ବୋଲଗଡ଼ ତହସିଲ କାର୍ଯ୍ୟାଳୟ ପାଲଟିଛି ଦୁର୍ନୀତିର ଗନ୍ତାଘର

ଖୋର୍ଦ୍ଧା: କଥାରେ ଅଛି ଦାୟିତ୍ୱ ସହ ଉତ୍ତରଦାୟିତ୍ୱ ଆସେ। କିନ୍ତୁ ଅନେକ କ୍ଷେତ୍ରରେ ଏହାର ଓଲଟା ଦେଖିବାକୁ ମିଳୁଛି। ଅନେକ ସରକାରୀ ଅଧିକାରୀଙ୍କ ଦାୟିତ୍ୱ ସହ ଦୁର୍ନୀତି ବଢ଼ିବା ଦେଖିବାକୁ ମିଳୁଛି। ଏଭଳି ଏକ ଅଭିଯୋଗ ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ବୋଲଗଡ଼ ବ୍ଲକରୁ ଆସିଛି। ଗୋଟିଏ ନୁହେଁ କିମ୍ବା ଦୁଇଟି ନୁହେଁ ଜଣେ ଅଧିକାରୀଙ୍କ ହାତରେ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ରଖିଥିବା ବୋଲଗଡ଼ ବିଡିଓ ଧୋବେଇ ନାୟକଙ୍କ ବିରୋଧରେ ସ୍ଥାନୀୟ ଲୋକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି। ଆଜି ଅପରାହ୍ନରେ ବୋଲଗଡ଼ ବ୍ଲକରେ କେତେକ ବ୍ୟକ୍ତି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ହେଲା ଏନେଇ ସେମାନେ ସୋମବାର ବେଗୁନିଆରେ ହୋଇଥିବା ଜିଲ୍ଲା ପ୍ରଶାସନର ମିଳିତ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଥିଲେ। ଏହାପୂର୍ବରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। କିନ୍ତୁ ଏଯାଏଁ ସେମାନଙ୍କ ଅଭିଯୋଗ ଉପରେ କୌଣସି ବିଧିବଦ୍ଧ ତଦନ୍ତ ହୋଇନାହିଁ କି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ବୋଲଗଡ଼ ବିଡିଓ ଧୋବେଇ ନାୟକ ଗତ ଦୁଇମାସ ଧରି ବିଡିଓ, ଉପନିବନ୍ଧକ ଓ ତହସିଲଦାର ଏଭଳି ତିନିଟି ଦାୟିିତ୍ୱରେ ଅଛନ୍ତି। ଏହାର ସୁଯୋଗରେ ସ୍ଥାନୀୟ ନାଜିରତ, ମୁଖ୍ୟ କିରାଣୀ ଆଦିଙ୍କୁ ଧରି ଜମିବାଡ଼ି ପଂଜୀକରଣ ଆଦିରେ ବ୍ୟାପକ ଚଂଚକତା କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି।

ପୂର୍ବ ତହସିଲଦାର ଯେଉଁ ଯେଉଁ ଜମି କିଣାବିକା ପଂଜୀକରଣରେ ଅନିୟମିତତା ଦେଖି ରଦ୍ଦ କରିଥିଲେ ସେଗୁଡ଼ିକୁ ପଂଜୀକରଣ କରାଯାଉଛି। ଏପରିକି ଯେଉଁ ଲୋକ ଏହାକୁ ବିରୋଧ କରିବ, କାର୍ଯ୍ୟାଳୟର କର୍ମଚାରୀମାନେ ସେମାନଙ୍କୁ ମାଡ଼ ମଧ୍ୟ ମାରିବା ଘଟଣା ଘଟିଛି। ସେମାନଙ୍କ ଦାବି ହେଲା ଗତ ୩ ମାସ ମଧ୍ୟରେ ବୋଲଗଡ଼ ତହସିଲ କାର୍ଯ୍ୟାଳୟରେ ଯେତିକି ପଂଜୀକରଣ, ରାଜସ୍ୱ କାର୍ଯ୍ୟ ହୋଇଛି ସେଗୁଡ଼ିକର ନିରପେକ୍ଷ ତଦନ୍ତ କରାଯାଉ ଓ ସମସ୍ତ କର୍ମଚାରୀଙ୍କୁ ବଦଳି କରାଯାଇ ଉତ୍ତର ଚରିତ୍ରର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ। ନଚେତ ଆଗାମୀ ଦିନରେ ସେମାନେ ରାଜରାସ୍ତା ଉପରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ଦେବେ। ଏନେଇ ଜିଲ୍ଲା ପ୍ରାଶାସନରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀଙ୍କ ଏହି ଅଭିଯୋଗକୁ ଗମ୍ଭୀରତାର ସହକାରେ ଗ୍ରହଣ କରି ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ୱ ଦେଇଛନ୍ତି। ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ ବୋଲଗଡ଼ ତହସିଲରେ ଏଭଳି ଜମି ପଂଜୀକରଣରେ ବ୍ୟାପକ ଚଂଚକତା ଅଭିଯୋଗରେ ଗତ ୭ ଦିନ ମଧ୍ୟରେ ତିନିଜଣ ବ୍ୟକ୍ତି ଧାରଣା ଦେଇଛନ୍ତି। ତହସିଲ କାର୍ଯ୍ୟାଳୟରେ ଦୁର୍ନୀତିରେ ସମ୍ପୃକ୍ତ କର୍ମଚାରୀ ମାନେ ଏହି ଅଭିଯୋଗ ଗୁଡ଼ିକୁ କୌଣସି ମତେ ଚପାଇ ଦେବାକୁ ଅଭିଯୋଗକାରୀଙ୍କ ଉପରେ ଚାପ ପକାଉଥିବା ମଧ୍ୟ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର