ନକ୍ସଲ-ପୁଲିସ ଗୁଳିବିନିମୟ: ଖସିଗଲେ କ୍ୟାଡର ନକ୍ସଲ, ମାଓ ସାମଗ୍ରୀ ଜବତ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଏବଂ ବିଜାପୁର ସୀମାରେ ପୁଲିସ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ କ୍ୟାଡର ନକ୍ସଲ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ଘଟଣାସ୍ଥଳରୁ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି ପୁଲିସ। ଦନ୍ତେୱାଡା ଏବଂ ବିଜାପୁର ଜିଲ୍ଲା ସୀମାନ୍ତରେ ଥିବା ଆକାଶ ନଗର, ଡୁମରି ପାଲନାର, ଡୁଗେରୀ, ତିମେନାର ଭଳି ଅଂଚଳରେ ଯବାନ କୁମ୍ବିଂ କରୁଥିବା ବେଳେ ନକ୍ସଲଙ୍କ ସହ ସାମ୍ନାସାମ୍ନି ହୋଇଥିଲା।

ନକ୍ସଲ ଯବାନଙ୍କୁ ଉପରେ ଅତର୍କିତ ଗୁଳି ଚଳାଇବା ପରେ ଯବାନ ମଧ୍ୟ ନିଜକୁ ସୁରକ୍ଷିତ ରଖି ନକ୍ସଲ ଉପରେ ଗୁଳି ଚଳାଇଥିଲେ। ନକ୍ସଲ ଘଂଚ ଜଂଗଲରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଘଟଣାସ୍ଥଳରୁ ପୁଲିସ ଲ୍ୟାଣ୍ଡମାଇନ, ବିସ୍ଫୋରକ, ଜିଲୋଟିନ, ଧନୁ ଓ ତୀର, ବିଦ୍ୟୁତ ତାର, ଔଷଧ, ରେଡିଓ ସମେତ ଦୈନନ୍ଦିନ ସାମଗ୍ରୀ ଜବତ କରିଛି। ଦନ୍ତେଵାଡା ଏସପି ଅଭିଷେକ ପଲ୍ଲବଙ୍କ କହିବା ଅନୁଯାୟୀ ନକ୍ସଲ କମାଣ୍ଡର ଚନ୍ଦ୍ରନା ପୁନେମ, ଗାଂଗଲୁର ଏରିଆ କମିଟିର ସଚିବ ଦିନେଶ, ଭେରମଗଡ ଏରିଆ କମିଟିର ସଚିବ ସୁମିତ୍ରାର ଗୋଷ୍ଠୀ ଦନ୍ତେଵାଡା ଓ ବିଜାପୁର ସୀମାନ୍ତରେ କ୍ୟାମ୍ପ କରି ରହିଥିବା ପୁଲିକକୁ ଖବର ମିଳିଥିଲା। ତୁରନ୍ତ ଡିଆରଜି, କୋବ୍ରା, ସିଆରପିଏଫ ଯବାନ ଏହି ଅଂଚଳକୁ କୁମ୍ବିଂକୁ ବାହାରିଥିଲେ।

ଯବାନଙ୍କର ଗୁଳିର ସାମ୍ନା କରିନପାରି ନକ୍ସଲ ପଛଘଂଚା ଦେଇଥିଲେ। ପୁଲିସର କୌଣସି କ୍ଷତି ହୋଇନଥିବା ବେଳେ ନକ୍ସଲମାନଙ୍କ ମଧ୍ୟରେ କିଛି ଆହତ ହୋଇଥିବା ସୂଚନା ମିଳିଛି। ତେବେ ପୁଲିସକୁ ଏହା ବଡ ସଫଳତା ବୋଲି କୁହାଯାଇଛି। ଅଳ୍ପକେ କ୍ୟାଡର ନକ୍ସଲ ଖସିଯାଇଥିବାରୁ ପୁଲିସ ଏହାକୁ ବିଳଫତା ବୋଲି କହୁନାହିଁ।

ସମ୍ବନ୍ଧିତ ଖବର