ଏନଟିପିସି ଖଣି ପ୍ରଭାବିତ ଝିଅଙ୍କ ଚରମ ପତ୍ର; ଆମକୁ ନ୍ୟାୟ ଦିଅ, ନହେଲେ ଜେଲ୍ ପଠାଅ

ସୁନ୍ଦରଗଡ଼: ଏନଟିପିସି ଡୁଲିଙ୍ଗା କୋଇଲାୁ ଖଣି ପ୍ରକଳ୍ପରେ ପ୍ରଭାବିତ ପରିବାରର ବିବାହିତା ଝିଅମାନେ ଖଣି ପ୍ରଭାବିତ ମାନ୍ୟତା ଓ ଉପଯୁକ୍ତ ସହାୟତା, ସୁବିଧା ଦାବିରେ ଧାରଣା ଜାରି ରଖିଛନ୍ତି। ଏହା ମଧ୍ୟରେ ଧାରଣାକୁ ୮୦ ଦିନ ବିତିଗଲାଣି। କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଆସନ୍ତା ୨୬ ତାରିଖରେ ପୁଣି ଖଣି ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଅବସରରେ ଝିଅମାନେ ‘ଆମକୁ ନ୍ୟାୟ ଦିଅ, ନହେଲେ ଜେଲ୍ ପଠାଅ’ ଆହ୍ବାନରେ ଜିଲ୍ଲାପାଳଙ୍କୁ ଏକ ଚରମପତ୍ର ପ୍ରଦାନ କରିଛନ୍ତି।

କୋଇଲା ଖଣିରେ ବିସ୍ଥାପିତ ପରିବାରର ୧୮ ବର୍ଷରୁ ଉର୍ଦ୍ଧ୍ବ ବିବାହିତା ଝିଅମାନେ ଜିଲ୍ଲା ପ୍ରଶାସନ ଓ କମ୍ପାନି କର୍ତ୍ତୃପକ୍ଷଙ୍କ ଆଗରେ ଦାବି ରଖି ଗତ ଫେବ୍ରୁଆରି ୧ରୁ ଧାରଣା ଜାରି ରଖିଛନ୍ତି। କିନ୍ତୁ ପ୍ରଶାସନ ନଶୁଣିବାରୁ ଗତ ମାର୍ଚ୍ଚ ୨୩ରେ ଖଣି ବନ୍ଦ କରିବା ପରେ ଜିଲ୍ଲା ପ୍ରଶାସନ ଓ ଖଣି ଅଧିକାରୀ ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଆନ୍ଦୋଳନକାରୀଙ୍କ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। କିନ୍ତୁ ଚୁକ୍ତି ଅନୁସାରେ, ୧୦ ଦିନ ମଧ୍ୟରେ ଆରପିଡିଏସି ବୈଠକ, ବିସ୍ଥାପିତ ତାଲିକାରେ ଥିବା ତ୍ରୁଟି ସଂଶୋଧନ ନେଇ ପ୍ରଶାସନ ନିରବତା ଅବଲମ୍ବନ କରିଛି।

ଏସ୍ଥିତିରେ ଶକ୍ତି ସଚିବଙ୍କ ସୁନ୍ଦରଗଡ଼ ଗସ୍ତ ସମୟରେ ପ୍ରଭାବିତ ଝିଅମାନେ ଭେଟି ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେଠାରେ ଉପସ୍ଥିତ ଜିଲ୍ଲାପାଳ ଅପ୍ରେଲ ୨୩ରେ ଆରପିଡିଏସି ବୈଠକ କରାଯିବ ବୋଲି କହିଥିଲେ। କିନ୍ତୁ ଏଯାଏ ବୈଠକ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିବାରୁ ପ୍ରଶାସନ ସେମାନଙ୍କୁ ଭଣ୍ଡୁଛି ବୋଲି ଝିଅମାନେ ଅଭିଯୋଗ କରିବା ସହ ୨୩ ତାରିଖ ମଧ୍ୟରେ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ୨୬ ତାରିଖରୁ ଖଣି ବନ୍ଦ କରାଯିବ ବୋଲି ଚରମ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର