ଗାଁ ଗାଁରେ ଚାଲିଛି ଗୁଣ୍ଡୁରି ଧରା: ବିଲୁପ୍ତ ହେବାକୁ ବସିଲାଣି ଗୁଣ୍ଡୁରି ବଂଶ

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ ଗୁଣ୍ଡୁରି ଧରା ଜୋରଦାର ଚାଲିଛି। କାର୍ତ୍ତିକ ମାସ ପୁରିବାର ଗୋଟିଏ ଦିନ ନପୁରୁଣୁ ଲୋକେ ମାଛ ଓ ମାଂସ ଖାଇବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି। ବଜାରରେ ମାଛ ଓ ମାଂସ ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି।

ଛାଡଖାଇରେ ମାଲକାନଗିରି ଜିଲ୍ଲାରେ କୋଟି କୋଟି ଟଙ୍କାର ମାଛ ଓ ମାଂସ ବେପାର ହୋଇଥିବା ଅନୁମାନ କରାଯାଏ। ତେବେ ଛାଡଖାଇକୁ ଆହୁରି ମଜାଦାର କରିବା ପାଇଁ ଲୋକେ ଗୁଣ୍ଡୁରି ଖୋଜିବା ଆରମ୍ଭ କରିଦେଇଛନ୍ତି। ବଜାରରେ ଏବେ ଗୁଣ୍ଡୁରି ଚଢେଇର ଦାମ ଆକାଶ ଛୁଆଁ ହୋଇଥିବା ବେଳେ ଶିକାରୀ ଢେର ରୋଜଗାର କରିବା ଆଶାରେ ଅନ୍ୟ କାମ ଛାଡି ଗୁଣ୍ଡୁରି ଧରିବାରେ ମାତିଛନ୍ତି।

ଗୁଣ୍ଡୁରି ମାଂସର ସ୍ବାଦ ଅନ୍ୟ ମାଂସ ଠାରୁ ସୁସ୍ବାଦୁ ଥିବାରୁ ଶୀତ ଋତୁରେ ଲୋକେ ଗୁଣ୍ଡୁରି ଖାଇବାକୁ ପସନ୍ଦ କରନ୍ତି।ଏବେ ଗୁଣ୍ଡୁରି ଚଢେଇର ଚାହିଦା କାହିଁରେ କଣ। ଗୋଟିଏ ଗୋଟିଏ ଗୁଣ୍ଡୁରି ଚଢେଇ ୫୦ ଟଂକାର ୮୦ ଟଂକା ପର୍ଯ୍ୟନ୍ତ ରହିଛି।ଏତେ ଚଢା ଦରରେ ଗୁଣ୍ଡୁରି ବିକ୍ରି ହେଉଥିଲେ ମଧ୍ୟ ଲୋକେ ଟଂକା ନଦେଇ କିଣି ନେଉଥିବାରୁ ଲୋକେ ସଂଜ ଗଡିବା ମାତ୍ରେ ଗୁଣ୍ଡୁରି ଧରିବା ପାଇଁ ବାହାରି ପଡନ୍ତି।କିପରି ଗୁଣ୍ଡୁରି ଧରାଯାଏ ସନେଇ ଜଣେ ଗୁଣ୍ଡୁରି ଧରାଳିଙ୍କ ନିକଟରେ ପହଞ୍ଚିଥିଲୁ। ସେ ନିଜ ନାମ ଗୋପନ ରଖିବା ନେଇ ଆଶ୍ବାସନା ଦେବାରୁ ସେ ନିଜ ବିଭିନ୍ନ କୌଶଳ ଆମକୁ ଦେଖାଇଥିଲେ।

