ସ୍ୱାସ୍ଥ୍ୟ ସଚିବଙ୍କ ଯାଜପୁର ମେଡିକାଲ ଗସ୍ତ

ଯାଜପୁର: ଓଡିଶା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ନିକୁଂଜ ବିହାରୀ ଧଳ ଆଜି ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ମେଡିକାଲରେ ଥିବା କରୋନା ଆଇସୋଲେସନ୍‌ ୱାର୍ଡକୁ ବୁଲି ଦେଖିବା ସହ କରୋନା ପରୀକ୍ଷା ପାଇଁ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କି କି ବ୍ୟବସ୍ଥା ହୋଇଛି ତାହାର ସମୀକ୍ଷା କରିଛନ୍ତି। ଏଥି ସହ ମହିଳା ଓ ଶିଶୁ ଚିକିତ୍ସା ବିଭାଗକୁ ଯାଇ ସ୍ୱଚ୍ଛତା, ରୋଗୀଙ୍କୁ ମିଳୁଥିବା ସେବା ସଂପର୍କରେ ବୁଲି ଦେଖିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ସଚିବଙ୍କ ଏହି ଅଳ୍ପ ସମୟ ଗସ୍ତରେ ମେଡିକାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଆଇସୋଲେସନ୍‌ ୱାର୍ଡ ଠାରୁ ଆରମ୍ଭ କରି ରୋଗୀଙ୍କୁ ମିଳୁଥିବା ସମସ୍ତ ସେବା ସଂପର୍କରେ ସେ ପଚାରି ବୁଝିବା ସହ କିଛି ତ୍ରୁଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥି ସହ ରୋଗୀମାନଙ୍କ ପାଇଁ ସବୁ ବ୍ୟବସ୍ଥା କରିବାକୁ ମଧ୍ୟ ଜିଲ୍ଳା ସ୍ୱାସ୍ଥ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଅନୁସାରେ କିଛି ବ୍ୟକ୍ତିଗତ କାର୍ଯ୍ୟପାଇଁ ଯାଜପୁର ଆସିଥିବା ବେଳେ ସେ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବା ସଂପର୍କରେ ଟିକିନିକ୍‌ ବୁଝିବା ସହ କିପରି ରୋଗୀମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ମିଳିବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି।

ସମ୍ବନ୍ଧିତ ଖବର