ପଞ୍ଚମଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ସେବାଶ୍ରମରେ ଅଘଟଣ

ବିଂଝାରପୁର/ଯାଜପୁର ଟାଉନ୍‌: ବିଂଝାରପୁର ବ୍ଲକ ଅନ୍ତର୍ଗତ ପ୍ରୀତିପୁର ପଂଚାୟତ ସ୍ଥିତ ନୂଆଗାଁ ଠାରେ ଥିବା ଆଂଚଳିକ ବଳଦେବ ଜିଉ ସେବାଶ୍ରମରେ ଜଣେ ଅନ୍ତେବାସୀ ଛାତ୍ରୀଙ୍କର ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଯାଇଛି। ଏହାକୁ ନେଇ ସମଗ୍ର ବ୍ଲକରେ ଆଲୋଡ଼ନ ଖେଳିଯାଇଛି। ମୃତ୍ୟୁର କାରଣ ଜଣା ପଡି ନ ଥିବା ବେଳେ ସେବା ଶ୍ରମର ଅଧ୍ୟକ୍ଷ ବୃନ୍ଦାବନ ଦାସ ମୃତ୍ୟୁକୁ ଏକ ଦୁର୍ଘଟନା ବୋଲି କହିଛନ୍ତି।
ଘଟଣାରୁ ପ୍ରକାଶ ବିଂଝାରପୁର ବ୍ଲକ ଅନ୍ତର୍ଗତ ପ୍ରୀତିପୁର ପଂଚାୟତ ସ୍ଥିତ ନୂଆଗାଁ ଠାରେ ଥିବା ଆଂଚଳିକ ବଳଦେବ ଜିଉ ସେବା ଶ୍ରମରେ ରବିବାର ଅପରାହ୍ଣରେ ଜଣେ ଅନ୍ତେବାସୀ ପଞ୍ଚମ ଶ୍ରେଣୀ ଛାତ୍ରୀ ଲକ୍ଷ୍ମୀ ମୁଣ୍ଡା (୧୧)ଙ୍କୁ ହଷ୍ଟେଲ ଘରେ ଝୁଲୁ ଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ଅଧ୍ୟକ୍ଷ ଶ୍ରୀ ଦାସ କୁହନ୍ତି ଯେ ୫ ବର୍ଷର ଲକ୍ଷ୍ମୀ ମୁଣ୍ଡାଙ୍କୁ ୨୦୧୧ ମସିହାରେ ପାଣିକୋଇଲି ଛକରେ ଏକୁଟିଆ ବୁଲୁଥିବା ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଦ୍ୱାରା ଉଦ୍ଧାର କରାଯାଇଥିଲା। ଏହି ଛାତ୍ରୀକୁ ନୂଆଗାଁ ସ୍ଥିତ ଆଂଚଳିକ ବଳଦେବ ଜିଉ ସେବା ଶ୍ରମକୁ ରକ୍ଷଣା ବେକ୍ଷଣ ଦାୟିତ୍ୱ ଦିଆଯାଇଥିଲା। ଇତି ମଧ୍ୟରେ ୬ ବର୍ଷ ବିତି ଗଲାଣି ଛାତ୍ରୀ ଜଣକ କେଉଁ ସ୍ଥାନର ଏବଂ ତାର ମାତା ପିତା କିଏ ଅଦ୍ୟାବଧି ଜଣାପଡି ନାହିଁ। ଛାତ୍ରୀ ଜଣଙ୍କ ମାନସିକ ସ୍ତରରେ ଦୁର୍ବଳ ଥିଲା। ସାମାନ୍ୟ କଥାରେ ଅତ୍ୟଧିକ ରାଗିଯାଉଥିଲା। ସାଙ୍ଗଙ୍କ ସହିତ କଳିଝଗଡ଼ା କରୁଥିଲା। ଆଜି ପ୍ରାର୍ଥନା ବେଳେ ସାଙ୍କ ସହ ଝଗଡ଼ା କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶ୍ରୀ ଦାସ ସଫେଇ ଦେଇଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଛାତ୍ରୀ ଜଣକ ରଶି ଦେଇଥିବା ଚାଳର ଉଚ୍ଚତାକୁ ଦେଖିଲେ ସଂଦେହ ସୃଷ୍ଟି ହେଉଛି । ଛାତ୍ରୀର ମୃତ୍ୟୁକୁ ନେଇ ସାଧରଣରେ ତିବ୍ର ପ୍ରତିକ୍ରିୟା ଦେଖା ଯାଇଛି । ଅଧ୍ୟକ୍ଷ ଘଟଣାକୁ ଯେନେତେନେ କରି ଚାପି ଦେବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଏନେଇ ବିଂଝାରପୁର ପୁଲିସ କିଛି ଜାଣି ନଥିବା କହିଛି।

ସମ୍ବନ୍ଧିତ ଖବର