ସେହି କହିବା ଅନୁଯାୟୀ ଧାନ ପାଚିବା ଆରମ୍ଭ ହେଲେ ଦଳ ଦଳ ଗୁଣ୍ଡୁରି ଜଂଗଲ ଭିତରୁ ଗାଁ ପାଖ ବିଲରେ ପହଞ୍ଚିଯାନ୍ତି। ବିଶେଷକରି ଯେଉଁ ଜମିରେ ଧାନ କଟା ସରିଥାଏ ସେହି ଜମିରେ ଝଡି ପଡିଥିବା ଧାନଗୁଡିକ ଖାଇବା ପାଇଁ ସେଠାକୁ ଓହ୍ଲାଇଥାନ୍ତି। ଶିକାରୀମାନେ ସାଧାରଣତଃ ଏହି ସୁଯୋଗକୁ ଅପେକ୍ଷା କରି ରହିଥାନ୍ତି। ଗୁଣ୍ଡୁରି ଧରିବା ପାଇଁ ଶିକାରୀ ୧୦ ଫୁଟ ଲମ୍ବା ଓ ୧୦ ଫୁଟ ଓସାରର ଏକ ଜାଲ ବ୍ୟବହାର କରନ୍ତି।ଏହି ଜାଲ ମଧ୍ୟରେ ବାଉଁଶ ଛନ୍ଦି ଦିଆଯାଇଥାଏ। ମଝିରେ ଏକ ଖାଲି ଜାଗା ଥାଏ। ସେହି ଖାଲି ଜାଗାରେ ଶିକାରୀ ରହି ବାଉଁଶକୁ ଧରି ଜମିରେ ଚାଲନ୍ତି। କଟା ସରିଥିବା ବିଲ ଭିତରେ ଧାନ ଖାଇବା ପାଇଁ ଦଳ ଦଳ ଗୁଣ୍ଡୁରି ଓହ୍ଲାଇ ଆସିଥିବା ବେଳେ ଶିକାରୀ ଖୁବ ସତର୍କତାର ସହ ଜାଲକୁ ଧରି ବିଲ ଭିତରକୁ ଓହ୍ଲାଇପଡେ।

ମଣିଷର ପାଦ ଶଦ୍ଦ ଶୁଣିବା ମାତ୍ରେ ଆତ୍ମରକ୍ଷା ପାଇଁ ଗୁଣ୍ଡୁରିମାନେ ଛପିଯିବା ପାଇଁ ଚେଷ୍ଟା କରନ୍ତି।କିନ୍ତୁ ଶିକାରୀ ଏହି ମୌକାରେ ଜାଲଟିକୁ ଛାଡି ଦେଇଥାଏ। ଫଳରେ ଗୁଣ୍ଡୁରି ଦଳ ଜାଲ ଭିତରେ ଛନ୍ଦି ହୋଇପଡନ୍ତି।ତେବେ ଏଥିପାଇଁ ଶିକାରୀମାନଙ୍କୁ ଧର୍ଯ୍ୟ ଦରକାର ବୋଲି ଶିକାରୀ ଜଣକ କହନ୍ତି।କାରଣ ଗୁଣ୍ଡୁରି ମଧ୍ୟ ପ୍ରତ୍ୟେକ ମୁହର୍ତ୍ତରେ ନିଜକୁ ବଂଚାଇବା ପାଇଁ ସତର୍କ ରହିଥାନ୍ତି।ଏହାଛଡା ଗୁଣ୍ଡୁରି ବେଶି ବାଟ ଉଡିପାରୁନଥିଲେ ମଧ୍ୟ ଦୌଡିବାରେ ପାରଙ୍ଗମ।ଆଖି ପିଛୁଳାକେ ଆଖପାଖ ବୁଦା ଭିତରେ ସେମାନେ ଲୁଚିଯାନ୍ତି।କେବଳ ଶୀତ ଋତୁରେ ହିଁ ଗୁଣ୍ଡୁରି ଦେଖିବାକୁ ମିଳିଥାନ୍ତି।

ଏଣେ ଧାନ କଟା ସାଂଗକୁ ସେପଟେ ଗୁଣ୍ଡୁରି ଧରା ମଧ୍ୟ ଚାଲିଥାଏ। ଏକା ସଂଗରେ ଦଶରୁ କୋଡିଏ ଗୁଣ୍ଡୁରି ମିଳିଗଲେ ଶିକାରୀ ତାକୁ ଏକ ଜାଲ ଭିତରେ ରଖିଥାଏ। ଗୁଣ୍ଡୁରିର ଚାହିଦା ଏତେ ବେଶୀ ଯେ ଲୋକେ ଶିକାରୀ ଘର ଚିହ୍ନି ତାଙ୍କ ଘରେ ପହଞ୍ଚିଯାନ୍ତି । ଶିକାରୀ ଜଣକ ଏହା ଏକ ବେନିୟମ କାମ ବୋଲି ଜାଣିଥିଲେ ମଧ୍ୟ ଅଧିକା ରୋଜଗାର ଆଶାରେ ଗୁଣ୍ଡୁରି ଧରି ବିକ୍ରି କରିଥାଏ।

ସମ୍ବନ୍ଧିତ ଖବର