କରୋନା ଚିନ୍ତା: ଗ୍ରୀନ୍ ଜୋନ୍‌ରୁ ରେଡ୍ ଜୋନ୍‌କୁ ମୁହାଁଉଛି ଜଗତସିଂହପୁର ଜିଲ୍ଲା!

ଜଗତସିଂହପୁର ଟାଉନ୍‌: ଦୀର୍ଘ ଦିନ ଧରି କରୋନା ମୁକ୍ତ ହୋଇ ଗ୍ରୀନ୍ ଜୋନ୍‌ରେ ରହିଥିବା ଜଗତସିଂହପୁର ଜିଲ୍ଲା ଏବେ ଅରେଞ୍ଜ ଜୋନ୍‌ରେ । ଲଗାତାର ଭାବେ କରୋନା ପଜିଟିଭ୍ ବାହାରିବା ପରେ ଏବେ କିନ୍ତୁ ସ୍ଥିତି ବିଗିଡ଼ିବାରେ ଲାଗିଛି । ଗ୍ରୀନ୍ ଜୋନ୍‌ରୁ ଆରମ୍ଭ ହୋଇଥିବା ଯାତ୍ରା ଏବେ ରେଡ୍ ଜୋନ୍ ଆଡ଼କୁ ଗତି କରୁଛି । ପ୍ରଶାସନ ଯେତେ ସଜାଗ ରହିଲେ ବି ଢ଼ୋଲ ଭିତରେ ମୂଷା ପଶି ଖୋଳ କଲା ଭଳି କିଛି ଗୁରୁତ୍ୱପୂର୍ଣ୍ଣ କାରଣ ପାଇଁ ଜିଲ୍ଲା ଓ ଜିଲ୍ଲାବାସୀ ବିପଦ ମୁହଁକୁ ଠେଲି ହୋଇ ଯାଉଥିବା କୁହାଯାଉଛି । କରୋନା ପଜିଟିଭ୍ ବାହାରିବା ପରେ ବି ଲୋକେ ସଚେତନ ହେଉନାହାନ୍ତି । ପୁଲିସ ପକ୍ଷରୁ ମଧ୍ୟ କୋହଳ ଆଭିମୁଖ୍ୟ ଦେଖିବାକୁ ମିଳୁଛି । ପ୍ରତିଦିନ ସନ୍ଧ୍ୟା ୭ଟାରୁ ସକାଳ ୭ଟା କର୍ଫ୍ୟୁ ଲଗାଯାଇଥିଲେ ହେଁ ଏହାକୁ ଲୋକେ ମାନୁ ନଥିବା ଦେଖିବାକୁ ମିଳୁଛି । ଯାହା ବିପଦର ଆଶଙ୍କା ବଢ଼ାଉଛି ।

ଦୀର୍ଘ ଦେଢ଼ ମାସ ଧରି ଜିଲ୍ଲା ପ୍ରଶାସନର କଡ଼ା କଡ଼ା ନିୟମ ପାଳନ ଯୋଗୁଁ ଜିଲ୍ଲାକୁ କରୋନା ଛୁଇଁ ପାରି ନଥିଲା । ହେଲେ ବିଦେଶରୁ ନିଜ ଘରକୁ ଫେରୁଥିବା ପ୍ରବାସୀ ଓଡ଼ିଆ ଫେରିବା ପରେ ବିପଦ ମୁହଁରେ ପଡ଼ିଛି ଜଗତସିଂହପୁର । ଗତ ୬ ତାରିଖରେ ଏକାଥରେ ଚଉକା ମାରି ଜିଲ୍ଳାରେ କରୋନା ଖାତା ଖୋଲିଛି । ଏହାପରେ କୋଲକତା ଫେରନ୍ତା ଜଣେ ଆକ୍ରାନ୍ତ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ୭ ତାରିଖ ଯାଏ ରାଜ୍ୟ ବାହାରୁ ଆସିଥିବା ପ୍ରବାସୀଙ୍କ ମଧ୍ୟରେ ତେଲେଙ୍ଗାନା-ହାଇଦ୍ରାବାଦରୁ ୫୧ । ସେହିପରି କେରଳରୁ ୨୧ ଜଣ, ରାଜସ୍ଥାନ-କୋଟାରୁ ୧୬ ଜଣ, ଗୁଜୁରାଟ-ସୁରଟରୁ ୨୫ ଜଣ, କର୍ଣ୍ଣାଟକ-ବାଙ୍ଗାଲୁରରୁ ୨୪ ଜଣ, ଛତିଶଗଡ଼ରୁ ୬ ଜଣ, କୋଲକାତା ୨୬ ଜଣ, ଆନ୍ଧ୍ରପ୍ରଦେଶରୁ ୫ ଜଣ, ମଧ୍ୟପ୍ରଦେଶରୁ ଜଣ, ମହାରାଷ୍ଟ୍ର-ମୁମ୍ବାଇ ୯ ଜଣ, ଝାଡଖଣ୍ଡରୁ ୫ ଜଣ ଏବଂ ଉତ୍ତର ପ୍ରଦେଶରୁ ଜଣେ ଆସିଛନ୍ତି । ରାଜ୍ୟ ବାହାରୁ ଜିଲ୍ଲାକୁ ମୋଟ ୧୯୦ ଜଣ ଆସିଛନ୍ତି । ଏହାକୁ ଛାଡ଼ି ରାଜ୍ୟ ଭିତରୁ ଅନୁଗୁଳରୁ ୨ ଜଣ, ଯାଜପୁରରୁ ୪ ଜଣ, କେନ୍ଦ୍ରାପଡ଼ାରୁ ଜଣେ, ଭଦ୍ରକ ଜଣେଙ୍କୁ ମିଶାଇଲେ ରାଜ୍ୟ ବାହାର ଓ ଜିଲ୍ଲା ବାହାରକୁ ମିଶାଇଲେ ମୋଟ -୨୦୫ ଜଣ ଜିଲ୍ଲାକୁ ଆସିଛନ୍ତି ।

ଜଗତସିଂହପୁର ବ୍ଳକ୍‌କୁ ୧୯ ଜଣ, ରଘୁନାଥପୁର ବ୍ଳକ୍‌କୁ ୨୧ ଜଣ, ବିରିଡ଼ି ବ୍ଳକ୍‌କୁ ୭ ଜଣ, କୁଜଙ୍ଗ ବ୍ଲକ୍‌କୁ ୧୫ ଜଣ, ବାଲିକୁଦା ବ୍ଳକ୍‌କୁ ୨୫ ଜଣ, ଏରସମା ବ୍ଳକ୍‌କୁ ୧୬ ଜଣ, ନାଉଗାଁ ବ୍ଳକ୍‌କୁ ୩୫ ଜଣ, ତିର୍ତ୍ତୋଲ ବ୍ଳକ୍ ୩୮ ଜଣ, ଜଗତସିଂହପୁର ପୌରାଚଂଳ ୮ ଜଣ ଏବଂ ପାରାଦୀପ ପୌରାଞ୍ଚଳ ୧୦ ଜଣ ଯାଇଛନ୍ତି । ଏାମନଙ୍କର ସ୍ୱାବ୍ ସଂଗ୍ରହ କରାଯାଇ ଟେଷ୍ଟ କରାଯାଇଛି ।

ପ୍ରଶାସନର ସୂଚନା ଅନୁସାରେ ୭ ତାରିଖ ଯାଏଁ ୭୦ ଜଣଙ୍କର ଟେଷ୍ଟ ରିପୋର୍ଟ ମଧ୍ୟରେ ୫ ଜଣଙ୍କର ନେଗେଟିଭ୍ ବାହାରିଥିଲା । ଗତକାଲି ଆହୁରି ପଶ୍ଚିମବଙ୍ଗ, ଗୁଜୁଟାଟ-ସୁରଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଆସିଥିବା ୩୩ ଜଣଙ୍କର ସ୍ୱାବ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ବାକି ରିପୋର୍ଟ ଯାଇଥିଲେ ହେଁ ଟେଷ୍ଟ ରିପୋର୍ଟ ଦିଆଯାଇନାହିଁ । ଏଥିରେ ଏକ ଆସ୍ୱସ୍ଥି କର କଥା ହେଉଛି କଣ୍ଟୁଣିଆହାଟରୁ ବାହାରିଥିବା ଚାରି ଜଣ ପଜିଟିଭ୍‌ଙ୍କ ସହ ବାଲିକୁଦାର ଜଣେ ଲୋକ ଗାଡ଼ିରେ ଆସିଥିଲେ । ତେବେ ତାଙ୍କୁ କରୋନା ହୋଇଥାଇ ପାରେ ବୋଲି କୁହାଯାଉଥିଲା । ହେଲେ ତାଙ୍କର ନେଗେଟିଭ୍ ଆସିଛି ।

ଜିଲ୍ଲାରେ ୧୯୮ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରିରେ ବର୍ତ୍ତମାନ ସୁଧା ୯୪୮୫ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ପାରାଦୀପରେ ୧ କୋଟି ୨୫ ଲକ୍ଷ ଟଙ୍କାରେ କୋଭିଡ ହସ୍ପିଟାଲ ନିର୍ମାଣକରାଯାଇଛି । ଏଥିରେ ୫ଟି ଆଇସିୟୁ ୫୦ ଟି ଶଯ୍ୟା କରାଯାଇଛି । ଏସ୍‌ଭିଏମ୍ କଲେଜରେ ମଧ୍ୟ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ କରୋନା ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି । ହେଲେ କିଛି କ୍ଷେତ୍ରରେ ସମସ୍ୟା ବଢ଼ିବାରେ ଲାଗିଛି ।

ସମ୍ବନ୍ଧିତ ଖବର