ପେଟ୍ରୋଲ ପମ୍ପ୍‌ ମ୍ୟାନେଜରଙ୍କୁ ଗୁଳି : ଲକ୍ଷେ ୭୦ ହଜାର ଟଙ୍କା ଲୁଟ୍‌, ଦୁଇ ଅଟକ

ଗୋପାଳପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଷ୍ଟେଟବ୍ୟାଙ୍କ ଶାଖା ନିକଟରେ ପୂରଣ ଓଡପଡା ମା ନାରାୟଣୀ ପେଟ୍ରୋଲ ପମ୍ପ ମ୍ୟାନେଜର କୈଳାସ ଦାସଙ୍କ ଉପରକୁ ଗୁଳି କରି ଲୁଟେରାମାନେ ଲକ୍ଷେ ୭୦ ହଜାର ଟଙ୍କାର ଲୁଟି ନେଇଛନ୍ତି। ଶ୍ରୀ ଦାସ ଆଜି ରଘୁନାଥପୁର ଷ୍ଟେଟବ୍ୟାଙ୍କ ଶାଖାକୁ ୧ ଲକ୍ଷ ୭୦ ହଜାର ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଏକ ନାଲି ରଙ୍ଗର ଆପାଚି ବାଇକରେ ୨ ଜଣ ଲୁଟେରା ତାଙ୍କୁ ଅନୁସରଣ କରି ଗୋଟିଏ ରାଉଣ୍ତ ଗୁଳି କୈଳାସଙ୍କ ଉପରକୁ ଚଳାଇଥିଲେ। ଗୁଳିଟି କୈଳାସଙ୍କ ଦେହରେ ନବାଜି ବାଇକର ତେଲ ଟାଙ୍କିରେ ବାଜିଥିଲା। କୈଳାସ ତଳେ ପଡିଯାଇଥିଲେ ବି ଅଳ୍ପକେ ବର୍ତି ଯାଇଥିଲେ। ଏହି ସୁଯୋଗରେ ଲୁଟେରାମାନେ କୈଳାସଙ୍କ ବ୍ୟାଗରେ ଥିବା ସମସ୍ତ ଟଙ୍କା ଲୁଟିନେଇ ଦ୍ରୁତ ଗତିରେ କଟକ ଅଭିମୁଖେ ପଳାଇଥିଲେ। ଏ ସଂପର୍କରେ ରଘୁନାଥପୁର ଥାନା ପୁଲିସ କନ୍ଦରପୁର ଥାନା ପୁଲିସକୁ ଖବର ଦେବା ପରେ କଟକ-ପାରାଦୀପ ରାସ୍ତାରେ ଦୁଇ ଲୁଟେରାଙ୍କୁ ପୁଲିସ ଅଟକ ରଖିଛି। ଲୁଟେରାଙ୍କ ଠାରୁ ପୁଲିସ ୯୯ ହଜାର ଟଙ୍କା ଜବତ କରିଥିଲେ ଅନ୍ୟ ଟଙ୍କାର ହିସାବ ମିଳୁନି। ଅଧିକ ତଦନ୍ତ ପାଇଁ ପୁଲିସ ଲୁଟେରାଙ୍କ ପରିଚୟକୁ ଗୋପନ ରଖିଛିି।

ସମ୍ବନ୍ଧିତ ଖବର