାମାଡ଼

ମଦ ଦୋକାନ, ବାଇକ୍ ସୋରୁମ୍ ଆଗରେ ବୋମାମାଡ଼ :ଦୋକାନ ବଜାର ବନ୍ଦ, ଟାର୍ଗେଟରେ ବ୍ୟବସାୟୀ<୨ ଆହତ, ତଦନ୍ତ ଆରମ୍ଭ

ଭଞ୍ଜନଗର: କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହୋଇ ଉଠିଛି ଭଞ୍ଜନଗର ସହର। ଆଜି ସନ୍ଧ୍ୟା ସାଢେ ୬ଟାରୁ ୧୫ ମିନିଟ୍ ଧରି ୩ ଜଣ ଦୁର୍ବୃତ୍ତଙ୍କ ସିରିଜ୍ ବୋମା ମାଡ଼ରେ ସହର ଥରହର ହୋଇ ଉଠିଛି। ବିଦ୍ୟୁତକାଟରେ ଅନ୍ଧାରର ସୁଯୋଗ ନେଇ ସେମାନେ ଏହି ଆତଙ୍କ ଖେଳାଇଥିଲେ। ଭଞ୍ଜନଗର ମୁଖ୍ୟରାସ୍ତାରୁ ବାଉଁଶଲୁଣ୍ଡି ପର୍ଯ୍ୟନ୍ତ ବିଭିନ୍ନ ଦୋକାନ, ବ୍ୟାଙ୍କ ଓ ସୋରୁମକୁ ଟାର୍ଗେଟ କରି ଗୋଟିଏ ପରେ ଗୋଟିଏ ବୋମା ମାଡ଼ କରିଥିଲେ। ଏଥିରେ ଦୁଇଜଣ ଆହତ ହୋଇ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ବୃତ୍ତଙ୍କୁ ଧରିବାକୁ ବିଭିନ୍ନ ପ୍ରବେଶ ପଥ ସିଲ କରାଯିବା ସହ ବ୍ଲକିଂ ଜାରି ରହିଛି। ଭଞ୍ଜନଗର ଏସଡିପିଓ ଉତ୍କଳ କେଶରୀ ଦାସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଧ୍ୟା ପ୍ରାୟ ସାଢେ ୬ଟା ହେବ। ଏହି ସମୟରେ ୩ଜଣ ଯୁବକ ଗୋଟିଏ ବାଇକରେ ଥାନା ପଟୁ ମୁଖ୍ୟ ରାସ୍ତାକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏକ୍ସିସ୍ ବ୍ୟାଙ୍କ ସମ୍ମୁଖରେ ପ୍ରଥମ ବୋମା ମାଡ଼ କରିଥିଲେ।

