ଅଜଣା ଗାଡ଼ି ଧକ୍କାରେ ବଡ଼ଭାଇ ମୃତ, ସାନ ଗୁରୁତର

ବ୍ୟାସନଗର: ଯାଜପୁର ରୋଡ ଥାନା ଅନ୍ତର୍ଗତ କହ୍ନେଇପୁର-ଚନ୍ଦମା ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତ ଯୁବକ ହେଲେ ନହକା ଗ୍ରାମର ପାର୍ଥସାରଥି ମହାନ୍ତି (ନଣ୍ଡା)ଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର (୨୫)। ଆହତ ଯୁବକ ହେଲେ ବିପିନ ମହାନ୍ତିଙ୍କ ପୁଅ ଅବିନାଶ ମହାନ୍ତି (୨୪ )। ଉଭୟ ସଂପର୍କୀୟ ଭାଇ। ଅବିନାଶ ହେଉଛନ୍ତି ରାଜେନ୍ଦ୍ରଙ୍କ ବଡ଼ବାପା ପୁଅ ଭାଇ।

ଗତକାଲି ବିଳମ୍ବିତ ରାତିରେ ଉଭୟ ଭୋଜିଖାଇ (ଓଡି ୩୪ ଡି ୭୯୪୨) ବୁଲେଟରେ ଘରକୁ ଫେରୁଥିଲେ। ଅଜଣା ଗାଡ଼ି ଧକ୍କା ଦେବାରୁ ଦୁହେଁ ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲେ। ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଖ

ବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ଦୁର୍ଘଟଣା ଘଟାଇଥିବା ଗାଡ଼ିର କୌଣସି ସନ୍ଧାନ ମିଳିନାହିଁ। ଦାନଗଦୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଶବ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଶ୍ମଶାନରେ ଶବ ସଂସ୍କାର କରାଯାଇଥିଲା। ମୃତ ରାଜେନ୍ଦ୍ର ଗତ ଫେବ୍ରୁଆରି ମାସରେ ରାବଣା ଗ୍ରାମରେ ବିବାହ କରିଥିଲେ। ସ୍ୱାମୀକୁ ହରାଇ ପତ୍ନୀ ଭାଙ୍ଗିପଡ଼ିଥିଲାବେଳେ ଏକମାତ୍ର ପୁଅକୁ ହରାଇ ମା’ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି। ତାଙ୍କ ବୁକୁଫଟା କ୍ରନ୍ଦନ କରୁଣ ପରିବେଶ ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର