ମାଫିଆ ମାନୁନାହାନ୍ତି ଏନ୍‌ଜିଟି ନିର୍ଦେଶ

ମେସିନରେ ଉଠାଯାଉଛି ବାଲି ଦିନକୁ ୫ ଲକ୍ଷ ଟଙ୍କାର ରାଜସ୍ୱହାନି ରାଜନେତା, ଠିକାଦାର ମାଲେମାଲ

ଦଶରଥପୁର : ବାଲି ମାଫିଆ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ର ନିର୍ଦେଶ ମାନୁନାହାନ୍ତି । ମେସିନ ଲଗାଇ ଦିନରାତି ନଦୀ ଶଯ୍ୟାରୁ ବାଲି ଖୋଳି ଚୋରାରେ ଚାଲାଣ କରୁଛନ୍ତି। ଦିନକୁ ପ୍ରାୟ ୫ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି ସରକାର। ଅନ୍ୟପଟେ ରାଜନେତା ଓ ମାଫିଆ ମାଲେମାଲ ହେଉଛନ୍ତି।
ଦଶରଥପୁର ବ୍ଲକର ୧୦ରୁ ଅଧିକ ସ୍ଥାନରୁ ଚୋରାରେ ବାଲି ଚାଲାଣ ଚାଲିଛି । ଆଖି ଆଗରୁ ପ୍ରତ୍ୟେହ ବାଲି ମାଫିଆମାନେ ୨୦ ଲକ୍ଷରୁ ଅଧିକ ଟଙ୍କାର ବାଲି ବିକ୍ରି କରିଚାଲିଛନ୍ତି। ଫଳରେ ସରକାରୀ ରାଜସ୍ୱହାନି ହେଉଛି। ଅନ୍ୟପକ୍ଷରେ ଠିକାଦାର, ରାଜନେତା ମାଲେମାଲ ହେଉଛନ୍ତି।
ସୂଚନା ଅନୁସାରେ, ବ୍ଲକର ହିରାପୁର, ସୁନ୍ଦରାହିଁ ମୁହଁ, ହିରାପୁର, ଝୁମ୍ପୁରି, କମାଳପୁର, ପଲ୍ଲାସାହି, ଅର୍ଦ୍ଦାଉଳିଆ, କଅଁରସାହି, ଦତ୍ତପୁର, ବାଲିପାଟଣା, କୟାଁ ଆଦି ୧୧ ସ୍ଥାନରେ ଅହରହ ଚୋରାରେ ବାଲି ଚାଲାଣ ଚାଲିଥିବା ଦେଖିବାକୁ ମିଳିଛି । ସୁନ୍ଦରାହିମୁହଁ ଓ ହିରାପୁର ଘାଟରେ ଅହରହ ୬ଟି ମେସିନଲାଗି ବଡ ଡମ୍ପରରେ ଶହଶହ ଟ୍ରିପ ଚୋରାବାଲି ଚାଲାଣ ଚାଲିଛି । ଯାହାକି ସଂପୂର୍ଣ ବେଆଇନ।
ଗ୍ରିନ ଟ୍ରିବୁନାଲ ନିୟମ ଅନୁଯାୟୀ ଘାଟରୁ ଜେସିବି କିମ୍ବା ପୋକ୍‌ଲିନ ଲାଗାଇ ବାଲି ଉଠାଯାଇପାରିବ ନାହିଁ। ହେଲେ ଏହାକୁ କୌଣସି ଘାଟ ମାଲିକମାନେ ଖାତିର କରୁନଥିବା ଦେଖାଯାଇଛି । ଏହି ବ୍ଲକରେ ୨ଟି ଘାଟ ପାଇଁ ଅନୁମତି ଥିବାବେଳେ ଅନ୍ୟ ଘାଟମାନଙ୍କରେ ମଧ୍ୟ ଚୋରାରେ ବାଲି ଉଠାଯାଉଛି । ଯେଉଁ ୨ଟି ଘାଟ ପାଇଁ ତହସିଲଦାରଙ୍କ ଅନୁମତି ରହିଛି ତାହାର ବହୁ ଗୁଣା ଅଧିକ ବାଲି ଉଠାଯାଉଛି। ନଦୀରୁ ଏତେପରିମାଣରେ ବାଲି ଉଠାଣ ହୋଇଛି ଯେ ପଙ୍କ ଉଠିପଡିଛି। ଆଉ ବାଲି ଦେଖାଯାଉନାହିଁ। ୨ ମାସହେବ ପାଖାପାଖି ୨ କୋଟିର ବାଲି ଚାଲାଣ ସରିଲାଣି। ସବୁଠୁ ଆଶ୍ଚଯ୍ୟର୍କଥା ବାଲିକୁ ଭଦ୍ରକ ଚାଲାଣ କରାଯାଉଛି। କଟିକଟା ବଲ୍ଲଭି ଘାଟ ପୋଲର ଦେଇ ଭଦ୍ରକକୁ ଚୋରା ବାଲି କାରବାର କରାଯାଉଛି।
ଚୋରାକାରବାର ପ୍ରାୟ ରାତ୍ର ସମୟରେ କରାଯାଉଥିବାବେଳେ କୌଣସି ଗାଡିରୁ ଘାଟମାଲିକମାନେ ରାଜସ୍ୱ କାଟୁନାହାନ୍ତି। ସରକାରଙ୍କ ରାଜସ୍ୱ ହାନି ହେଉଥିବାବେଳେ ଘାଟମାଲିକ, ଗାଡି ମାଲିକ ଏବଂ ଠିକାଦାର ମାଲେମାଲ ହେଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର