ଚିକିତ୍ସା ପାଇଁ ଅର୍ଥ ବାଧକ; ଗୋଡ଼ଭଙ୍ଗା ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ମୁକ୍ତକାନ୍ତ

ରଘୁନାଥପୁର: ଆଠବର୍ଷର ଦିବ୍ୟାଙ୍ଗ ଶିଶୁ ମୁକ୍ତିକାନ୍ତ ଗୋଡ଼ଭଙ୍ଗା ଯନ୍ତ୍ରଣାରେ ଛଟପଟ ହେଉଛି। ଗୋଡ଼ରେ ପ୍ଲାଷ୍ଟର ହେବା ଦ୍ବାରା ଗୋଡ଼ ସମେତ ପେଟର କେତେକ ସ୍ଥାନରେ ଘା’ ସୃଷ୍ଟି ହୋଇଛି। ଘା’ ଭଲ ନହେବା ପଯ୍ୟନ୍ତ ଗୋଡ଼ରେ ଆଉ ପ୍ଲାଷ୍ଟର୍‌ ହୋଇପାରିବ ନାହିଁ ବୋଲି ଡାକ୍ତର ମନା କରି ଦେଇଥିବାରୁ ଗୋଡ଼ଭଙ୍ଗା ଯନ୍ତ୍ରଣାରେ କଲବଲ ହେଉଛନ୍ତି ଦିବ୍ୟାଙ୍ଗ ଶିଶୁ ମୁକ୍ତିକାନ୍ତ। ଯନ୍ତ୍ରଣାରୁ ଶିଶୁଟି ଦିନ ରାତି ଅନିଦ୍ରା ରହୁଥିବାବେଳେ ବିଧବା ମା’ ମଧୢ ପୁଅକୁ ଜଗି ଦିନରାତି ଅନିଦ୍ରା ରହୁଛନ୍ତି।
ରଘୁନାଥପୁର ଓଡ଼ପଡ଼ା ଗ୍ରାମର ସୁମିତ୍ରା ସେଠୀ, ବୟସ ୨୯ ବର୍ଷ। ବିବାହର ୩ ବର୍ଷ ପରେ ସ୍ବାମୀଙ୍କ ଅକାଳ ବିୟୋଗ ହେବାରୁ ସୁମିତ୍ରା ଏକା ହୋଇଯାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ସମୟରେ କୋଳରେ ଦେଢ଼ମାସର ଦିବ୍ୟାଙ୍ଗ ପୁଅ ଥିଲା। ଶାଶୂଘର ଲୋକ ସୁମିତ୍ରାଙ୍କୁ ହତାଦାର କରିବା ସହ ପୁଅର ଚିକିତ୍ସା ପାଇଁ ସହାୟକ ହେଲେ ନାହିଁ।

ସୁମିତ୍ରା ବାଧୢହୋଇ ନିଜ ବାପଘରକୁ ଚାଲି ଆସିଥିଲେ। ବାପା-ଭାଇ ଦିନମଜୁରିଆ ହୋଇଥିଲେ ବି ଯେମିତି ସେମିତି ସୁମିତ୍ରା ଏବ˚ ତାଙ୍କ ଦିବ୍ୟାଙ୍କ ପୁଅର ଭାର ସମ୍ଭାଳୁଥିଲେ। ହେଲେ, ପୁଅର ଗୋଡ ହାଡ଼ ଶକ୍ତ ନଥିବାରୁ ଭିଡ଼ିମୋଡ଼ି ହେବା ସମୟରେ ଡାହାଣ ଗୋଡ଼ ହାଡ଼ ଭାଙ୍ଗି ଯାଇଥିଲା। ଗୋଡ଼ ପ୍ଲାଷ୍ଟର୍‌ କରାଯିବାର ଦୁଇଦିନ ପରେ ପ୍ଲାଷ୍ଟର୍‌ ସ୍ଥାନ ଓଦା ଲାଗିବା ସହ ନାଲି ଦେଖାଗଲା। ପରିବାର ଲୋକ ଡାକ୍ତରଖାନାକୁ ନେଇ ଦେଖିଲେ ପ୍ଲାଷ୍ଟର ହେବା ଦ୍ବାରା ଗୋଡ଼ର କିଛି ସ୍ଥାନରେ ଘା’ ହୋଇଥିଲା। ଘା’ ନ ଶୁଖିବା ପର୍ଯ୍ୟନ୍ତ ଗୋଡ଼ରେ ଆଉ ପ୍ଲାଷ୍ଟର୍‌ ହୋଇ ପାରୁ ନଥିବା ବେଳେ ଦେହରେ ହୋଇଥିବା ଘା’ ଶୁଖିବା ନା’ ନେଉ ନାହିଁ। ପୁଅର ଚିକିତ୍ସା ପାଇଁ ପାଖରେ ପଇସା ନଥିବା ବେଳେ ବାପା, ଭାଇଙ୍କ ମଜୁରି ପଇସାରେ ଘର ଚଳିବା ସହ ପୁଅର ଚିକିତ୍ସା କରିବା ଅସମ୍ଭବ ହୋଇପଡ଼ିଛି। ସୁମିତ୍ରାଙ୍କ ସାନ ଭାଇ ବିଶ୍ବଜିତ୍‌ଙ୍କ କହିବା ମୁତାବକ, ପ୍ରତିଦିନ ପୁଅ ଚିକିତ୍ସାରେ ହଜାର ହଜାର ଟଙ୍କା ଖର୍ଚ୍ଚ ହେଉଛି। ଦାମୀ ମେଡିସିନ୍‌ କିଣିବା ସାଙ୍ଗକୁ ଅଟୋ ଭଡ଼ା ଦେବାକୁ ପାଖରେ ଥିବା ସ˚ଚିତ ପଇସା ସବୁ ସରିଗଲାଣି। ଚିକିତ୍ସା ପାଇଁ ସରକାରୀସ୍ତରରୁ କିଛି ସହାୟତା ମିଳି ନାହିଁ। ଯଦି କୌଣସ ଆର୍ଥିକ ସହାୟତା ମିଳନ୍ତା ତେବେ ମୁକ୍ତିକାନ୍ତର ସଫଳ ଚିକିତ୍ସା ହୋଇପାରନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର