ଜିଏସ୍‌ଟି ଠକ-ଅର୍ବାନ ବ୍ୟାଙ୍କ୍‌ କର୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାର ତଦନ୍ତ ଆରମ୍ଭ, ଏଜିସିଏସ୍‌ଙ୍କ ନିର୍ଦ୍ଦେଶ ପରେ ଛାନ୍‌ଭିନ୍‌

ରାଉରକେଲା: ଜିଏସ୍‌ଟି ଠକଙ୍କୁ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ କର୍ତୃପକ୍ଷ ଅନୈତିକ ସହଯୋଗ କରିବା ଅଭିଯୋଗ ପଛରେ ସତ୍ୟତା ଥିବା କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି। ନକଲି ଆକାଉଣ୍ଟ୍‌ ଖୋଲିବାରେ ଠକଙ୍କୁ ସହାଯ୍ୟ କରିଥିବାର ଏକାଧିକ ଅଭିଯୋଗ ବି ପୂର୍ବରୁ ରହିଛି। କେବଳ ଜଣେ କି ଦି’ ଜଣ ନୁହେଁ, ବରଂ ଶତାଧିକ ନକଲି ଆକାଉଣ୍ଟ୍‌ ଖୋଲି କୋଟି କୋଟି ଟଙ୍କାର ଜିଏସ୍‌ଟି ଠକେଇରେ ବ୍ୟାଙ୍କ୍‌ କର୍ତୃପକ୍ଷଙ୍କ ସହଭାଗିତା ଥିବା ଅଭିଯୋଗରେ ଅଡିଟର୍‌ ଜେନେରାଲ କୋ-ଅପରେଟିଭ୍‌ ସୋସାଇଟିଜ୍ ‌(ଏଜିସିଏସ୍‌)ଙ୍କୁ ତଦନ୍ତ ପାଇଁ ଦାବି କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ଏଜିସିଏସ୍‌ ତଦନ୍ତ ଆଜିଠାରୁ ଆରମ୍ଭ ହୋଇଛି। ଏଜିସିଏସ୍‌ଙ୍କ ନିର୍ଦ୍ଦେଶକ୍ରମେ ଜଣେ ଅଡିଟର୍‌ ଆଜି ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ରେ ପହଞ୍ଚିଛନ୍ତି। ମାମଲାର ଖୋଲତାଡ଼ ଆରମ୍ଭ କରିଛନ୍ତି ।

ଏହାସହ ଜିଏସ୍‌ଟି ଠକଙ୍କ ଦ୍ବାରା ଠକାମିର ଶିକାର କୋଏଲନଗରର ବିବେକ ଷଡ଼ଙ୍ଗୀଙ୍କୁ ପଚରାଉଚରା କରିଛନ୍ତି । ଏହାସହ ଆକାଉଣ୍ଟ୍‌ ଖୋଲିବାବେଳେ ଦିଆଯାଇଥିବା ଦସ୍ତଖତ, ଚେକ୍‌ ବହି ଦେବା ସମୟର ଦସ୍ତଖତ ସହ ବିକେଙ୍କ ଦସ୍ତଖଳ ମେଳ କରାଯାଇଥିଲା। ‌ତେବେ ଉଭୟ ଦସ୍ତଖତ ତାଳମେଳ ଖାଇନଥିଲା। ବିବେକଙ୍କ ନାଁରେ ଅର୍ବାନ୍‌ ବ୍ୟାଙ୍କ୍‌ ମିଡ୍‌ଟାଉନ୍‌ ଶାଖାରେ ଖୋଲାଯାଇଥିବା ଅନ୍ୟ ଏକ ଆକାଉଣ୍ଟ୍‌ର ଯାଞ୍ଚ ଜାରି ରହିଛି। ଅର୍ବାନ ବ୍ୟାଙ୍କ୍‌ର ଦୁଇ ଦୁଇଟି ଆକାଉଣ୍ଟ୍‌ ଖୋଲିବା ବିଷୟରେ କୌଣସି ସୁରାକ୍‌ ପାଇନଥିବା ବିବେକ ତଦନ୍ତକାରୀ ଦଳକୁ କହିଥିଲେ। ଏହାସହ ସେ ଦିନେହେଲେ ବ୍ୟାଙ୍କ୍‌କୁ ଆସିନଥିବା କିମ୍ବା ବେପାର ବିଷୟରେ ସଂପୂର୍ଣ୍ଣ ଅଜ୍ଞଥିବା କହିଥିଲେ। ମାମଲା ବିଷୟରେ ତଦନ୍ତକାରୀ ଅଡିଟର୍‌ଙ୍କୁ ପଚାରିବାରୁ କୌଣସି ଟିପ୍ପଣୀ ଦେବାକୁ ସିଧାସଳଖ ମନା କରିଦେଇଥିଲେ।

୨ଟି ଜାଲ ଆକାଉଣ୍ଟ୍‌ରେ ୮୫ ଲକ୍ଷର ବେପାର

କୋଏଲନଗରରେ ନିଜ ମା’ଙ୍କ ସହ ରୁହନ୍ତି ବିବେକ । ୨୦୧୭ ମସିହାରେ ଘର ପାଖରେ ରହୁଥିବା ଜଣେ ବ୍ୟକ୍ତିଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ବିବେକ। ସଂପୃକ୍ତ ବ୍ୟକ୍ତି ଚାକିରି ଦେବାକୁ କହିବାରୁ ବିବେକ ଆବଶ୍ୟକୀୟ କାଗଜପତ୍ର ଦେଇଦେଇଥିଲେ। ଉକ୍ତ କାଗଜପତ୍ର ବଳରେ ଜିଏସ୍‌ଟି ଠକ୍‌ ଦଳ ଶକ୍ତିନଗର ସ୍ଥିତ ଅର୍ବାନ ବ୍ୟାଙ୍କ୍‌ ଷ୍ଟିଲ୍‌ ସିଟି ଶାଖାରେ ୨୦୧୭ ଡିସେମ୍ବର ୧୧ ତାରିଖରେ ଏକ ଜାଲ୍‌ ଆକାଉଣ୍ଟ୍‌ (ଆକାଉଣ୍ଟ୍‌ ନଂ-୦୦୬୦୧୦୦୦୯୮୬)ଖୋଲିଥିଲେ। ଆକାଉଣ୍ଟ୍‌ ଖୋଲିବାପରେ ବିବେକଙ୍କ ଠିକଣାରେ ବ୍ୟାଙ୍କ୍‌ର କାଗଜପତ୍ର ପହଞ୍ଚିଥିଲା। କିନ୍ତୁ କୌଣସି ଆକାଉଣ୍ଟ୍‌ ଖୋଲିନଥିବାରୁ କାଗଜପତ୍ର ଦେଖି ମା’-ପୁଅଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ଏଣୁ ଉଭୟେ ଆକାଉଣ୍ଟ୍‌ ଖୋଲିବାର ୮ ଦିନ ପରେ, ଅର୍ଥାତ୍‌ ଡିସେମ୍ବର ୧୯ ତାରିଖରେ ବ୍ୟାଙ୍କ୍‌ରେ ପହଞ୍ଚି ଆକାଉଣ୍ଟ୍‌ ବନ୍ଦ କରିବାକୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପରେ ୨୦୧୭ ମସିହା ଡିସେମ୍ବର ୨୯ ତାରିଖରେ ଉକ୍ତ ଆକାଉଣ୍ଟ୍‌କୁ ବନ୍ଦ କରିଦିଆଯାଇଥିଲା। ତେବେ ଏତିକିରେ ବନ୍ଦ ହୋଇନଥିଲା ଠକେଇ। ଠକ ଦଳ ୨୦୧୮ ମସିହା ଜାନୁଆରୀ ୩୦ ତାରିଖରେ ଅର୍ବାନ ବ୍ୟାଙ୍କ୍‌ ମିଡ୍‌ଟାଉନ୍‌ ଶାଖାରେ ବିବେକଙ୍କ ନାଁରେ ଆଉ ଏକ ଜାଲ୍‌ ଆକାଉଣ୍ଟ୍‌(ନଂ-୦୦୪୦୧୦୦୦୧୨୭୮) ଖୋଲିଥିଲେ। ଉକ୍ତ ଆକାଉଣ୍ଟ୍‌ ବଳରେ ୫୫ ଲକ୍ଷ ୭୨ ହଜାର ଟଙ୍କାର ବେପାର କରାଯାଇଥିଲା। ଅତଏବ୍‌ ଦୁଇ ଆକାଉଣ୍ଟ୍‌ ବଳରେ ୮୪ ଲକ୍ଷ ୭୨ ହଜାର ଟଙ୍କାର ବେପାର ଦର୍ଶାଇ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌(ଆଇଟିସି) ଅର୍ଥ ଚଳୁ କରିଦେଲେ। ଏଠାରେ ପ୍ରଶ୍ନ ଉଠେ, ଜାଲ୍‌ ଆକାଉଣ୍ଟ୍‌ ବନ୍ଦ ହେବାପରେ ସମାନ ବ୍ୟକ୍ତିଙ୍କ ନାଁରେ ଆଉ ଏକ ଜ‌ାଲ୍‌ ଆକାଉଣ୍ଟ୍‌ ଖୋଲିଲା କେମିତି? ଶକ୍ତିନଗର ଶାଖା କର୍ତୃପକ୍ଷଙ୍କ ଭୁଲ୍‌କୁ ମିଡ୍‌ଟାଉନ୍‌ ଶାଖା କର୍ତୃପକ୍ଷ କେମିତି ଦୋହରାଇଲେ? ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରିଛି; କିନ୍ତୁ ବ୍ୟାଙ୍କ୍‌ କର୍ତୃପକ୍ଷ ଏନେଇ ମୁହଁ ଖୋଲୁନାହାନ୍ତି।

ସମ୍ବନ୍ଧିତ ଖବର