ଏହା ପରେ ପୁଣି ଆଗକୁ ଯାଇ ଜଗନ୍ନାଥ ଜୁଏଲର୍ସ ଦୋକନ ସମ୍ମୁଖରେ ଦ୍ବିତୀୟ ବୋମା ମାଡ ଏବଂ ସେଠାରୁ ଲୋହରାଖଣ୍ଡି ସେତୁ ଉପରେ ତୃତୀୟ ବୋମାମାଡ କରି ବାଉଁଶଲୁଣ୍ଡି ଆଡକୁ ପଳାଇଥିଲେ। ବାଉଁଶଲୁଣ୍ଡିରେ ଥିବା ମଦ ଦୋକାନ ସମ୍ମୁଖରେ ବୋମାମାଡ଼ କରିଥିବା ବେଳେ ଜଣେ ବ୍ୟକ୍ତିଙ୍କ ବାଇକର ଆଗ ଚକା ଫାଟିଯାଇଥିଲା। ଏହା ପରେ ପଞ୍ଚମ ବୋମାମାଡ଼ ବାଉଁଶିଲୁଣ୍ଡିରେ ଥିବା ହିରୋ ବାଇକ୍ ସୋ ରୁମ୍ ରେବତୀ ମୋଟର୍ସକୁ ଲକ୍ଷ୍ୟ କରି କରାଯାଇଥିଲା। ଯାହା ଫଳରେ ସ‌ୋରୁମ୍ କାଚ କବାଟ ଭାଙ୍ଗି ଚୂରମାର ହ‌ୋଇଯାଇଥିବା ବ‌େଳେ ଭିତରେ ଲାଗିଥିବା କବାଟ ବି ଫାଟି ଯାଇଥିଲା। ବୋମାମାଡ ସମୟରେ ଅନେକ ସାଧାରଣ ଲୋକ ଆହତ ହୋଇଥିବା ବେଳେ ଗାମୁଣ୍ଡି ଗ୍ରାମର ସରୋଜ କୁମାର ତ୍ରିପାଠୀଙ୍କ ଗୋଡ଼ର ୩ଟି ସ୍ଥାନରେ ଆଘାତ ଲାଗିଥିଲା। ସେହି ଗ୍ରାମର ରିଙ୍କୁ ସ୍ବାଇଁଙ୍କ ମୁହଁରେ ଆଘାତ ଲାଗିଥିବାରୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି ।
ରେବତୀ ମୋଟର୍ସର ମାଲିକଙ୍କ ଭାଇ ସୁଧାଂଶୁ ସେଖର ଆଲତିଆଙ୍କ କହିବାନୁଯାୟୀ, ଆଜି ସନ୍ଧ୍ୟାରେ ବିଦ୍ୟୁତ କାଟ୍ ହୋଇଥିବା ବେଳେ ବାଇକରେ ଥିବା ଦୁର୍ବୃତ୍ତ ମାନ‌େ ବୋମାମାଡ କରିଥିଲେ। ସେମାନେ ମାଲିକଙ୍କ ଚାମ୍ବରକୁ ଲକ୍ଷ୍ୟ କରି ବୋମା ମାଡ଼ କରିଥିଲେ। ଫଳରେ ବ୍ୟବସାୟୀ ମାନଙ୍କୁ ଟାର୍ଗେଟ କରି ସମସ୍ତ ବୋମା ମାଡ଼ ହୋଇଥିବା ଅନୁମାନ କରାଯାଉଛି।
ଅନ୍ୟପକ୍ଷରେ ସିରିଜ୍ ବୋମା ମାଡ଼ ପରେ ଭଞ୍ଜନଗର ସହରରେ ଆତଙ୍କ ଖେଳିଯାଇଛି। ସମସ୍ତ ଦୋକାନବଜାର ବନ୍ଦ ରହିଛି। ଅପରାଧୀଙ୍କୁ ଧରିବାକୁ ପୁଲିସ ଅଭିଯାନ ଚଳାଇଛି। ସେହିପରି ସହରର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରାଯାଇଥିବା ଜଣାପଡ଼ିଛି। ଖୁବ୍ ଶୀଘ୍ର ଅପରାଧୀ ଧରାପଡ଼ିବେ ବୋଲି ଭଞ୍ଜନଗର ଏସଡିପିଓ କହିଛନ୍ତି ।
ତେବେ ଏହି ଘଟଣା ନିର୍ବାଚନ ପୂର୍ବରୁ ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କୁହାଯାଇଛି। ଦିନେ ଅପରାଧର ଅମରାବତୀ ସାଜିଥିବା ଭଞ୍ଜନଗର ସହରରେ ଅପରାଧୀଙ୍କୁ ଦମନ କରିବାରେ ପୁଲିସ ପ୍ରଶାସନ ସଫଳତା ପାଇଥିବା ବେଳେ ପୁଣି ଦୁର୍ବୁତ୍ତଙ୍କ ଏଭଳି କାଣ୍ଡ ପୁଲିସ ଆଖିରୁ ନିଦ ହଜାଇ ଦେଇଛି। ଏହାସହ ବ୍ୟବସାୟୀଙ୍କ ସୁରକ୍ଷା ବି ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର